ସିଏମସିର କମିସନର୍‌ ଭାବେ କାମ କରିବା ବେଳେ କଟକରୁ ଅନେକ କିଛି ଶିଖିଛି: ଅନନ୍ୟା ଦାସ

କଟକ: ସିଏମ୍‌ସିର ପ୍ରଥମ ମହିଳା କମିସନର୍‌ ଅନନ୍ୟା ଦାସ ନିଜର ୩ ବର୍ଷ କାର୍ଯ୍ୟକାଳ ପରେ ସମ୍ବଲପୁର ଜିଲ୍ଲାପାଳ ଭାବେ ବଦଳି ହୋଇଛନ୍ତି। ୨୦୧୯, ଜୁନ୍‌ରେ ସେ କଟକ ମହାନଗର ନିଗମରେ ଯୋଗ ଦେଇଥିଲେ। ୨୦୧୫ ବ୍ୟ‌ାଚ୍‌ ଓ ଗୁଜରାଟ କ୍ୟାଡର ଆଇଏଏସ୍‌ ଅଫିସର ଅନନ୍ୟା ଦାସ ପ୍ରଥମେ କେନ୍ଦ୍ର ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଅଧୀନରେ ସହକାରୀ ସଚିବ ଭାବେ କାର୍ଯ୍ୟ କରିଥିଲେ। ଓଡ଼ିଶାରେ ପ୍ରଥମେ କୋରାପୁଟ ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ଅଧିକାରୀ ଭାବେ କାମ ଆରମ୍ଭ କରି ବିଏମ୍‌ସିରେ ସହକାରୀ କମିସନର୍ ଭାବେ ଯୋଗ ଦେଇଥିଲେ। ଏହାପରେ ସେ ସିଏମ୍‌ସି କମିସନର ଭାବେ କାର୍ଯ୍ୟ କରିଥିଲେ। କଟକ ଉନ୍ନୟନ କର୍ତ୍ତୃପକ୍ଷ (ସିଡିଏ)ର ସଚିବ ଓ ଜାଇକାର ପ୍ରକଳ୍ପ ନିର୍ଦ୍ଦେଶକ ଭଳି ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ମଧ୍ୟ ସେ ତୁଲାଇ ଆସୁଥିଲେ।

ସିଏମ୍‌ସିରେ ୩ ବର୍ଷର ଅନୁଭବ କିପରି ରହିଲା?
କଟକ ମହାନଗରରେ ଯୋଗ ଦେବାପରେ ଅନେକ କିଛି ଏଠାରୁ ଶିଖିଛି। ଏହି ସମୟରେ ସହରର ରୂପ ବଦଳାଇବା ପାଇଁ ଅନେକ ବଡ ବଡ ପ୍ରକଳ୍ପ କାମ ଆରମ୍ଭ ହୋଇଥିଲା। ସେଥିମଧ୍ୟରେ ଏସ୍‌ସିବି ଏମ୍‌ସ ପ୍ଲସ୍‌, ତାଳଦଣ୍ଡା କେନାଲର ସଂପ୍ରସାରଣ, ନେତାଜୀ ବସ୍‌ ଟର୍ମିନାଲ, ମହାନଦୀ ପାର୍ଶ୍ବ ଉନ୍ନତିକରଣ ପରି ଅନେକ ପ୍ରକଳ୍ପ ରହିଛି। ଏହି ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ କଟକକୁ ଅଧିକ ଗୁରୁତ୍ବ ଦିଆଯାଇ ବିଭିନ୍ନ ପ୍ରକଳ୍ପ ଆରମ୍ଭ ହୋଇଛି।

ବସ୍ତି ଉଚ୍ଛେଦ ଯୋଜନା ପଛରେ କି ରଣନୀତି ଥିଲା?
ମୋ ସମୟରେ ସହରରୁ ୧୫ରୁ ଅଧିକ ବସ୍ତିକୁ ସହର ବାହାରକୁ ପଠାଯାଇଛି। ୩ ହଜାର ବସ୍ତିବାସିନ୍ଦାଙ୍କୁ ଥଇଥାନ କରିବା ପାଇଁ ବହୁ ଯୋଜନା ହୋଇଥିଲା। ବସ୍ତି ଉଚ୍ଛେଦ ପୂର୍ବରୁ ବସ୍ତିବାସିନ୍ଦାଙ୍କ ସହିତ ଏକାଧିକ ବୈଠକ କରାଯାଉଥିଲା। ଉଚ୍ଛେଦ ପରେ ସରକାରଙ୍କ ପକ୍ଷରୁ ସେମାନଙ୍କୁ ମିଳିବାକୁ ଥିବା ବିଭିନ୍ନ ସୁବିଧା ସଂପର୍କରେ ସେମାନଙ୍କୁ ବୁଝାଯାଇ ଦିଆଯାଉଥିବା ପ୍ରତିଶ୍ରୁତିକୁ କାର୍ଯ୍ୟକାରୀ କରାଯାଉଥିଲା। ସରକାରୀ ଅଧିକାରୀଙ୍କ ଉପରେ ବସ୍ତିବାସିନ୍ଦାଙ୍କ ବିଶ୍ବାସ ଆସିବା ପରେ ଏହା ଆମ ପାଇଁ ବହୁତ ସହଜ ହୋଇଥିଲା।

କଟକ ସହରବାସୀଙ୍କ ବିଷୟରେ କ’ଣ କହିବେ?
କଟକ ଓ ଏହାର ବାସିନ୍ଦାଙ୍କୁ ବୁଝିବାକୁ ହେଲେ ଏ ସହରକୁ ଆସିବାକୁ ପଡିବ। ସିଏମ୍‌ସିରେ କାମ କରିବାକୁ ହେଲେ ପ୍ରଥମେ କଟକର ସାହିବସ୍ତିର କମିଟି ଓ ମୁରବିଙ୍କୁ ଜାଣିବାକୁ ହେବ। ଏଠାରେ ବିଭିନ୍ନ ବର୍ଗର ଲୋକ ଅଛନ୍ତି। ସମସ୍ତଙ୍କୁ ସାଙ୍ଗରେ ନେଇ ୩ ବର୍ଷ ମଧ୍ୟରେ କାମ କରିବାରେ ମୋ ପାଇଁ କୌଣସି ଅସୁବିଧା ହୋଇ ନାହିଁ।

 

୨ ବର୍ଷର କୋଭିଡ୍‌ ମହାମାରୀ ପରିଚାଳନା କିପରି ଥିଲା?
କୋଭିଡ୍‌ ମହାମାରୀରୁ ସାରା ବିଶ୍ବ ଅନେକ କିଛି ଶିଖିଛି। ଏହି ସମୟ ମଧ୍ୟରେ ସମସ୍ତେ ହତାଶ ଓ ଆଶଙ୍କା ମଧ୍ୟରେ ଥିଲେ। ହସ୍ପିଟାଲ ଓ କୋଭିଡ୍‌ କେୟାର ସେଣ୍ଟର ଗୋଟିଏ ଗୋଟିଏ ବେଡ୍‌ ପାଇଁ ଆମକୁ ଠିକ ଭାବେ ଯୋଜନା କରିବାକୁ ପଡୁଥିଲା। ସାଧାରଣ ଲୋକଙ୍କୁ କୋଭିଡ ନିୟମରେ ଶୃଙ୍ଖଳିତ କରିବାକୁ ପ୍ରଥମରେ ଅନେକ ସମସ୍ୟା ହୋଇଥିଲା। ମାତ୍ର କଟକବାସୀ ଏହାକୁ ଶିଘ୍ର ବୁଝିବା ସହିତ ଏହାକୁ ପାଳନ କରିଥିଲେ। ସେ ସମୟରେ କେଉଁ ଠାରୁ ଡାକ୍ତର, ସ୍ବାସ୍ଥ୍ୟ କର୍ମୀ ଓ ଅକ୍ସିଜେନ୍‌ ଆସି‌ବ, ସହରର କେଉଁଠାରେ ସିସିସି ହେବ ଏହାକୁ ନେଇ ପ୍ରଶାସନିକ ଅଧିକାରୀ ଭାବେ ମୋ ପାଇଁ ଏକ ଚାଲେଞ୍ଜ୍ ଥିଲା।

ନିଗମର ଅଧିକାରୀ ଓ କର୍ମଚାରୀଙ୍କ ସହଯୋଗ ମିଳିଥିଲା?
ସିଏମ୍‌ସିର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ଠାରୁ ବହୁତ ସହଯୋଗ ପାଇଛି। ସେମାନଙ୍କ ପାଇଁ କୋଭିଡ୍‌ ପରି ମହାମାରୀର ସୁପରିଚାଳନା ସିଏମ୍‌ସି କରିପାରିଲା। ସହରରେ ଆରମ୍ଭ ହୋଇଥିବା ବିଭିନ୍ନ ପ୍ରକଳ୍ପ ପାଇଁ ସିଏମ୍‌ସିର ଅଧିକାରୀ ମୋତେ ସବୁ ସମୟରେ ସହଯୋଗର ହାତ ବଢାଇ ଥିଲେ। ସେମାନଙ୍କ ସମସ୍ତ ସହଯୋଗ ଓ ସାହାଯ୍ୟ ପାଇଁ ସେମାନଙ୍କୁ ଅନ୍ତରରୁ ଧନ୍ୟବାଦ ଜଣାଉଛି।

କଟକରେ କେଉଁ ବିଷୟ ମନେ ରହିବ?
ସିଏମ୍‌ସିରେ କାମ କରିବା ସମୟରେ ସାଧାରଣ ଲୋକଙ୍କ ସହିତ କିପରି ବିଭିନ୍ନ ବିଷୟକୁ ନେଇ ଆଲୋଚନା କରାଯିବ ତାହା ସବୁ ସମୟ ପାଇଁ ମନେ ରହିବ। ସହରରେ ବଡ ବଡ ପ୍ରକଳ୍ପ କାମ ପାଇଁ କଟକର ବହୁ ସାହିବସ୍ତିର ଲୋକଙ୍କ ସହିତ ବିଭିନ୍ନ ବିଷୟକୁ ନେଇ ଆଲୋଚନା କରାଯାଉଥିଲା। ପ୍ରଶାସନିକ ଅଧିକାରୀ ଭାବେ ଲୋକଙ୍କ ସହିତ କିପରି ଆଲୋଚନା କରାଯିବ ତାହା ମୁଁ ଶିଖିଛି। ଏହି ଅଭିଜ୍ଞତା ମୋତେ ଆଗକୁ କାମ କରିବାରେ ବିଶେଷ ସହାୟକ ହେବ। କଟକରେ କାମ କରିବା ମୋ ପାଇଁ ଏକ ଫଳପ୍ରଦ ସମୟ ବୋଲି କହିବି।

 

ସମ୍ବନ୍ଧିତ ଖବର