ମାଧବାନନ୍ଦ ପୋଖରୀକୁ ପ୍ରଦୂଷିତ ଜଳ ପ୍ରବେଶକୁ ବିରୋଧ, ହାଇକୋର୍ଟ ନିର୍ଦ୍ଦେଶକୁ ବି ସିଏମ୍‌ସିର ଅଣଦେଖା

କଟକ: ଜଗତପୁର ୪୯ ନଂ ୱାର୍ଡ ଅନ୍ତର୍ଗତ ଇମାମନଗର ସ୍ଥିତ ବୃହତ ଜଳାଶୟ ମାଧବାନନ୍ଦ ପୋଖରୀ ମଧ୍ୟକୁ ଶିଳ୍ପାଞ୍ଚଳ ଓ ବିଭିନ୍ନ କଲୋନି, ସାହିରୁ ନିର୍ଗତ ପ୍ରଦୂଷିତ ଜଳ ପ୍ରବେଶ କରିବା ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି l ଏଠାରେ ସୂଚନା ଯୋଗ୍ୟ ଯେ ଏହି ବୃହତ ଜଳାଶୟ ମଧ୍ୟକୁ ଜଗତପୁର ନୂତନ ଶିଳ୍ପାଞ୍ଚଳ, ବିଭିନ୍ନ ସାହି ଓ ବଜାର ମଧ୍ୟରୁ ପ୍ରଦୂଷିତ ନିର୍ଗତ ଜଳରାଶି ପ୍ରବେଶ କିରିଥାଏ। ଏଥିସହିତ ପାର୍ଶ୍ୱବର୍ତ୍ତୀ କଲୋନିରୁ ସିଏମସି ଦ୍ୱାରା ଡ୍ରେନ କରାଯାଇ ପ୍ରଦୂଷିତ ଜଳକୁ ପ୍ରାୟ ଦୁଇ ବର୍ଷ ହେବ ଶିଶୁ ଉଦ୍ୟାନ ମଧ୍ୟଦେଇ ମାଧବାନନ୍ଦ ପୋଖରୀକୁ ପ୍ରବେଶ କରାଯିବା ଫଳରେ ସମଗ୍ର ଜଳାଶୟ ପ୍ରଦୂଷିତ ହୋଇ ପାର୍ଶ୍ୱବର୍ତ୍ତୀ ସାହି ଓ କଲୋନି ଅଞ୍ଚଳରେ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ସହ ରୋଗ ସଂକ୍ରମଣ ସୃଷ୍ଟି କରିଛି। ଏ ସମ୍ପର୍କରେ ଇମାମନଗର ଗ୍ରାମବାସୀଙ୍କ ପକ୍ଷରୁ ପୋଖରୀ ମଧ୍ୟକୁ ପ୍ରଦୂଷିତ ଜଳ ବନ୍ଦ କରିବା ପାଇଁ ସିଏମସି କମିସନରଙ୍କୁ ଭେଟି ଲିଖିତ ଭାବେ ଦାବିପତ୍ର ପ୍ରଦାନ କରାଯାଇଛି l ଇତିମଧ୍ୟରେ ଲୋକଙ୍କ ଦୀର୍ଘ ଦିନର ଦାବି ଫଳରେ ସରକାରଙ୍କ ଅମୃତ ଯୋଜନାରେ ଉକ୍ତ ଜଳାଶୟ ପୁନରୁଦ୍ଧାର, ଉନ୍ନତିକରଣ ଏବଂ ସୌନ୍ଦର୍ଯ୍ୟକରଣ ନିମନ୍ତେ ୨ କୋଟି ୮୪ ଲକ୍ଷ ଟଙ୍କା ଖର୍ଚ୍ଚ ଅଟକଳରେ ସିଏମସି ପକ୍ଷରୁ ଟେଣ୍ଡର ପ୍ରକ୍ରିୟା ସରି କାର୍ଯ୍ୟ ନିର୍ଦ୍ଦେଶନାମା ଜାରି ହୋଇଛି l କିନ୍ତୁ ବର୍ଷତମାମ ଜଳାଶୟକୁ ନିର୍ଗତ ଜଳ ପ୍ରବେଶ କରୁଥିବାରୁ ଜଳସ୍ତର ହ୍ରାସ ପାଉନାହିଁ ଏବଂ ଆଦ୍ୟାବଧି ଜଳପ୍ରବେଶ କରୁଥିବାରୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାରେ  ବାଧକ ସୃଷ୍ଟି କରୁଛି l

ଏହାର ବିକଳ୍ପ ବ୍ୟବସ୍ଥା ଭାବେ ଉତ୍କଳମଣି ଶିଶୁ ଉଦ୍ୟାନ ଠାରୁ ଖଇରା ଇପିକଲ ଛକ ଦେଇ କେନ୍ଦ୍ରାପଡ଼ା କେନାଲ ମଧୁବାବୁ ସେତୁ ପାର୍ଶ୍ଵ ସାଇଫନ ପର୍ଯ୍ୟନ୍ତ ଡ୍ରେନେଜ ବ୍ୟବସ୍ଥା କରାଗଲେ ଜଳ ନିଷ୍କାସନ ସମସ୍ୟା ସମାଧାନ ହୋଇପାରିବ l ଏହାର ୬ ମାସ ପୂର୍ବରୁ ସ୍ଥାନୀୟ ଲୋକଙ୍କ ଉପସ୍ଥିତିରେ ସ୍ଥାନୀୟ ବିଧାୟକ ସୌଭିକ ବିଶ୍ୱାଳଙ୍କ ସହିତ ସିଏମସି ଯନ୍ତ୍ରୀ ବିଭାଗ, ଡ୍ରେନେଜ ବିଭାଗ, ପୂର୍ତ୍ତ ବିଭାଗ ଏବଂ ଜଳସମ୍ପଦ ବିଭାଗର ଅଧିକାରୀ ମାନେ ଜଳନିଷ୍କାସନ ନିମନ୍ତେ ତଦାରଖ କରି ଫେରିଥିଲେ। କିନ୍ତୁ ସିଏମସି କର୍ତ୍ତୃପକ୍ଷ ଜଳାଶୟ ମଧ୍ୟକୁ ଦୂଷିତ ଜଳ ପ୍ରବେଶ ସମସ୍ୟାର ସମାଧାନ ନକରି ହାଲୁକା ଭାବେ ଗ୍ରହଣ କରିଥିବାରୁ ଜଳାଶୟ ଉନ୍ନତିକରଣ ହୋଇପାରୁନାହିଁ l ଅନ୍ୟପକ୍ଷରେ ଓଡିଶା ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରା ଜଳାଶୟକୁ ପ୍ରଦୂଷିତ ଜଳ ପ୍ରବେଶ ଉପରେ ନିଷେଧାଦେଶ ଥିଲେ ମଧ୍ୟ ଏହାକୁ ସିଏମସି କର୍ତ୍ତୃପକ୍ଷ ଅଣଦେଖା କରିଛନ୍ତି। ଉପରୋକ୍ତ ସମସ୍ୟାର ସମାଧାନ ନିମନ୍ତେ ଯଥାଶୀଘ୍ର ପ୍ରବାହିତ ପ୍ରଦୂଷିତ ଜଳ  ଜଳାଶୟ ମଧ୍ୟକୁ  ବନ୍ଦ କରି ମାଧବାନନ୍ଦ ପୋଖରୀର ଉନ୍ନତିକରଣ ପାଇଁ ସ୍ଥାନୀୟ ଅଞ୍ଚଳବାସୀଙ୍କ ପକ୍ଷରୁ ବରିଷ୍ଠ ନାଗରିକ ଭାଗବତ ସ୍ୱାଇଁ, ଶିବ ପ୍ରଧାନ, ଅଧ୍ୟାପକ ଡମ୍ବରୁ ଧର ସାହୁ, ବଂଶୀଧର ବେହେରା, ଋଷି ବେହେରା, ପ୍ରମୋଦ କୁମାର ମହାନ୍ତି, କେଦାର ନାୟକ, ଦିବ୍ୟାଂଶୁ ମହାନ୍ତି, ଆଇନଜୀବୀ ବିକାଶ ରାଉତରାୟ, ଆଇନଜୀବୀ ଶ୍ରୀନିବାସ ପଣ୍ଡା, ସୁରେନ୍ଦ୍ର ରାଉତ, କରୁଣାକର ରାଉତ, ଅଶୋକ ସାମଲ, ଅଶୋକ ମିଶ୍ର, ଦିବାକର ରାଉଳ ଓ ରବୀନ୍ଦ୍ର ଓଝା  ପ୍ରମୁଖ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର