କଟକ: କାଉନ୍ସିଲ୍ ଗଠନର ଏକବର୍ଷ ମଧ୍ୟରେ ବିରୋଧୀ କର୍ପୋରେଟର୍ଙ୍କୁ ମେୟର୍ ଓ ଅଧିକାରୀମାନେ ବିରୋଧୀ ଭାବେ ବ୍ୟବହାର କରିଛନ୍ତି। ବର୍ଷକ ମଧ୍ୟରେ ପୌର ନିଗମରେ ମଶାତେଲ ଦୁର୍ନୀତିରୁ ଆରମ୍ଭ କରି ବାଲିଯାତ୍ରା କାମରେ ମହାଦୁର୍ନୀତି ପରି ଘଟଣା ଦେଖିବାକୁ ମିଲିଛି ବୋଲି କର୍ପୋରେଟର୍ଙ୍କ ପକ୍ଷରୁ ଅଭିଯୋଗ ହୋଇଛି।
ଇଂଜିନିୟରିଂ ବିଭାଗ କାମକୁ ନେଇ କ୍ଷୋଭ ରହିଛି
କାଉନ୍ସିଲ୍ ଗଠନ ହେବାର ବର୍ଷକ ମଧ୍ୟରେ ପୌର ନିଗମର ବିଭିନ୍ନ ବିଭାଗ ସମ୍ପର୍କରେ ଅନେକ କିଛି ଶିଖିବାକୁ ମିଳିଛି। ୱାର୍ଡର ଉନ୍ନତି ପାଇଁ ୱାର୍ଡ ବାସିନ୍ଦା ସବୁ କାମରେ ସହଯୋଗ କରି ଆସୁଛନ୍ତି। ଦଶହରା ସମୟରେ ୱାର୍ଡର ‘ଏ’ ବ୍ଲକ୍ ଓ ‘ବି’ ବ୍ଲକ୍ରେ ୬ଲକ୍ଷ ଟଙ୍କାରେ ୪ଟି ରାସ୍ତାର ମରାମତି କରାଯାଇଛି। ୨୦୨୧-୨୨ ବର୍ଷରେ ଯୋଜନା ହୋଇଥିବା ଏକ ମିସନ୍ ଶକ୍ତି ଗୃହର ନିର୍ମାଣ କାମ ଚାଲିଛି। ୱାର୍ଡର ପ୍ରୋଜେକ୍ଟ ପ୍ରାଇମେରି ସ୍କୁଲ ମଧ୍ୟରେ ଏକ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ହୋଇଛି। ବିଭିନ୍ନ ସ୍ଥାନରେ ୮ଟି ରାସ୍ତାର ନିର୍ମାଣ କାମ ଚାଲିଛି। ସିଡିଏ ସେକ୍ଟର୍-୭ସ୍ଥିତ ଡ୍ରାଇଭିଂ ସ୍କୁଲ ନିକଟରେ ଏକ ଓପନ୍ ଜିମ୍ ନିର୍ମାଣ କରାଯାଇଛି। ସେକ୍ଟର୍-୭ରେ ନୂଆ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ଟେଣ୍ଡର୍ ହୋଇଥିବା ବେଳେ ଖୁବ୍ ଶୀଘ୍ର ଏକ କମ୍ୟୁନିଟି ସେଣ୍ଟର୍ ମଧ୍ୟ ନିର୍ମାଣ ହେବ। ନିଗମର ବିଭିନ୍ନ ବିଭାଗ ପକ୍ଷରୁ ସହଯୋଗ ମିଳୁଥିବା ବେଳେ ଇଂଜିନିୟରିଂ ବିଭାଗର କାମକୁ ନେଇ କ୍ଷୋଭ ରହିଛି।
ପ୍ରିୟମ୍ବଦା ସ୍ବାଇଁ,
ବିଜେଡି କର୍ପୋରେଟର, ୱାର୍ଡ ନମ୍ବର ୫
ଓଡ଼ିଶାର ପ୍ରଥମ ସ୍ମାର୍ଟ ରୋଡ୍ ୱାର୍ଡରେ ନିର୍ମାଣ ଚାଲିଛି
ବିଧାୟକଙ୍କ ପ୍ରତିନିଧି ଭାବେ ୧୨ ବର୍ଷ ଧରି କାମ କରିଥିବା ବେଳେ ଏବେ ସିଧାସଲଖ ଲୋକଙ୍କ କାମ କରିବାର ସୁଯୋଗ ପାଇଛି। ବର୍ଷକ ମଧ୍ୟରେ ୱାର୍ଡରେ ବହୁତ କାମ ହୋଇଛି। ୱାର୍ଡର ୫୦ବର୍ଷର ଜଳବନ୍ଦି ସମସ୍ୟା ଦୂର କରିବା ପାଇଁ ଏକ କୋଟି ୬୦ ଲକ୍ଷ ଟଙ୍କାରେ ଏକ ନୂଆ ଡ୍ରେନ୍ ମହାନଦୀବିହାରରୁ ଆନନ୍ଦବିହାର ପର୍ଯ୍ୟନ୍ତ ଖୁବ୍ ଶୀଘ୍ର ଆରମ୍ଭ ହେବ। ସେହିପରି ଓଡ଼ିଶାର ପ୍ରଥମ ସ୍ମାର୍ଟ ରୋଡ୍ ୱାର୍ଡ ବିଏସ୍ଏନ୍ଲ ଗଡ଼ାରୁ ରିଲିୟାନ୍ସ ଫ୍ରେସ୍ ମଧ୍ୟରେ ନିର୍ମାଣ ଚାଲିଛି। ଚୌଦ୍ବାର-କଟକ ନିର୍ବାଚନମଣ୍ଡଳୀର ମିସନ୍ ଶକ୍ତି ଭବନ ୱାର୍ଡର ମହାନଦୀବିହାରଠାରେ ନିର୍ମାଣ ହେବ। ୪୦ ଲକ୍ଷ ଟଙ୍କାରେ ୱାର୍ଡ ଅଫିସ୍ର କାମ ଖୁବ୍ ଶୀଘ୍ର ଆରମ୍ଭ ହେବ। ଏକବର୍ଷ ମଧ୍ୟରେ ୱାର୍ଡର ବହୁ ରାସ୍ତା ଓ ଡ୍ରେନ୍ର କାମ ହୋଇଛି। ୱାର୍ଡର ୧୬ଜଣ ହିତାଧିକାରୀଙ୍କୁ ନୂଆ ଭତ୍ତା କାର୍ଡ ଦିଆଯାଇଛି। ୧୩ଟି ସେମି ହାଇମାଷ୍ଟ୍ ଲାଇଟ୍ ଲାଗିଥିବା ବେଳେ ମିସନ୍ ଶକ୍ତି ଗୃହର ଓ ମୋ ଖତ ବିକ୍ରି କେନ୍ଦ୍ର ନିର୍ମାଣ ହୋଇଛି।
ଚୌଧୁରୀ ସୁବ୍ରତ ଘଡ଼େଇ,
ବିଜେଡି କର୍ପୋରେଟର୍, ୱାର୍ଡ ନମ୍ବର ୪୭
ଆଦର୍ଶ ୱାର୍ଡରେ ପରିଣତ କରିବି
କାଉନ୍ସିଲ ଗଠନର ଏକବର୍ଷ ମଧ୍ୟରେ ୱାର୍ଡରେ ଯେପରି କାମ ହେବା କଥା ସେପରି ହୋଇ ନାହିଁ। ଅନ୍ୟପଟେ ଏକବର୍ଷ ମଧ୍ୟରେ ମଶା ତେଲ ଦୁର୍ନୀତିରୁ ଆରମ୍ଭ କରି ବାଲିଯାତ୍ରା ପଡ଼ିଆର ଉନ୍ନତୀକରଣ କାମରେ ମହାଦୁର୍ନୀତି ଦେଖିବାକୁ ମିଳିଛି। ମେୟର୍ଙ୍କ ଠାରୁ ଆରମ୍ଭ କରି ଅଧିକାରୀ; ବିରେଧୀ କର୍ପୋରେଟର୍ଙ୍କୁ ସେମାନେ ସବୁ ସମୟରେ ବିରୋଧୀ ଭାବେ ଗ୍ରହଣ କରିଛନ୍ତି। ୨୦୨୧ରେ ଯେଉଁ ସବୁ କାମ ଟେଣ୍ଡର୍ ହୋଇଥିଲା ସେହି ପୁରୁଣା କାମଗୁଡ଼ିକ ୱାର୍ଡରେ କରାଯାଇଛି। ସେଥିମଧ୍ୟରେ ୫୫ ଲକ୍ଷ ଟଙ୍କାରେ ହାତୀପାର୍କ, ବଙ୍ଗାଳିସାହି ଓ ଭଗତପୁର ଅଞ୍ଚଳରେ ଏକ ଫେବର୍ ବ୍ଲକ୍ କାମ ହୋଇଛି। ନିମସାହି ହରିଜନସାହିରେ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ପାଇଁ ପ୍ରସ୍ତାବ ଦିଆଯାଇଛି। କୁମ୍ଭାରସାହି, କାଠଗଡ଼ାସାହି, ନିମସାହି ଓ ହରିଜନସାହିରେ ଗୁରୁତର ପାଣି ସମସ୍ୟା ରହିଛି। ଦୀର୍ଘଦିନ ଧରି ଏଠାକୁ ପାଣି ଆସୁ ନଥିବା ବେଳେ ଟ୍ୟାଙ୍କର୍ ସାହାଯ୍ୟରେ ଲୋକଙ୍କୁ ପାଣି ଯୋଗାଇ ଦିଆଯାଉଛି। ୱର୍ଡରେ ୧୮ଟି ନୂଆ ଭତ୍ତା ବଣ୍ଟା ଯାଇଥିବା ବେଳେ ୧୨ଟି ଶୌଚାଳୟ ପାଇଁ ୱାର୍କ ଅର୍ଡର ବାହାରିଛି। କୁମ୍ଭାରସାହିରେ କମ୍ୟୁନିଟି ସେଣ୍ଟର୍ ଓ ହରିଜନସାହିରେ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ପାଇଁ ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇଛି। କାମକୁ ନେଇ କର୍ପୋରେଟର୍ମାନେ କ୍ଷୁବ୍ଧ ହେଲା ପରେ ଅଧିକାରୀ ସେମାନଙ୍କ କଥା ଶୁଣୁଛନ୍ତି।
ଗଗନ କୁମାର ଓଝା,
ବିଜେପି କର୍ପୋରେଟର୍, ୱାର୍ଡ ନମ୍ବର ୨୬
ବର୍ଷକରେ ୱାର୍ଡରେ ଅନେକ କାମ କରାଯାଇଛି
ଏପ୍ରିଲ୍ ୭କୁ କାଉନ୍ସିଲ ଗଠନକୁ ଏକ ବର୍ଷ ହେବ। ବର୍ଷକ ମଧ୍ୟରେ କାଉନ୍ସିଲ୍ରୁ ଅନେକ କିଛି ଶିଖିବାକୁ ମିଳିଛି। ୱାର୍ଡବାସୀଙ୍କ ବିଶ୍ବାସଭାଜନ ହେବା ପାଇଁ ଏକବର୍ଷ ମଧ୍ୟରେ ସବୁ ପ୍ରକାର ଉଦ୍ୟମ କରିଛି। ଏହା ମଧ୍ୟରେ ୱାର୍ଡର ଜଗତପୁର ଅନ୍ଧାରି, ସାଇମନ୍ଦିର, ଆଇବି ରୋଡ୍, ନିମପୁର କ୍ଲବ୍ ଆଦି ଅଞ୍ଚଳରେ ଡ୍ରେନ୍ ନିର୍ମାଣ କରାଯାଇଛି। ସେହିପରି ୱାର୍ଡର ଅନ୍ଧାରି, ଜଗତପୁର ଛକ ଆଦି ଅଞ୍ଚଳରେ ୫ଟି ନୂଆ ସେମି ହାଇମାଷ୍ଟ୍ ଲାଇଟ୍ ଲଗାଯାଇଛି। ବର୍ଷକ ମଧ୍ୟରେ ୩୬ଟି ନୂଆ ଭତ୍ତା କାର୍ଡ ବଣ୍ଟାଯାଇଛି। ୱାର୍ଡର ୨ଟି ସ୍କୁଲକୁ ୫-ଟି ଯୋଜନାରେ ସାମିଲ କରାଯାଇଛି। ଶହେରୁ ଅଧିକ ନୂତନ ବିଦ୍ୟୁତ ଖୁଣ୍ଟି ବସାଯାଇଛି। ନିମପୁର ଶ୍ମଶାନର ଉନ୍ନତୀକରଣ କାମ ଶେଷ ହୋଇଥିବା ବେଳେ ପୁରୁଣା ଜଜଗତପୁର ଶ୍ମଶାନକୁ ସ୍ମାର୍ଟ ଶ୍ମଶାନ କରିବାକୁ ପ୍ରସ୍ତାବ ଦିଆଯାଇଛି। ଜାଗା ମିସନ୍ରେ ୩୪ନମ୍ବର ୱାର୍ଡରୁ ଉଚ୍ଛେଦ ହୋଇ ୱାର୍ଡକୁ ଆସିଥିବା ବସ୍ତିବାସିନ୍ଦାଙ୍କୁ ଜମି ଯୋଗାଇ ଦିଆଯିବା ସହ ସେମାନଙ୍କ ପାଇଁ ନୂତନ ଶୌଚାଳୟ କରାଯାଇଛି।
ନଳିନୀ ବେହେରା,
ବିଜେଡି କର୍ପୋରେଟର, ୱାର୍ଡ ନମ୍ବର ୪୮
ସମସ୍ତଙ୍କ ସହଯୋଗରେ ଅନେକ କାମ ହୋଇଛି
କାଉନସିଲ୍ର ଏକବର୍ଷ ମଧ୍ୟରେ ନିଗମର ଅଧିକାରୀ ଓ ୱାର୍ଡବାସିନ୍ଦାଙ୍କ ସହଯୋଗରେ ଅନେକ କାମ ହୋଇଛି। ବର୍ଷକ ମଧ୍ୟରେ ବିଶେଷ ଭାବେ ୱାର୍ଡର ଅଧିକ ଅଞ୍ଚଳକୁ ଆଲୋକିକରଣ କରାଯାଇଛି। ସେଥିମଧ୍ୟରେ ବୁଖାରୀ ବାବାଙ୍କ ଠାରେ ୨ଟି, ଗଡ଼ଚଣ୍ଡୀ ମନ୍ଦିର ନିକଟରେ ଗୋଟିଏ, ମସଜିଦ୍ ନିକଟରେ ଗୋଟିଏ ଏପରି ୫ରୁ ଅଧିକ ସ୍ଥାନରେ ହାଇମାକ୍ସ ଲାଇଟ୍ ଲାଗାଯାଇଛି। ୱାର୍ଡର ପଞ୍ଚମୁଖୀ ହନୁମାନ ମନ୍ଦିରରୁ ବିଜୁ ପଟ୍ଟନାୟକ ଛକ ପର୍ଯ୍ୟନ୍ତ ଏକ ବଡ ଡ୍ରେନ୍ ନିର୍ମାଣ କାମ ଖୁବ୍ ଶୀଘ୍ର ଆରମ୍ଭ କରାଯିବ। ୱାର୍ଡର କୁନା ତ୍ରିପାଠୀ ଗଡ଼ା, ଗୋରାକବର ଫାଣ୍ଡିରୁ ବୁଢି ଚଣ୍ଡୀ ଲେନ୍ ଠାରେ ଫେଭର୍ ବ୍ଲକ୍ କାମ ହୋଇଛି। ସେହିପରି ମଧୁସୂଦନ ନଗର ଗରିବ ଦାସ ମଠ ଗଳି, ପୁରୁଣା ପୋଷ୍ଟ ଅଫିସ ଲେନ୍ର ରାସ୍ତା କାମ ହୋଇଛି। ଗୋରାକବର ହାଇସ୍କୁଲ ମଧ୍ୟରେ ଥିବା ଅଙ୍ଗନବାଡି କେନ୍ଦ୍ରକୁ ନିଜସ୍ବ ଅର୍ଥରେ ଆଲୋକର ବ୍ୟବସ୍ଥା କରିଛି। ବର୍ଷକ ମଧ୍ୟରେ ୩୫ ଜଣଙ୍କୁ ନୂଆ ଭତ୍ତା ଓ ନୂଆ ୨୦ଟି ରାସନ୍ କାର୍ଡ ବଣ୍ଟା ଯାଇଛି। ବିଜୁ ପଟ୍ଟନାୟକର ଆମିଷ ମାର୍କେଟରେ ନୂଆ ଭେଣ୍ଡିଂ ଜୋନ୍ କରିବା ସହ ଏଠାରେ ଥିବା ମାର୍କେଟ କମ୍ପ୍ଲେକ୍ସକୁ ନୂଆ କରିବା ସହ ଏକ କଲ୍ୟାଣ ମଣ୍ଡପ କରିବା ପାଇଁ ପ୍ରସ୍ତାବ ଦିଆଯାଇଛି। ନିଗମର ବିଦ୍ୟୁତ ବିଭାଗର ଇଂଜିନିୟର୍ ଓ କର୍ମଚାରୀଙ୍କ ସହଯୋଗ ପାଇଁ କୃତଜ୍ଞତା ଜଣାଉଛି।
ଲକ୍ଷ୍ମୀପ୍ରିୟା ବେହେରା,
ବିଜେଡି କର୍ପୋରେଟର, ୱାର୍ଡ ନମ୍ବର ୧୬