ସହର ସମସ୍ୟା: ସବୁ ଆଡ଼େ ଖୋଲାମେଲା; ସିଏମସି ଅଭିଯୋଗ ପ୍ରକୋଷ୍ଠରେ ତାଲା

ଟୁଇଟର ଓ ଫୋନ୍‌ରେ ଆସୁଛି କାଁଭାଁ ଅଭିଯୋଗ

କଟକ: ମହାନଗର ନିଗମ ଅଞ୍ଚଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁ ଥିବା ବେଳେ ଏବେ ନିଗମ ପକ୍ଷରୁ ପାର୍କ, ହୋଟେଲ, ଜିମ୍‌ ଆଦିକୁ ଖୋଲି ଦିଆଯାଇଛି। ମାତ୍ର ସାଧାରଣ ଲୋକଙ୍କ ଅଭିଯୋଗ ଶୁଣିବାକୁ ଥିବା ସିଏମସିର ଅଭିଯୋଗ ପ୍ରକୋଷ୍ଠ ଆଜି ଯାଏ ଖୋଲିଲା ନାହିଁ। ସହରରେ ସବୁ କାର୍ଯ୍ୟାଳୟ ଗୁଡିକୁ ସାଧାରଣ ଲୋକଙ୍କ ପାଇଁ ଖୋଲି ଦିଆଯାଇ ଥିବା ବେଳେ ସିଏମସି କେବେ ତାର ଅଭିଯୋଗ ପ୍ରକୋଷ୍ଠ ଖୋଲିବ ଏହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି। କରୋନା ପାଇଁ ଅଭିଯୋଗ ଶୁଣିବାକୁ କେବଳ ସିଏମସିର କଣ୍ଟ୍ରୋଲ ରୁମର ଫୋନ ନମ୍ବର କିମ୍ବା ଟୁଇଟର ଆକାଉଣ୍ଟକୁ ବ୍ୟବହାର କରିବାକୁ କୁହାଯାଇଛି। ଏଥିରେ ସହରର ଲୋକେ ସେମାନଙ୍କ ବିଭିନ୍ନ ସମସ୍ୟାକୁ ଠିକ ଭାବେ ଉପସ୍ଥାପନା କରିପାରୁ ନାହାନ୍ତି, କେବଳ ଲାଇଟ ମରାମତି ଓ ‌ଡ୍ରେନ ‌ସଫେଇ ଅଭିଯୋଗ କରିବା ପାଇଁ ଏହାର ଅଧିକ ବ୍ୟବହାର ହେଉଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କଟକ ମହାନଗର ନିଗମ ପକ୍ଷରୁ ଗତ ମାର୍ଚ୍ଚରୁ ଅଭିଯୋଗ ପ୍ରକୋଷ୍ଠକୁ ବନ୍ଦ ରଖାଯାଇଛି।

ପ୍ରଥମେ ମାର୍ଚ୍ଚ ୨୦ରୁ ଏପ୍ରିଲ ୨ ତାରିଖ ପାର୍ଯ୍ୟନ୍ତ ସିଏମସି କାର୍ଯ୍ୟାଳୟକୁ ସାଧାରଣ ଲୋକଙ୍କ ଆସିବା ଉପରେ କଟକଣା ଲଗାଯାଇଥିଲା। ପରେ ସଂକ୍ରମଣର ସ୍ଥିତିକୁ ଦେଖି କାର୍ଯ୍ୟାଳୟକୁ ସାଧାରଣ ଲୋକଙ୍କ ଆସିବା ଓ ନ ଆସିବା ଉପରେ ବିଭିନ୍ନ ସମୟରେ କଟକଣା ଲଗାଯାଇଥିଲା। ଗତ ଅକ୍ଟୋବର ୨ ତାରିଖରୁ ସିଏମସିର ବିଭିନ୍ନ ବିଭାଗକୁ ସାଧାରଣ ଲୋକଙ୍କ ଆସିବା ଉପରେ ଥିବା କଟକଣାକୁ ଉଠାଇ ଦିଆଯାଇଛି। ମାତ୍ର ସହରର ଲୋକଙ୍କ ପାଇଁ ସିଏମସିର ଅଭିଯୋଗ ପ୍ରକୋଷ୍ଠକୁ ମାର୍ଚ୍ଚରୁ ବନ୍ଦ ରଖାଯାଇଛି। ସାଧାରଣ ଲୋକେ ସେମାନଙ୍କ ଅଭିଯୋଗକୁ ସିଏମସିର ଟୁଇଟର ଆକାଉଣ୍ଟ କିମ୍ବା କ‌େଣ୍ଟ୍ରାଲ ରୁମ ଫୋନ୍‌ ମାଧ୍ୟମରେ କରିବାକୁ କୁହାଯାଇଛି। ହେଲେ ସହରର ମାତ୍ର ୫ ପ୍ରତିଶତ ଲୋକଙ୍କ ଟୁଇଟର ଆକାଉଣ୍ଟ ଥିବା ବେଳେ ଖୁବ୍ କମ ଲୋକଙ୍କ ନିକଟରେ କଣ୍ଟ୍ରୋଲ ରୁମ୍‌ ଫୋନ ନମ୍ବର ରହିଛି। ଅନ୍ୟପଟେ ସାଧାରଣ ଲୋ‌େକ ତାଙ୍କର ଅଭିଯୋଗକୁ ଏହି ଦୁଇଟି ମାଧ୍ୟମରେ କରିବା ପାଇଁ ନାନା ସମସ୍ୟାର ସମ୍ମୁଖିନ ହେଉଛନ୍ତି। ସିଏମସିରେ କରୋନା ପୂର୍ବରୁ ପ୍ରତି ସୋମବାର ସକାଳ ୧୧ଟାରୁ ଅପରାହ୍ନ ୨ଟା ମଧ୍ୟରେ ଅଭିଯୋଗ ପ୍ରକୋଷ୍ଠ ଖୋଲା ଯାଉଥିଲା।

ଏଥିରେ ପ୍ରତି ସପ୍ତାହରେ ୫୦ରୁ ଅଧିକ ଅଭିଯୋଗ ଆସୁଥିଲା। ମାତ୍ର ଏବେ ଫୋନ ମାଧ୍ୟମରେ ଦିନକୁ ୨ରୁ ୩ଟି ଅଭିଯୋଗ ଆସୁଥିବା ବେଳେ ଟୁଇଟର ଆକାଉଣ୍ଟରେ ମାସକୁ ଅତି ବେଶିରେ ୫ରୁ ୧୦ଟି ଅଭିଯୋଗ ଆସୁଛି। ଅନ୍ୟପଟେ ଅନ୍‌ ଲାଇନ୍‌ରେ କେବଳ ଡ୍ରେନ ‌ସଫେଇ ଓ ଲାଇଟକୁ ନେଇ ଅଭିଯୋଗ ଆସୁଥିବା ବେଳେ ଅନ୍ୟ ସମସ୍ୟାକୁ ନେଇ ଲୋକେ ଠିକ ଭାବେ ଅଭିଯୋଗ କରିପାରୁ ନାହାନ୍ତି। ଏଥିରେ ଲୋକଙ୍କ ଅନେକ ସମସ୍ୟାର ସମାଧାନ ହୋଇପାରୁ ନଥିବା ଅଭିଯୋଗ ହୋଇଛି। ସରକାରଙ୍କ ନିର୍ଦ୍ଦେଶକ୍ରମେ ଅଭିଯୋଗ ପ୍ରକୋଷ୍ଠକୁ ବନ୍ଦ ରଖାଯାଇଛି। ରାଜ୍ୟ ସରକାର ଯେବେ ଅନୁମତି ଦେବେ ସେବେ ଏହାକୁ ସାଧାରଣ ଲୋକଙ୍କ ପାଇଁ ଖୋଲାଯିବ ବୋଲି ସିଏମସି କମିସନର ଅନନ୍ୟା ଦାସ କହିଛନ୍ତି।

ସମ୍ବନ୍ଧିତ ଖବର