କଟକ:ଆଜି କଟକ ଗସ୍ତରେ ଆସିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଉପର ବାଲିଯାତ୍ରା ପଡ଼ିଆରେ ଜିଲ୍ଲାର ୫ଲକ୍ଷ ୫ହଜାର ୬୯୯ ଜଣ ହିତାଧିକାରୀଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ସ୍ବାସ୍ଥ୍ୟ କାର୍ଡ ବଣ୍ଟନ କରିବା ସହିତ ୧୪୭୪.୮୮କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି। ସେଥିପାଇଁ କଟକ ଜିଲ୍ଲା ପ୍ରଶାସନ, ସିଏମସି ଓ ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ଚୂଡାନ୍ତ ପର୍ଯ୍ୟାୟରେ ପହଁଚିଛି। ସୂଚନା ଅନୁଯାୟୀ, ୧୩ ତାରିଖ ଦିନ ମୁଖ୍ୟମନ୍ତ୍ରୀ ଅଧଘଣ୍ଟିଆ ଗସ୍ତରେ ଆସି ୧୦.୪୫ରେ ଉପର ବାଲିଯାତ୍ରା ପଡ଼ିଆରେ ପହଞ୍ଚିବେ। ପୂର୍ବାହ୍ନ ୧୧.୧୭ରେ ତାଙ୍କ ସଭା ସରିବା ପାଇଁ କାର୍ଯ୍ୟକ୍ରମ ରହିଛି। କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ସମେତ ବହୁ ତୁଙ୍ଗ ନେତା ମଞ୍ଚରେ ଉପସ୍ଥିତ ରହିବେ। ବଡ଼ମ୍ବା ବିଧାୟକ ଦେବୀପ୍ରସାଦ ମିଶ୍ର ଓ ଆଠଗଡ଼ ବିଧାୟକ ତଥା ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମଞ୍ଚରେ ରହିବେ ବୋଲି ଗସ୍ତ ତାଲିକାରେ ଉଲ୍ଲେଖ କରାଯାଇଛି।
ମୁଖ୍ୟମନ୍ତ୍ରୀ ୯୬ଟି ପ୍ରକଳ୍ପକୁ ଉଦ୍ଘାଟନ କରିବାର ତାଲିକା ପ୍ରସ୍ତୁତ କରାଯାଇଛି। ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ ଥିବାରୁ ଜିଲ୍ଲାର ସହରଠାରୁ ଆରମ୍ଭ କରି ସବୁ ବ୍ଲକ୍ ଓ ନିର୍ବାଚନମଣ୍ଡଳୀରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରାଯିବାର ତାଲିକା ପ୍ରସ୍ତୁତ କରାଯାଇଛି। ପ୍ରତି ନିର୍ବାଚନମଣ୍ଡଳୀରୁ ଲୋକମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେବାକୁ ଥିବାରୁ ନିର୍ବାଚନମଣ୍ଡଳୀର ବିଧାୟକମାନଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମ ପ୍ରସ୍ତୁତି ନେଇ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ପୂର୍ବତନ ବିଧାୟକ ତଥା କଟକ ଜିଲ୍ଲା ବିଜେଡି ସଭାପତି ଦେବାଶିଷ ସାମନ୍ତରାୟ, ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ, ବାଙ୍କୀ ବିଧାୟକ ଦେବୀରଂଜନ ତ୍ରିପାଠୀ ପ୍ରମୁଖ ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିଛନ୍ତି। ମନ୍ତ୍ରୀଙ୍କ ସମୀକ୍ଷା ସମୟରେ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, ଡିସିପି ପ୍ରତୀକ୍ ସିଂହ, ସିଏମ୍ସି କମିସନର ଅନନ୍ୟା ଦାସ, ଓଡ଼ିଶା ମୋ ପରିବାରର କଟକ ଜିଲ୍ଲା ସଂଯୋଜକ ତଥା ପୂର୍ବତନ କର୍ପୋରେଟର ରଞ୍ଜନ ବିଶ୍ବାଳ ପ୍ରମୁଖ ଉପସ୍ଥିତ ଥିଲେ।