କଟକରୁ ଯାଇ ରାଞ୍ଚିରେ ଲୁଚିଥିଲେ କପଡ଼ା ବ୍ୟବସାୟୀ, ନିଜ ଅପହରଣର ନାଟକରେ ଫସିଗଲେ

କଟକ, ରାୟପୁର, କଲିକତାରେ ୩୦ ଲକ୍ଷ ବାକି

କଟକ: ଯାଜପୁରର ଜଣେ ପ୍ରତିଷ୍ଠିତ କପଡ଼ା ବ୍ୟବସାୟୀ ୩୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା କପଡ଼ା ଗୋଦାମରେ ବାକି ପକାଇଥିବାରୁ ଏକ ଅପହରଣ ନାଟକ ରଚି ଧରାପଡ଼ିଛନ୍ତି। ସେ ହେଉଛନ୍ତି ଯାଜପୁର ଜେନାପୁରର ଦିଲ୍ଲୀପ କୁମାର ପାତ୍ର। କବାଟବନ୍ଧରେ ପାତ୍ର ଶାଢ଼ୀ ଏବଂ ଡ୍ରେସେସ୍ ଓ ପାତ୍ର ଜୁଏଲାରୀ ନାଁରେ ତାଙ୍କର ଅଳଙ୍କାର ଦୋକାନ ରହିଛି। ଶାଢ଼ୀ ଦୋକାନ ପାଇଁ ଆଣିଥିବା ସାମଗ୍ରୀ ବାକି ପଡ଼ିଥିବାରୁ ଖସିଯିବାକୁ ନିଜେ ଅପହରଣ ହୋଇଥିବା କହି ରାଞ୍ଚିରେ ଲୁଚିଥିଲେ। ଯାଜପୁର ଜେନାପୁର ଥାନା କବାଟବନ୍ଧ ଅଞ୍ଚଳର ଦିଲ୍ଲୀପ କୁମାର ପାତ୍ର ନିଜ ଦୋକାନ ପାଇଁ କପଡ଼ା ଦୋକାନ ପାଇଁ ସାମଗ୍ରୀ କିଣିବାକୁ ଗଲା ୬ ତାରିଖରେ କଟକ ଆସିଥିଲେ। ସେଦିନ ଅପରାହ୍ନ ପ୍ରାୟ ୪ଟା ବେଳେ ଚୌଧୁରୀ ବଜାର ମାରୁତି ମଣ୍ଡପ ନିକଟରେ ନିଜ କାର୍ ପାର୍କିଂ କରିଥିଲେ। ତା ପରଠାରୁ ତାଙ୍କ ମୋବାଇଲ୍ ଫୋନ୍ ସୁଇଚ୍ ଅଫ୍ ଥିଲା। ସେଦିନ ରାତିରେ ଦିଲ୍ଲୀପଙ୍କ ମୋବାଇଲରୁ ଦୁଇଟି ହ୍ବାଟସଆପ୍ ମ୍ୟାସେଜ୍ ତାଙ୍କ ବଡ଼ ଭାଇ ଅଜୟ କୁମାର ପାତ୍ରଙ୍କ ନିକଟକୁ ଯାଇଥିଲା। ଦିଲ୍ଲୀପ ଅପହରଣ ହୋଇଥିବା ବେଳେ ତାଙ୍କୁ ଫେରି ପାଇବାକୁ ହେଲେ ୨୦ ଲକ୍ଷ ଟଙ୍କା ଦେବାକୁ ଧମକ ଦିଆଯାଇଥିଲା। ମ୍ୟାସେଜ୍ ହିନ୍ଦୀରେ ଲେଖା ଯାଇଥିଲା। ଏଭଳି ମ୍ୟାସେଜ ଅଜୟ ପାଇବା ପରେ ୭ ତାରିଖରେ ପୁରୀଘାଟ ଥାନାରେ ଏତଲା ଦେଇଥିଲେ। ପୁରୀଘାଟ ଥାନା ପୁଲିସ ଏକ ଅପହରଣ ମାମଲା ରୁଜୁ କରି ଥାନା ଆଇଆଇସି ଯତିନ ସେଠୀଙ୍କ ସମେତ ଦୁଇ ଆଇଆଇସି ଓ ଜଣେ ଏସିପି ପାହ୍ୟାର ଅଧିକାର ଘଟଣାର ଖୋଳତାଡ଼ ଆରମ୍ଭ କରିଥିଲେ।

ଧମକପୂର୍ଣ୍ଣ ମ୍ୟାସେଜ୍ ଯାଜପୁର ପାଣିକୋଇଲି ନିକଟରୁ ଆସିଥିବାରୁ ପୁଲିସ କଟକରୁ ପାଣିକୋଇଲି ଯାଏ ରାସ୍ତାର ସମସ୍ତ ସିସି କ୍ୟାମେରା ଫୁଟେଜ୍ ଜବତ କରିଥିଲା। ଗୋଟିଏ ପଟେ ପୁଲିସର ତଦନ୍ତ ଚାଲିଥିବା ବେଳେ ଗଲା ୨୦ ତାରିଖ ବିଳମ୍ବିତ ରାତିରେ ନିଜେ ଦିଲ୍ଲୀପ ଘରକୁ ଫେରିଥିଲେ। ପୁଲିସ ତାଙ୍କୁ ପଚରାଉଚରା କରିବା ପରେ ଚାଞ୍ଚଲ୍ୟକର ତଥ୍ୟ ସାମନାକୁ ଆସିଥିଲା। ଦିଲ୍ଲୀପ କଟକ ସମେତ ରାୟପୁର, କଲିକତାରୁ ବଡ଼ ବ୍ୟବସାୟୀଙ୍କ ନିକଟରୁ ପାଖାପାଖି ୩୦ ଲକ୍ଷ ଟଙ୍କାର ସାମଗ୍ରୀ ବାକିରେ ଆଣିଥିଲେ। କିନ୍ତୁ ଏହି ଟଙ୍କା ଫେରସ୍ତ କରୁନଥିଲେ। ବ୍ୟବସାୟୀମାନେ ଟଙ୍କା ମାଗିବାରୁ ନିଜେ ଦିଲ୍ଲୀପ ନିଜର ଅପହରଣ କାହାଣୀ ପ୍ରସ୍ତୁତ କରି ସମସ୍ତଙ୍କୁ ଅନ୍ଧାରରେ ରଖିଥିଲେ। ଦିଲ୍ଲୀପ ୬ ତାରିଖରେ ମାରୁତିମଣ୍ଡପ ନିକଟରେ ନିଜ କାର୍ ପାର୍କିଂ କରିବା ପରେ ଏକ ରିକ୍ସାରେ ବାଦାମବାଡ଼ି ବସଷ୍ଟାଣ୍ଡ ଯାଇଥିଲେ। ସେଠୁ ବସ୍ ଯୋଗେ ରାଞ୍ଚି ଚାଲି ଯାଇଥିଲେ। ରାସ୍ତାରେ ପାଣି କୋଇଲି ନିକଟରେ ବଡ଼ ଭାଇଙ୍କ ନିକଟକୁ ଅପହରଣ ମ୍ୟାସେଜ୍ ପଠାଇଥିଲେ। ୭ ତାରିଖରେ ରାଞ୍ଚିରେ ପହଞ୍ଚିବା ପରେ ସେଠାରେ ୩ ଦିନ କାଟି ଥିଲେ। ପରେ ସେଠୁ ସିଲିଗୁଡ଼ି ଏବଂ ଅନ୍ୟାନ୍ୟ ସ୍ଥାନକୁ ଯାଇଥିଲେ। ୨୦ ତାରିଖରେ ଘରକୁ ଫେରିବା ପରେ ପୁରୀଘାଟ ଥାନା ପୁଲିସ ହାବୁଡ଼ରେ ପଡ଼ିଥିଲେ। ଏଭଳି ନାଟକ ପାଇଁ କମିସନରେଟ୍ ପୁଲିସର ବରିଷ୍ଠ ପୁଲିସ ଅଧିକାରୀମାନେ ନାକେଦମ୍ ହୋଇଛନ୍ତି। ଅନ୍ୟପଟେ ପୁଲିସ ଦିଲ୍ଲୀପଙ୍କୁ କାବୁ କରିବା ପରେ ନୋଟିସ୍ ଦେଇ ଛାଡ଼ିଥିବା ଥାନା ଆଇଆଇସି ଯତିନ ସେଠୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର