ସିଏମ୍‌ସି କାଉନ୍‌ସିଲ୍‌ ବୈଠକ, କର୍ପୋରେଟର୍‌ଙ୍କ ଦାବି: ୱାର୍ଡ ବୁଲିବା ବେଳେ କର୍ପୋରେଟର୍‌ଙ୍କୁ ସାଙ୍ଗରେ ନିଅନ୍ତୁ କମିସନର୍‌

ଯୋଗ ଦେଲେ ବିଧାୟକ ମୋକିମ୍, ମାସକୁ ୩/୪ଥର ବୈଠକ କରିବାକୁ ପ୍ରସ୍ତାବ

କଟକ: କଟକ ପୌର ନିଗମର ବିଭିନ୍ନ ୱାର୍ଡର ସମସ୍ୟା ଦେଖିବା ପାଇଁ କମିସନର ଯାଉଥିବା ବେଳେ ସ୍ଥାନୀୟ କର୍ପୋରେଟରଙ୍କୁ ସାଙ୍ଗରେ ନିଅନ୍ତୁ। କଟକ ପୌର ନିଗମ କାଉନସିଲ୍ ବୈଠକରେ ଆଜି ଏଭଳି ଦାବି କରିଛନ୍ତି କର୍ପୋରେଟର ସନ୍ତୋଷ କୁମାର ଭୋଳ, ଦୀପକ କୁମାର ଦାସ, ସୁଭାଶିଷ କୁମାର ପଟ୍ଟନାୟକ ପ୍ରମୁଖ। ସେମାନଙ୍କ ଅଭିଯୋଗ ଅନୁଯାୟୀ ନିଗମର ଇଂଜିନୟରଙ୍କୁ ଧରି କମିସନର ୱାର୍ଡର ବିଭିନ୍ନ କାମ ଦେଖିବାକୁ ଆସୁଥିବା ବେଳେ ସ୍ଥାନୀୟ କର୍ପୋରେଟରଙ୍କୁ ଏଥିରେ ସାମିଲ କରାଯାଉ ନଥିବାରୁ କାମର ପ୍ରକୃତ ସ୍ଥିତି ଓ ସମସ୍ୟା ବିଷୟରେ କମିସନର ଜାଣି ପାରୁ ନାହାନ୍ତି। ତେଣୁ ଆଗାମୀ ଦିନରେ କମିସନର ୱାର୍ଡକୁ ଯିବା ସମୟରେ ସ୍ଥାନୀୟ କର୍ପୋରେଟରଙ୍କୁ ସାଙ୍ଗରେ ନେବାକୁ ସେମାନେ ଦାବି କରିଛନ୍ତି। ସେହପରି ୫୯ଟି ୱାର୍ଡରେ ଆବଶ୍ୟକ ଥିବା ସ୍ଲାବ୍‌କୁ ସେଣ୍ଟ୍ରାଲାଇଜ୍‌ କରିବାକୁ ପ୍ରସ୍ତାବ ରଖାଯାଇଥିବା ବେଳେ ଏ‌ହାକୁ ଅନେକ କର୍ପୋରେଟର ବିରୋଧ କରିଛନ୍ତି। ଯେଉଁ ୱାର୍ଡରେ ଯେତିକି ସ୍ଲାବ୍‌ର ଆବଶ୍ୟକତା ରହିଛି ତାହାକୁ ନିର୍ମାଣ କରିବାର ଦାୟିତ୍ବ ଉକ୍ତ ୱାର୍ଡର କର୍ପୋରେଟରଙ୍କୁ ଦେବାକୁ ବୈଠକରେ ଦାବି ହୋଇଛି। ଗତ ତିନି ବର୍ଷ ଧରି କାଉନସିଲ୍‌ ନଥିବା ବେଳେ ସେଣ୍ଟ୍ରାଲାଇଜ୍‌ ବ୍ୟବସ୍ଥାରେ ‌ସହରର କେଉଁ ସ୍ଥାନରେ କେତେ ସ୍ଲାବ୍‌ ବସିଥିଲା, ତାହାର ହିସାବ ଦେବାକୁ କର୍ପୋରେଟର ମାନେ ଅଧିକାରୀଙ୍କ ନିକଟରେ ଦାବି ରଖିଛନ୍ତି। ଆଜି ବିଜୁ ଭବନ ସମ୍ମିଳନୀ କକ୍ଷରେ ମେୟର ସୁବାସ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏଭଳି ବିଭିନ୍ନ ପ୍ରସଙ୍ଗକୁ ନେଇ ପ୍ରବଳ ହଟ୍ଟଗୋଳ ହୋଇଥିଲା। ଅନ୍ୟପଟେ ଆଜି ପ୍ରଥମ କରି କାଉନସିଲ୍‌ ଗଠନ ହେବା ପରେ ନିଗମର ସାଧରଣ ବୈଠକରେ ବାରବାଟୀ-କଟକ ବିଧାୟକ ଇଂ. ମହମ୍ମଦ ମୋକିମ ଯୋଗ ଦେଇଥିଲେ। କାଉନ୍‌ସିଲ ବୈଠକ ଗୋଟିଏ ଦିନ ପାଇଁ ବସୁଥିବାରୁ ଏଥି‌େର ସବୁ କର୍ପୋରେଟର ସେମାନଙ୍କ ସମସ୍ୟାକୁ ରଖିବା ପାଇଁ ସମୟ ପାଉ ନାହାନ୍ତି। ଏଥିପାଇଁ ଆସନ୍ତା ଦିନରେ କାଉନ୍‌ସିଲକୁ ୩ରୁ ୪ ଦିନ କରିବା ପାଇଁ ବିଧାୟକ ମୋକିମ ପ୍ରସ୍ତାବ ରଖିଛନ୍ତି। ଦଶହରା ୨ ମାସ ଥିବା ବେଳେ ଏହା ମଧ୍ୟରେ ସହରର ରାସ୍ତା, ପରିମଳ, ଜଳବନ୍ଦୀ ପରି ସମସ୍ୟାର ସମାଧାନ ସହ ନିଗମର ରାଜସ୍ବ ବୃଦ୍ଧି ପାଇଁ ବିଶେଷ ପଦକ୍ଷେପ ନେବାକୁ ବୈଠକରେ ବିଧାୟକ ନିଜର ମତ ରଖିଥିଲେ।

ବୈଠକରେ ପୌର ନିଗମର ପରିମଳ ଟେଣ୍ଡରକୁ ନେଇ ଗତ କାଉନସିଲ୍‌ରେ ହୋଇଥିବା ନିଷ୍ପତ୍ତିକୁ ଚଳିତ କାଉନ୍‌ସିଲରେ ପରିବର୍ତ୍ତନ କରାଯାଇ ଥିବାରୁ ଏହାକୁ ବିଜେଡି ଓ କଂଗ୍ରେସ କର୍ପୋରେଟରଙ୍କ ପକ୍ଷରୁ ବିରୋଧ କରାଯାଇଛି। ଆଜିର ବୈଠକରେ ନିଗମର ୩ ଓ ୪ ନଂ ଜୋନ୍‌ ପରିମଳ ଦାୟିତ୍ବ ମଂଜୁଶ୍ରୀ ସର୍ଭିସକୁ ଦଆଯାଇଥିଲା। କୋର୍ଟ ଯଦି ମଂଜୁଶ୍ରୀକୁ ଦୋଷୀ ବୋଲି ଘୋଷଣା କରିବେ ତେବେ ଉକ୍ତ ସଂସ୍ଥାକୁ ମିଳିଥିବା ଅନୁମତିକୁ ରଦ୍ଦ କରାଯିବ ବୋଲି କର୍ତ୍ତୃପକ୍ଷ କହିଛନ୍ତି। କିନ୍ତୁ ୩ ସପ୍ତାହ ପରେ କୋର୍ଟଙ୍କ ରାୟ ଆସିବା ପରେ ଏହା ଉପରେ ନିଷ୍ପତ୍ତି ନେବାକୁ ବିଜେଡି କର୍ପୋରେଟର ପ୍ରଦୀପ୍ତ କୁମାର ଖୁଣ୍ଟିଆ ଓ କର୍ପୋରେଟର ପ୍ରଳୟା ବେଉରା, କଂଗ୍ରେସ କର୍ପୋରେଟର ଲିଜାରାଣୀ ରାଉତ ଓ କେ. କାମେଶ୍ବର ରାଓ ଦାବି କରିଥିଲେ। ଗତ କାଉନ୍‌ସିଲରେ କୋର୍ଟର ରାୟ ପରେ ମଂଜୁଶ୍ରୀକୁ ଅନୁମତି ଦେବାକୁ କହୁଥିବା ବିଜେପିର କର୍ପୋରେଟର ଆଜି କିନ୍ତୁ ସେମାନଙ୍କ ମତ ବଦଳାଇ ଦେଇଛନ୍ତି। ମଂଜୁଶ୍ରୀକୁ ଅନୁମତି ପ୍ରଦାନ କରାଯାଉ ଓ ଯଦି କୋର୍ଟରେ ସଂସ୍ଥା ଦୋଷୀ ବୋଲି ଜଣା ପଡେ ତେବେ ତାହାର ଅନୁମତିକୁ କାଟି ଦେବାକୁ ବିଜେପିର କର୍ପୋରେଟର ଗଗନ ଓଝା ଓ ଦୀପକ କୁମାର ଦାସ କହିଛନ୍ତି। ସହରର ଆଲୋକ ସମସ୍ୟାକୁ ନେଇ ନିଗମର ଇଂଜିନିୟରଙ୍କୁ ମଧ୍ୟ କର୍ପୋରେଟରମାନେ ଆଜିର ବୈଠକରେ ଘେରିଛନ୍ତି। ଏଲ୍‌ଇଡି ଲାଇଟ୍‌ର ମରାମତି ପାଇଁ ପ୍ରତି ୮ଟି ୱାର୍ଡ ପାଇଁ ଜଣେ ‌େଟକ୍ନିସିଆନ୍‌ ଥିବାରୁ କାମ ହୋଇ ପାରୁନଥିବା ଅଭିଯୋଗ ହୋଇଛି। ପୂର୍ବରୁ ସହରରରେ ୧୭ ହଜାର ବିଦ୍ୟୁତ ଲାଇଟ୍‌ର ରକ୍ଷଣାବେକ୍ଷଣ ପାଇଁ ୧୬ଟି ଟିମ୍‌ ଥିବା ବେଳେ ଏବେ ୪୩ ହଜାର ଲାଇଟ୍‌ ପାଇଁ ମାତ୍ର ୮ଟି ଟିମ୍‌ ରହିଛି। ଏଭଳି ସ୍ଥିତିରେ ଅଧିକ ସଂଖ୍ୟାରେ କର୍ମଚାରୀ ନିବ୍‌ ସଂସ୍ଥା ପକ୍ଷରୁ ରଖିବାକୁ ବୈଠକରେ ଦାବି ହୋଇଛି। ଆସନ୍ତା ଦିନରେ ନିବ୍‌ ପକ୍ଷରୁ ଏହା ଉପରେ କାମ କରାନଗଲେ କୋର୍ଟର ଆଶ୍ରୟ ନିଆଯିବ ବୋଲି କର୍ପୋରେଟର ବିକାଶ ରଂଜନ ବେହେରା ଚେତାବନୀ ଦେଇଛନ୍ତି। ବୈଠକରେ ପିଇବା ପାଣି ସମସ୍ୟାକୁ ନେଇ କର୍ପୋରେଟରମାନେ ୱାଟ୍‌କୋ ଅଧିକାରୀଙ୍କୁ ଘେରିଥିଲେ। ବିଶେଷ ଭାବେ ଅପରାହ୍ନ ସମୟରେ ପିଇବା ପାଣି ଯୋଗଣରେ ବିଭାଗ ପକ୍ଷରୁ ବହୁ ଅନିୟମତତା ହେଉଥିବାର ଅଭିଯୋଗ ଆଣିଥିଲେ। ଏହା ସହ ଅମୃତ ପାଇପ ବିଛା କାମ ‌େଶଷ ‌ପରେ ରାସ୍ତା କାମ କରିବା ସହ ବିଭିନ୍ନ ୱାସ୍‌ଆଉଟ୍‌ ପଏଣ୍ଟକୁ ସଫା କରିବାକୁ ବହୁ କର୍ପୋରେଟରଙ୍କ ପକ୍ଷରୁ ୱାଟ୍‌କୋ ନିକଟରେ ଦାବି ରଖାଯାଇଛି।

ଆଜିର ସଭାରେ ବିଭିନ୍ନ ୱାର୍ଡରେ ଥିବା ବୃଦ୍ଧା ଲୋକଙ୍କୁ ଘରେ ଭତ୍ତା ଦେବା, ମୃତ୍ୟୁ ବରଣ କରିଥିବା ଡିଲରଙ୍କ ସ୍ଥାନରେ ନୂଆ ଡିଲରଙ୍କୁ ଦେବା, ରାସନ୍‌ କାର୍ଡ ସଂଶୋଧନ, ବିଭିନ୍ନ ୱାର୍ଡରେ ସିଓଙ୍କ ପରିବର୍ତ୍ତନ କରିବା, ଜାଗାମିସନ ଅଧିନରେ ବିଭିନ୍ନ ବସ୍ତିରେ ଚାଲୁଥିବା କାମକୁ ଶେଷ କରିବା, ନିଗମର ଅଚଳ ବ୍ୟାଙ୍କ ଆକାଉଣ୍ଟ ଗୁଡିକୁ ବନ୍ଦ କରିବା, ପୁରୁଣା ସରକାରୀ ଓ ଘରୋଇ ଗୃହକୁ ଅନ୍‌ସେଫ୍‌‌ ଘୋଷଣା କରିବା ସହ ସେଗୁଡିକୁ ଭାଙ୍ଗିବା, ନିଗମର ଏନାମାରଙ୍କ ୱାର୍କଚାର୍ଜ କରିବା ବିଷୟ ଉପରେ ଆଲୋଚନା ହୋଇଥିଲା। ସ୍ବାୟତ୍ତ ଶାସନ ଦିବସ ଅବସରରେ ସହରର ୨୦ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରିବା ସହ ୧୨୦ଜଣ କର୍ମଚାରୀଙ୍କୁ ଏଥିରେ ସମ୍ମାନିତ କରାଯିବ ବୋଲି ‌କୁହାଯାଇଛି। ବୈଠକରେ ‌ଚୌଦ୍ବାର-କଟକ ବିଧାୟକଙ୍କ ପ୍ରତିନିଧି ରମାକାନ୍ତ ଲେଙ୍କା ସହରର ପ୍ରେସଛକ ଠାରେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ପୁଣି ସ୍ଥାପନ କରିବା ସହ ନିଗମର ବିଭିନ୍ନ ସ୍ଥାନରେ ଥିବା ବିଶିଷ୍ଟ ବ୍ୟକ୍ତିଙ୍କ ପ୍ରତିମୂର୍ତ୍ତିକୁ ମରାମତି କରିବାକୁ ପ୍ରସ୍ତାବ ରଖିଛନ୍ତି। ସଭା ଆରମ୍ଭରେ ବିଶିଷ୍ଟ ଶ୍ରମିକ ନେତା ତଥା ପୌର ନିଗମ କର୍ମଚାରୀ ସଂଘର ସଭାପତି ତଥା ପୂର୍ବତନ ବିଧାୟକ ରାଜେନ୍ଦ୍ର ପ୍ରସାଦ ସିଂହଙ୍କ ବିୟୋଗରେ ନିରବ ପ୍ରାର୍ଥନା ହୋଇଥିଲା। ସଭାରେ ସିଏମସି କମିସନର ନିଖିଲ ପୱନ କଲ୍ୟାଣ, ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ସତ୍ୟବ୍ରତ ମହାପାତ୍ର, ସିଟି ଇଂଜିନିୟର ସୁବାରାଓ ପାତ୍ର, କର୍ପୋରେଟର୍‌ ପ୍ରଦୀପ କୁମାର ସାହୁଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ। ଡେପୁଟି ମେୟର ଦମୟନ୍ତୀ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର