ଅଂଶୁଘାତ ମୁକାବିଲା ପାଇଁ ସିଏମ୍‌ସିର ଆକ୍ସନ୍‌ ପ୍ଲାନ୍

୩୮ ସ୍ଥାନରେ ପାଣି ଟାଙ୍କି, ୫୪ ସ୍ଥାନରେ ଜଳ ବିତରଣ କେନ୍ଦ୍ର

କଟକ: ଅଂଶୁଘାତ ମୁକାବିଲା ପାଇଁ ସିଏମ୍‌ସି ପକ୍ଷରୁ ସ୍ଥାନୀୟ ବିଜୁ ଭବନରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମେୟର୍‌ ସୁବାସ ସିଂହ ଅଧ୍ୟକ୍ଷତା କରିଥିବା ବେଳେ ସିଏମ୍‌ସି କମିସନର୍‌ ନିଖିଲ୍‌ ପୱନ୍‌ କଲ୍ୟାଣଙ୍କ ସମେତ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ଓ ସିଏମ୍‌ସିର ଅଧିକାରୀମାନେ ଉପସ୍ଥିତ ଥିଲେ। ଆଗାମୀ ଦିନରେ ପ୍ରବଳ ଖରାର ସମ୍ଭାବନାକୁ ଆଖିରେ ରଖି ସତର୍କତା ଅବଲମ୍ବନ ନିତାନ୍ତ ଜରୁରୀ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା। ତୁରନ୍ତ ୨୪ ଘଣ୍ଟିଆ ସେବା ଯୋଗାଇଦେବାକୁ ଏକ କଣ୍ଟ୍ରୋଲ୍‌ ରୁମ୍ ଖୋଲିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ସେହିପରି ସହରରେ ଥିବା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପ୍ରାଥମିକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରଗୁଡିକରେ ପର୍ଯ୍ୟାପ୍ତ ପରିମାଣର ଓଆର୍‌ଏସ୍‌ ପାଉଡର୍‌ ଓ ସାଲାଇନ୍ ମହଜୁଦ ରଖାଯିବ। ଅଂଶୁଘାତ ପୀଡ଼ିତଙ୍କୁ ସହରର ଯେକୈାଣସି ସ୍ଥାନରୁ ଡାକ୍ତରଖାନାରେ ପହଂଚାଇବା ପାଇଁ ପରିବହନ ବ୍ୟବସ୍ଥା କରାଯିବ। ୱାଟ୍‌କୋ ପକ୍ଷରୁ ସହରର ୩୮ଟି ସ୍ଥାନରେ ଅସ୍ଥାୟୀ ଭାବେ ପାନୀୟଜଳ ଟାଙ୍କି ସ୍ଥାପନ କରାଯାଇ ସାଧାରଣ ଲୋକଙ୍କୁ ପାନୀୟଜଳ ବିତରଣ କରାଯିବ ଓ ସେଠାରେ ୱାଟକୋ ପକ୍ଷରୁ ଜଣକୁ ମୁତୟନ କରାଯିବ।

ଅଂଶୁଘାତ ମୁକାବିଲା ଲାଗି ଜନ ସଚେତନତା ସୃଷ୍ଟି ପାଇଁ କଟକ ସହରରେ ଡାକବାଜି ଯନ୍ତ୍ର ସାହାଯ୍ୟରେ ପ୍ରଚାର କରାଯିବ। ସେହିପରି ସହରର ୫୪ଟି ସ୍ଥାନରେ ବିଭିନ୍ନ ବ୍ୟାଙ୍କ ସହାୟତାରେ ପାନୀୟ ଜଳ ବିତରଣ କେନ୍ଦ୍ର ଖୋଲିବା ପ୍ରସ୍ତାବ ରହିଛି ବୋଲି ମେୟର ଶ୍ରୀ ସିଂହ ଗଣମାଧ୍ୟମକୁ କହିଛନ୍ତି। ସତର୍କତାମୂଳକ ପଦକ୍ଷେପ ସ୍ବରୂପ ସାଙ୍ଗରେ ଛତା ଓ ପାଣି ବୋତଲ ରଖିବାକୁ ଜନସାଧାରଣଙ୍କୁ ପରାମର୍ଶ ଦିଆଯିବା ସହ ଅତ୍ୟଧିକ ଖରାରେ ପଦାକୁ ନ ବାହାରିବାକୁ ମଧ୍ୟ କୁହାଯାଇଛି। ସେହିପରି ସତର୍କତାମୂଳକ ପଦକ୍ଷେପ ସ୍ବରୂପ ସହରରେ ଲିଫଲେଟ୍, ପୋଷ୍ଟର ମରାଯାଇ ସଚେତନତା ସୃଷ୍ଟି କରାଯିବ ବୋଲି ସିଏମସି ପକ୍ଷରୁ କୁହାଯାଇଛି। ଅନୁଷ୍ଠିତ ଏହି ବୈଠକରେ ଡେପୁଟି ମେୟର୍‌ ଦମୟନ୍ତୀ ମାଝୀ, ଅତିରିକ୍ତ କମିସନର ଅନାମ ପାତ୍ର, ଡେପୁଟି କମିସନର୍‌ ଅମୀୟ ପଣ୍ତା, ୱାଟ୍‌କୋର ଜେନେରାଲ୍‌ ମ୍ୟାନେଜର୍‌ ଦେବଦତ୍ତ ମହାନ୍ତି, ସିଟି ଇଂଜିନିୟର୍‌ ଅତନୁ ସାମନ୍ତ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଏନ୍‌. ରାଜଲକ୍ଷ୍ମୀ ଓଝା, ସିଏମ୍‌ସି ସ୍ବାସ୍ଥ୍ୟ ଅଧିକାରୀ ଡା. ସତ୍ୟବ୍ରତ ମହାପାତ୍ର, ସିଡିପିଓ ୧ ଓ ୨, ନିର୍ବାହୀଯନ୍ତ୍ରୀ ଦିବ୍ୟରଂଜନ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର