ରୁଦ୍ର କୋଭିଡ୍‌ ହସ୍ପିଟାଲ ସ୍ଥିତି ଯାଞ୍ଚ କରିଲା ସିଏମ୍‌ସି କୋଭିଡ୍‌ ଏନ୍‌ଫୋର୍ସମେଣ୍ଟ ଟିମ୍‌

କଟକ: ସିଏମ୍‌ସି କୋଭିଡ୍‌ ଏନଫୋର୍ସମେଣ୍ଟ ଟିମ୍‌ ଓ ଏସ୍‌ସିବିର ଏକ ୪ ଜଣିଆ ଡାକ୍ତରୀ ଦଳ ମଳିତି ଭାବେ ଘରୋଇ କୋଭିଡ୍‌ ହସ୍ପିଟାଲରେ ଚାଲିଥିବା କରୋନା ଆକ୍ରାନ୍ତଙ୍କ ଚିକିତ୍ସା ବ୍ୟବସ୍ଥାର ଯାଞ୍ଚ କରାଯାଇଛି। ଏନେଇ ଆଜି ଉକ୍ତ ଟିମ୍‌ର ୬ ସଦସ୍ୟ ଗୋପାଳପୁର ସ୍ଥିତ ରୁଦ୍ର କୋଭିଡ୍‌ ହସ୍ପିଟାଲକୁ ବିନା ସୂଚନାରେ ଅପରାହ୍ନ ସାଢେ ୧୨ଟାରେ ଯାଇଥିଲେ। ସେଠାରେ ସଂକ୍ରମିତଙ୍କୁ ଯୋଗାଇ ଦିଆଯାଉଥିବା ସ୍ବାସ୍ଥ୍ୟ ସେବାଠାରୁ ଆରମ୍ଭ କରି ପରିମଳ ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ। ଟିମ୍‌ର ସଦସ୍ୟ ହସ୍ପିଟାଲ ମଧ୍ୟକୁ ପିପି କିଟି ପିନ୍ଧି ଆକ୍ରାନ୍ତଙ୍କ ଚିକିତ୍ସା ବ୍ୟବସ୍ଥା ବୁଝିବା ସହିତ ସେମାନଙ୍କ ଖାଦ୍ୟ ଓ ଅନ୍ୟାନ୍ୟ ବ୍ୟବସ୍ଥା ବୁଲି ଦେଖିଥିଲେ। ହସ୍ପିଟାଲରେ ୧୦୪ଟି ଶଯ୍ୟାର କୋଭିଡ୍‌ ହସ୍ପିଟାଲ କରାଯାଇ ଥିବା ବେଳେ ଆଜି ମୋଟ ୮୮ଜଣ ଆକ୍ରାନ୍ତ ଥିଲେ।

ଟିମ୍‌ ପକ୍ଷରୁ ବିଶେଷ ଭାବେ ଆକ୍ରାନ୍ତଙ୍କୁ କିପରି ଚିକିତ୍ସା କରାଯାଉଛି, ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା ଓ ଯତ୍ନ ନେବାକୁ କେତେ ସଂଖ୍ୟାରେ ଡାକ୍ତର ଓ କର୍ମଚାରୀ ନିଯୁକ୍ତି ହୋଇଛନ୍ତି, ଆକ୍ରାନ୍ତଙ୍କୁ କେଉଁ ମାନର ଖାଦ୍ୟ ଦିଆଯାଉଛି, ହସ୍ପିଟାଲରେ ପରିମଳ ବ୍ୟବସ୍ଥା କିପରି ରହିଛି, କେତେ ସଂଖ୍ୟାରେ ସାଧାରଣ, ଅକ୍ସିଜେନ୍‌ ଓ ଆଇସିୟୁ ଶଯ୍ୟା ଖାଲି ଅଛି ଆଦି ଯାଞ୍ଚ କରାଯିବା ସହିତ ଆକ୍ରାନ୍ତ ପରିବାର ସଦସ୍ୟଙ୍କ ସହିତ ଫୋନ୍‌ କରିବାର ବ୍ୟବସ୍ଥା କରାଯାଇଛି କି ନାହିଁ ତାହା ଯାଞ୍ଚ କରାଯାଇଥିଲା। ଏହାସହିତ ଆକ୍ରାନ୍ତ, ଡାକ୍ତର ଓ ଅଧିକାରୀଙ୍କ ସହିତ ଟିମ୍‌ର ସଦସ୍ୟ ମାନେ ବିଭିନ୍ନ ବିଷୟ ଉପରେ ଆଲୋଚନା କରିଥିଲେ। ରୁଦ୍ର ହସ୍ପିଟାଲକୁ ଏସ୍‌ସିବିର ୪ଜଣ ଡାକ୍ତରୀ ଓ ସିଏମ୍‌ସି କୋଭିଡ୍‌ ଏନ୍‌ଫୋର୍ସମେଣ୍ଟ ଟିମ୍‌ର ୨ଜଣ ସଦସ୍ୟ ଯାଇ ଆକ୍ରାନ୍ତଙ୍କୁ ଯୋଗାଇ ଦିଆଯାଉଥିବା ସମସ୍ତ ସେବାକୁ ଅନୁଧ୍ୟାନ କରିଛନ୍ତି। ହସ୍ପିଟାଲ ପକ୍ଷରୁ ସମସ୍ତ ବ୍ୟବସ୍ଥା ସଠିକ ଭାବେ କାମ କରୁଥିବାର ଏନ୍‌ଫୋର୍ସମେଣ୍ଟ ଟିମ୍‌ ଅଧିକାରୀ ପରେଶ ନାୟକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର