କଟକ: ବିଶ୍ବସ୍ତରୀୟ କଟକ ବଡ଼ଡାକ୍ତରଖାନା ନିର୍ମାଣ ନିମନ୍ତେ ବାଟ ଫିଟିଲା। ଏମ୍ସ ପ୍ଲସ୍ ଏସ୍ସିବି ନିର୍ମାଣ ପାଇଁ ନକ୍ସା, ପ୍ଲାନ୍ ଅନୁମୋଦନ ଓ ଲେ-ଆଉଟ୍ ପାଇଁ ସିଏମ୍ସି ଅନୁମୋଦନ କରିଛି। ଏସ୍ସିବି ମେଡିକାଲ କଲେଜ ସଂପ୍ରସାରଣ ବା ରି-ଡେଭଲେପମେଣ୍ଟ ପ୍ଲାନ୍ ପାଇଁ ନକ୍ସା ଓ ପ୍ଲାନ୍ ଅନୁମୋଦନ ସଂପର୍କିତ କ୍ଷମତା ପାଇଁ ଆର ଏଣ୍ଡ ବି-୧ ସିଏମ୍ସିର କ୍ଷମତା ପ୍ରଦାନ କରିଛି। ଗୋଟିଏ ପଟେ ଟେଣ୍ଡର ପ୍ରକ୍ରିୟା ସରିଥିବାବେଳେ ଏପଟେ ଲେ-ଆଉଟ୍ ଓ ନିର୍ମାଣ ପାଇଁ ସିଏମ୍ସି ଅନୁମତି ପ୍ରଦାନ କରିବା ପରେ ଏହାର ନିର୍ମାଣ କାର୍ଯ୍ୟ ପାଇଁ ପୂର୍ତ୍ତ ବିଭାଗକୁ କ୍ଷମତା ପ୍ରଦାନ କରିଛି କଟକ ମହାନଗର ନିଗମ। ତେବେ ଏହି ଲେ-ଆଉଟ୍ ପ୍ଲାନ୍ ଅନୁମୋଦନ କେବଳ ମେଡିକାଲ କଲେଜ ଓ ହସ୍ପିଟାଲ ନିର୍ମାଣ ନିମେନ୍ତ ଦିଆଯାଇଛି। ଏହାବାଦ୍ ଯଦି ଅନ୍ୟ କିଛି ନିର୍ମାଣ କାର୍ଯ୍ୟ କରାଯାଏ ତା’ହେଲେ ତା’ ପାଇଁ ଅନ୍ୟ ଅନୁମତି ଆବଶ୍ୟକ ଓ ଯେଉଁ ପ୍ଲାନ୍ ଅନୁମୋଦନ ସମୟରେ ଦିଆଯାଇଛି। ସେହି ଅନୁସାରେ ହିଁ କାର୍ଯ୍ୟ କରିବା ପାଇଁ ଅନୁମତିପତ୍ର (ନଂ-୧୩୭୩, ୧୧/୧୦/୨୦୨୧)ରେ ଉଲ୍ଲେଖ ରହିଛି।
ବିଶ୍ବସ୍ତରୀୟ ହେବ ବଡ଼ ଡାକ୍ତରଖାନା ନିର୍ମାଣ ନିମନ୍ତେ ୩୫ଶହ କୋଟିର ବଜେଟ୍ ଅନୁମୋଦନ ସହ ଟେଣ୍ଡର ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ତେବେ, ଅକ୍ଟୋବର ସୁଦ୍ଧା କାମ ଆରମ୍ଭ ପାଇଁ ଯୋଜନା ରଖାଯାଇଥିବାବେଳେ ଅକ୍ଟୋବର ଶେଷ ହେବାକୁ ବସିଥିଲେ ବି କାମ ଆରମ୍ଭ ହୋଇପାରିନି। ଅନ୍ୟପଟେ ୨୦୨୪ ପୂର୍ବରୁ ଏହାର ନିର୍ମାଣ ସାରିବାକୁ ଯୋଜନା ରଖାଯାଇଛି। ନୂଆ ଏସ୍ସିବି ଯୋଜନାରେ ତାଳଦଣ୍ଡା କେନାଲ ରାସ୍ତାରେ ପ୍ରଥମ ପର୍ଯ୍ୟାୟରେ କ୍ଲିନିକାଲ କୋଠା ପାଇଁ ୧୦ମହଲା ବିଶିଷ୍ଟ ୪ଟି ଟାୱାର୍ ନିର୍ମାଣ କରାଯିବାର ଯୋଜନା ରହିଛି। ଏହି ଯୋଜନା ଅନୁସାରେ ଏହି ପ୍ରକଳ୍ପ ପାଇଁ ସିଏମ୍ସି ଆର ଏଣ୍ଡ ବି -୧ ବିଭାଗକୁ ପ୍ଲାନ୍ ଅନୁସାରେ ଲେ-ଆଉଟ୍ ପାଇଁ ଅନୁମତି ପ୍ରଦାନ କରିଛି। ଏହି ଅନୁମତି ୩ବର୍ଷ ପାଇଁ ପ୍ରଦାନ କରାଯାଇଥିବାବେଳେ ଲେ-ଆଉଟ୍ ପ୍ଲାନ୍ ପାଇଁ ୨୭ଲକ୍ଷ ୬୬ହଜାର ୫୬୬ ସିକ୍ୟୁରିଟି ଫି’ ଗ୍ରହଣ କରାଯାଇଛି। ଶହେ ଏକର ଅଞ୍ଚଳରେ ପରିବ୍ୟାପ୍ତ କଟକ ବଡ଼ ଡାକ୍ତରଖାନା ବିଶ୍ବସ୍ତରୀୟ ପାଇଁ ଘୋଷଣା ହେବା ପରେ ପରିସୀମା ବଢ଼ି ୧୩୬ ଏକରରେ ପହଞ୍ଚିଛି। ଓଡ଼ିଶା ସେତୁ ଓ ନିର୍ମାଣ ନିଗମ(ଓବିସିସି) ପକ୍ଷରୁ ନିର୍ମାଣ କାର୍ଯ୍ୟ ପାଇଁ ପ୍ରଥମ ପର୍ଯ୍ୟାୟ ଟେଣ୍ଡର୍ ଜୁଲାଇ ୧୬ତାରିଖରେ ଖୋଲାଯାଇଥିବାବେଳେ ଅଗଷ୍ଟରେ ଏହାର କ୍ଲିନିକାଲ୍ ବିଭାଗ କୋଠା ପାଇଁ ଟେଣ୍ଡର୍ ଖେଲାଯାଇଛି। ସଂପୂର୍ଣ୍ଣ ନୂଆ ଢାଞ୍ଚାରେ ହେବାକୁ ଥିବା ଏହାର ନିର୍ମାଣ ପାଇଁ ଡିପିଆର ପ୍ରସ୍ତୁତ କରାଯାଇଛି।
ଷ୍ଟାଫ୍ କଲୋନି ପାଇଁ ୧୨ମହଲା ବିଶିଷ୍ଟ ୧୨ଟି ଟାୱାର ନିର୍ମାଣ କରାଯିବ, ଯେଉଁଠି ଡାକ୍ତରଙ୍କଠାରୁ ଆରମ୍ଭ କରି ସବୁବର୍ଗର କର୍ମଚାରୀ ରହିବେ। ସେଥିପାଇଁ ଯେଉଁ ୪ଜଣ ବିଡର୍ ଆବେଦନ କରିଥିଲେ ସେମାନଙ୍କ ମୂଲ୍ୟାୟନ ଆରମ୍ଭ ହୋଇଛି। ଅନ୍ୟପଟେ କ୍ଲିନିକାଲ ବିଭାଗ ପାଇଁ ୧୦ମହଲା ବିଶିଷ୍ଟ ୪ଟି ଟାୱାର ମଡେଲର ଅତ୍ୟାଧୁନିକ ଢାଞ୍ଚାରେ ତିଆରି କରାଯିବ। ପ୍ରଥମ ଦଫାରେ କ୍ଲିନିକାଲ ବିଭାଗ କୋଠାର କାର୍ଯ୍ୟ ଆରମ୍ଭ ପାଇଁ ଯୋଜନା ରହିଛି। ତେବେ ଏସ୍ସିବିରେ କ୍ଲିନିକାଲ କୋଠା ପାଇଁ ୩୩.୮ଏକର ସ୍ଥାନ ପ୍ଲାନ୍ରେ ରହିଛି, ଏକାଡେମିକ୍ ପାଇଁ ୭.୯ଏକର, ରେସିଡେନ୍ସିଆଲ ପାଇଁ ୨୫.୬ଏକର, ରାସ୍ତା ପାଇଁ ୨୫.୪, ପାର୍କିଂ ପାଇଁ ୩.୧, ଓପନ୍ ସ୍ପେସ୍ ପାଇଁ ୨୯.୮ ଏକର, ୱାଟର୍ବଡି ପାଇଁ ୦.୬ ଏହିପରି ବିଭିନ୍ନ ଅଂଚଳ ଭାଗ ଭାଗ କରାଯାଇଥିବା ପ୍ଲାନ୍ରେ ଦର୍ଶାଯାଇଛି। ତେବେ ସେଥିରୁ ୧୦୦ ଏକର ରହିଛି। ବିଭିନ୍ନ ଉଚ୍ଛେଦ ପ୍ରକ୍ରିୟା ପରେ ବାକି ୩୬ ଏକର ନୂତନ ସ୍ଥାନ ଏସ୍ସିବିକୁ ପ୍ରଦାନ କରାଯାଇଛି। ଏଠାରେ ସୂଚନାଯୋଗ୍ୟ, ୨୦୨୦ ମାର୍ଚ୍ଚ ୫ ତାରିଖ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀରେ ବିଶ୍ବସ୍ତରୀୟ ଏସ୍ସିବି ପାଇଁ କଟକରେ ଅନୁଷ୍ଠିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏହି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ହଜାରେ କୋଟିର ଯୋଜନା ବଢ଼ି ଏବେ ୩୫ଶହ କୋଟିରେ ପହଞ୍ଚିଲାଣି।