ଆକ୍ସନ ମୁଡରେ ସିଏମସି: ଗୁପଚୁପ ବ୍ୟବସାୟୀଙ୍କ ଘରେ ଚଢ଼ାଉ

କଟକ: ଆକ୍ସନ ମୁଡରେ ସିଏମସି। ଗତକାଲି ଅପମିଶ୍ରିତ ମୃଦୁ ପାନୀୟ କମ୍ପାନି ଉପରେ ଚଢ଼ାଉ ପରେ ଆଜି ଗୁପଚୁପ  ବ୍ୟବସାୟୀଙ୍କ ଉପରେ ଚଢ଼ାଉ କରିଛି ସିଏମସି। ଗତ କିଛିଦିନ ତଳେ ‘ସମ୍ବାଦ’ରେ ଖବର ପ୍ରକାଶ ହେବା ପରେ ଆଜି ତତ୍ପରତା ଦେଖାଇଛି ସିଏମସି। ଅସ୍ୱାସ୍ଥ୍ୟକର ପରିବେଶରେ ପ୍ରସ୍ତୁତ କରାଯାଉଥିବା ଗୁପଚୁପ ଏବଂ ଅନ୍ୟାନ୍ୟ ତିଆରି ସାମଗ୍ରୀକୁ ନଷ୍ଟ କରିଛି ସିଏମସି ଖାଦ୍ୟ ସୁରକ୍ଷା ଟିମ।

ଅତ୍ୟନ୍ତ ନିମ୍ନମାନର ସମଗ୍ରୀରେ ତିଆରି ହେଉଛି ଗୁପଚୁପ। ଖାଲି ଗୁପଚୁପ ନୁହେଁ ଆଳୁ, ମଟର, ତେନ୍ତୁଳି ପାଣିଠାରୁ ଆରମ୍ଭ କରି ବ୍ୟବହାର ହେଉଥିବା ତେଲ ମଧ୍ୟ ଅତ୍ୟନ୍ତ ନିମ୍ନମାନର। ଏପରିକି ବାସି ଆଳୁ ମଟରକୁ ମଧ୍ୟ ପୁଣି ପ୍ରସ୍ତୁତ କରି ବଜାରରେ ବ୍ୟବସାୟ କରୁଛନ୍ତି ଏହି ଗୁପଚୁପ ବ୍ୟବସାୟୀ। ଯାହାଦ୍ୱାରା ସ୍ବାସ୍ଥ୍ୟଗତ ସମସ୍ୟା ଭୋଗିଥାନ୍ତି ଗୁପଚୁପ ପ୍ରେମୀ ବୋଲି କହିଛନ୍ତି ସିଏମସି ସ୍ବାସ୍ଥ୍ୟ ଅଧିକାରୀ।

ଅନ୍ୟପଟେ ସିଏମସି ପକ୍ଷରୁ କରାଯାଇଥିବା ଡ଼ମ୍ପିଙ୍ଗ ୟାର୍ଡକୁ ନେଇ ଏହିସବୁ ଅସୁବିଧା ହେଉଥିବା କହିଛନ୍ତି ଗୁପଚୁପ ପ୍ରସ୍ତୁତକାରୀ। କେବଳ ଆକ୍ରୋଶମୂଳକ ଭାବେ ଏହା କରୁଛି କଟକ ମହାନଗର ନିଗମ। ଯାହାଦ୍ୱାରା ଆମର ଅନେକ ପରିମାଣ ରେ କ୍ଷତି ହେଉଥିବା କହିଛନ୍ତି ଗୁପଚୁପ ବ୍ୟବସାୟୀ । ହେଲେ ଏହି ବ୍ୟବସାୟୀଙ୍କ ଉପରେ କୌଣସି ଫାଇନ କରାଯାଇଥିଲା ବେଳେ କେବଳ ନିମ୍ନ ମାନର ସାମଗ୍ରୀକୁ ଜବତ କରାଯାଇଛି ଓ ଆଗମୀ ଦିନରେ ଏହି ବ୍ୟବସାୟୀଙ୍କୁ ସଚେତନ କରିବା ସହ ପ୍ରଶିକ୍ଷଣ ଦିଆଯିବ ବୋଲି କହିଛନ୍ତି ସିଏମସିର ଖାଦ୍ୟ ନିରାପତା ଅଧିକାରୀ। ତେବେ କେବଳ ସହରର ବିଭିନ୍ନ ବଜାର ନୁହେଁ ଵରଂ ବାହାଘର ବ୍ରତଘର ଆଦି ବିଭିନ୍ନ କାର୍ଯ୍ୟକ୍ରମରେ ମଧ୍ୟ ଏମାନେ ଲଗାଇଥାନ୍ତି ଗୁପଚୁପ ଠେଲା। ତେବେ ସିଏମସି ଏହି ସବୁ ସ୍ଥାନରେ କେବେ ନଜର ଦେବ ତାକୁ ନେଇ ସହରବାସୀଙ୍କ ମଧ୍ୟରେ ଉଠିଛି ପ୍ରଶ୍ନ।
ସୂଚନାଯୋଗ୍ୟ, ଗତକାଲି ସିଏମସି ପକ୍ଷରୁ ଜଗତପୁରର ଏକ ମୃଦୁ ପାନୀୟ କମ୍ପାନିରେ ଚଢ଼ାଉ କରି ବିପୁଳ ପରିମାଣର ଅପମିଶ୍ରିତ ମୃଦୁ ପାନୀୟ ଜବତ କରିଥିଲା।

ସମ୍ବନ୍ଧିତ ଖବର