କଟକ: ସହରବାସୀଙ୍କୁ ବିଭିନ୍ନ କିସମର ଚାରା ଓ ଗଛ ଯୋଗାଇ ଆସୁଥିବା କଟକ ମହାନଗର ନିଗମ ଚଳିତବର୍ଷ ଘରୋଇ ନର୍ସରିରୁ ଚାରା କିଣିବ। ଏଥିପାଇଁ ସିଏମ୍ସି ପକ୍ଷରୁ ଟେଣ୍ଡର ଡକାଯାଇଛି। ଫୁଲ ଗଛରୁ ଆରମ୍ଭ କରି ବିଭିନ୍ନ ଫଳ ଓ ଅନ୍ୟଗଛ ପାଇଁ ଏଥର ନିଗମକୁ ଅନ୍ୟ ବେସରକାରୀ ନର୍ସରି ଉପରେ ନିର୍ଭର କରିବାକୁ ପଡିଛି। ନେତାଜୀ ବସ୍ ଟର୍ମିନାଲ ନିର୍ମାଣ ପାଇଁ ସିଏମ୍ସିର କେନ୍ଦ୍ରୀୟ ଚାରା ଉଦ୍ୟାନକୁ ବାଦାମବାଡ଼ିରୁ ଗତ ଫେବୁଆରି ମାସରେ ସିଡିଏକୁ ଉଠାଇ ଦିଆଯାଇଛି। ସେକ୍ଟର-୯ସ୍ଥିତ ଆମ୍ବତୋଟାରେ ଏବେ କାମ ଚାଲିଥିବାରୁ ଚାରାଗୁଡିକୁ ସେକ୍ଟର-୮ ସ୍ଥିତ ଉଦ୍ୟାନ ବିଭାଗର ନର୍ସରିରେ ରଖାଯାଇଛି। ମାତ୍ର ରକ୍ଷଣାବେକ୍ଷଣ ଅଭାବରୁ ୪ଲକ୍ଷରୁ ଅଧିକ ଟଙ୍କାର ଚାରା ଓ ମଦର୍ ପ୍ଲାଣ୍ଟ୍ ନଷ୍ଟ ହୋଇଯାଇଛି।
ଏଭଳି ପରିସ୍ଥିତିରେ ଏବେ ସିଏମ୍ସି ଚାରା ବିକ୍ରି କରିବା ବଦଳରେ ଚାରା କିଣିବାକୁ ଲକ୍ଷାଧିକ ଟଙ୍କାର ଟେଣ୍ଡର୍ ଡାକିଛି। ସହରରେ ବନମହୋତ୍ସବ କାର୍ଯ୍ୟକ୍ରମ ଆୟୋଜନ ପାଇଁ ନିଗମକୁ ଏବେ ଘରୋଇ ନର୍ସରିକୁ ଭରସା କରିବାକୁ ପଡ଼ିଛି। ନିଗମ ଅଧୀନରେ ଥିବା ସମସ୍ତ ପାର୍କ ସହିତ ବିଭିନ୍ନ ସରକାରୀ ଜାଗା ଓ ରୋଡ୍ ଡିଭାଇଡ୍ରେ ମଧ୍ୟ ସିଏମ୍ସି ଫୁଲ ଗଛ ସହିତ ଅନ୍ୟାନ୍ୟ ଗଛ ଲଗାଏ। ଏହା ସହ ସହରବାସୀ ମଧ୍ୟ ସେମାନଙ୍କ ବାଡ଼ିବଗିଚାରେ ଲଗାଇବା ପାଇଁ ସିଏମ୍ସିରୁ ସୁଲଭ ମୂଲ୍ୟରେ ବିଭିନ୍ନ ଚାରା କିଣିଥାନ୍ତି। ଏଥିରେ ନିଗମର ରାଜସ୍ବ ମଧ୍ୟ ବୃଦ୍ଧି ପାଇଥାଏ। ମାତ୍ର ଚଳିତବର୍ଷ ନିଗମର ଅଧିକାରୀ ଓ କର୍ମଚାରୀଙ୍କ ଅବହେଳା ଯୋଗୁଁ ନିଗମର ହଜାର ହଜାର ସଂଖ୍ୟାର ଚାର ଓ ଶହ ଶହ ସଂଖ୍ୟାର ମଦର୍ ପ୍ଲାଣ୍ଟ୍ ନଷ୍ଟ ହୋଇଯାଇଛି। ନିଗମ ପକ୍ଷରୁ ଏବେ ବିଭିନ୍ନ ଚାରା ଓ ମଦର୍ ପ୍ଲାଣ୍ଟ୍ ପାଇଁ ଟେଣ୍ଡର କରାଯାଇଛି। ହେଲେ ସେକ୍ଟର-୯ ଆମ୍ବତୋଟାରେ କାମ ଚାଲିଥିବାରୁ ସେଗୁଡିକ କେଉଁଠାରେ ରଖାଯିବ ତାହା କାହାରିକୁ ଜଣା ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/CMC2092532.jpg)