ପୌର ନିଗମ ପକ୍ଷରୁ ବର୍ଜ୍ୟବସ୍ତୁ ହ୍ରାସ ଅଭିଯାନ

ବିକାଶ ଭବନରେ ଖୋଲିଲା ‘ଆର୍‌-ଆର୍‌-ଆର୍‌’ କେନ୍ଦ୍ର, ସଂଗ୍ରହ ହେବ ପୁରୁଣା ବହି, ପୋଷାକ, ଜୋତା, କଣ୍ଢେଇ...

କଟକ: କଟକ ପୌର ନିଗମ (ସିଏମ୍‌ସି)ର ବାଦାମବାଡି ସ୍ଥିତ ବିକାଶ ଭବନରେ ‘ଆର୍‌-ଆର୍‌-ଆର୍‌’ (୩-ଆର୍‌) (ରିଡ୍ୟୁସ୍‌-ରି ୟୁଜ୍-ରିସାଇକଲ୍) କେନ୍ଦ୍ର ଉଦ୍‌ଘାଟିତ ହୋଇଛି। ସିଏମସି କମିସନର ନିଖିଲ ପୱନ କଲ୍ୟାଣ ଏହି କେନ୍ଦ୍ରକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି। ବିଶେଷକରି ବର୍ଜ୍ୟବସ୍ତୁ ହ୍ରାସ, ପୁନଃ ବ୍ୟବହାର ଓ ପ୍ରକ୍ରିୟାକରଣ କରାଯାଇ ପରିବେଶକୁ ସୁସ୍ଥ ରଖିବା ଏହାର ଉଦ୍ଦେଶ୍ୟ ବୋଲି କମିସନର କହିଛନ୍ତି। ଅବ୍ୟବହୃତ ପୁରୁଣା ପୋଷାକ, ବହିପତ୍ର, କାଗଜ, ଜୋତା, ଚପଲ, କଣ୍ଢେଇ ଓ ଶାଢୀ ଆଦି ଏଣେ ତେଣେ ନ ଫୋପାଡି ଏହି କେନ୍ଦ୍ରରେ ଜମା ଦେବାକୁ ସାଧାରଣ ଜନତାଙ୍କୁ ସେ ନିବେଦନ କରିଛନ୍ତି। ଏହାଫଳରେ ବର୍ଜ୍ୟବସ୍ତୁ ହ୍ରାସ କରାଯିବା ସହ ପୁନଃ ବ୍ୟବହାର ଓ ପ୍ରକ୍ରିୟାକରଣ କରାଯାଇ ଏକ ସୁସ୍ଥ ପରିବେଶ ସୃଷ୍ଟି କରାଯାଇପାରିବ ବୋଲି ଅନ୍ୟତମ ଅତିଥି ସହକାରୀ କମିସନର ତ୍ରିନାଥ ବେହେରା କହିଛନ୍ତି।

ଏହା ଦ୍ବାରା ‘ସ୍ବଚ୍ଛ ଓଡିଶା ସୁସ୍ଥ ଓଡିଶା’ ଗଠନ ସମ୍ଭବ ହୋଇପାରିବ ବୋଲି ସେ କହିଛନ୍ତି।
ଏହି ଅବସରରେ ସହରର ବିଭିନ୍ନ ସ୍ଥାନରୁ ଗୃହିଣୀମାନେ ପହଞ୍ଚି କେନ୍ଦ୍ରରେ ଅବ୍ୟବହୃତ ପୋଷାକ, ଖେଳନା, ଜୋତା, ଚପଲ ଓ ବହିପତ୍ର ଆଦି ଦାନ କରିବା ପରେ ପୁନଃ ବ୍ୟବହାର ପାଇଁ ସେସବୁକୁ ବଣ୍ଟନ କରାଯାଇଥିଲା। ପ୍ରକାଶ ଥାଉକି, ଦେଶବ୍ୟାପି ଚାଲିଥିବା ‘ମେରି ଲାଇଫ ଓ ମେରା ସ୍ବଚ୍ଛ ସହର’ ଅଭିଯାନ ନେଇ ଏହି ଆର-ଆର-ଆର କେନ୍ଦ୍ର(୩-ଆର) ପରୀକ୍ଷାମୂଳକ ଭାବେ ସ୍ଥାନୀୟ ବିକାଶ ଭବନରେ ଆରମ୍ଭ କରାଯାଇଛି। ପରବର୍ତ୍ତୀ ସମୟରେ ସହରର ବିଭିନ୍ନ ସ୍ଥାନରେ ଥିବା ଆହାର କେନ୍ଦ୍ରଗୁଡିକରେ ଏହି ୩-ଆର କେନ୍ଦ୍ର ଖୋଲାଯିବ। ଅନୁକୂଳ ପ୍ରତିକ୍ରିୟା ମିଳିବା ପରେ ସମସ୍ତ ୫୯ଟି ୱାର୍ଡରେ ଏହି କେନ୍ଦ୍ର ଖୋଲାଯିବ ବୋଲି ସହକାରୀ କମିଶନର ଶ୍ରୀ ବେହେରା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର