ସିଡିଏରେ ଆତଙ୍କ ସୃଷ୍ଟି କରିଥିବା କୁକୁରକୁ କାବୁ କଲା ସିଏମ୍‌ସି

କଟକ: ସିଡିଏ ସେକ୍ଟର-୯ରେ ଏକାଧିକ ଲୋକଙ୍କୁ କାମୁଡି ଆତଙ୍କ ସୃଷ୍ଟି କରିଥିବା ବୁଲା କୁକୁରକୁ ଆଜି ସିଏମ୍‌ସି ପକ୍ଷରୁ ଧରାଯାଇ ସାର୍ତ୍ତୋଳ କେନେଲକୁ ଅଣାଯାଇଛି। ଗତ ଦୁଇଦିନ ଧରି ଏହି କୁକୁରଟି ଏକାଧିକ ବ୍ୟକ୍ତିଙ୍କୁ କାମୁଡି ‌ସିଡିଏ ଅଞ୍ଚଳରେ ଆତଙ୍କ ଖେଳାଇଥିଲା। ଏନେଇ ଆଜି ଖବର ପ୍ରକାଶ ପାଇବା ପରେ ସିଏମ୍‌ସି ପକ୍ଷରୁ ଉକ୍ତ କୁକୁରକୁ ଧରାଯାଇଛି। ଗାଡି ଖରାପ ଥିବାରୁ କୁକୁର ଧରା କାମ ଦୁଇଦିନ ପରେ କରିବାକୁ ସିଏମ୍‌ସି ପକ୍ଷରୁ ସ୍ଥାନୀୟ ଲୋକଙ୍କୁ କୁହାଯାଇଥିଲା। ମାତ୍ର ଖବର ପ୍ରକାଶ ପାଇବା ପରେ ସିଏମ୍‌ସି ତରଫରୁ କୁକୁର ଧରା ଗାଡି ମରାମତି କରାଯାଇ ଆଜି ଦିନ ୧୧ଟାରେ କୁକୁରକୁ ଧରାଯାଇଛି। ସୂଚନାଯୋଗ୍ୟ, ଗତ ଦୁଇ ଦିନଧରି ସିଡିଏ ସେକ୍ଟର-୯ରେ ଏକ କୁକୁର ତିନିରୁ ଅଧିକ ଲୋକଙ୍କୁ କାମୁଡି ଭୟର ବାତାବରଣ ସୃଷ୍ଟି କରିଥିଲା।

ଗତକାଲି ଏକ କୁକୁର ଛୁଆକୁ କାମୁଡୁ ଥିବା ବେଳେ ସ୍ଥାନୀୟ ବାସିନ୍ଦା ସନ୍ଦୀପ ମହାପାତ୍ର ପାଟି କରିବାରୁ ତାଙ୍କ ଛାତି ଓ ହାତକୁ ବଡ କୁକୁରଟି କାମୁଡି ଦେଇଥିଲା। ଉକ୍ତ କୁକୁରଟିକୁ ଧରିବା ପାଇଁ ଅଞ୍ଚଳବାସୀ ସିଏମ୍‌ସିକୁ ଫୋନ୍‌ କରିଥିଲେ। ମାତ୍ର କୁକୁର ଧରା ଗାଡି ଖରାପ ଥିବାରୁ ଏହାକୁ ଦୁଇ ଦିନ ପରେ କରାଯିବ ବୋଲି ନିଗମ ପକ୍ଷରୁ କୁହାଯାଇଥିଲା। ନିଗମ ନିକଟରେ କୁକୁର ଧରିବାକୁ ଗୋଟିଏ ୨୦ ବର୍ଷର ପୁରୁଣା ଗାଡି ଥିବା ବେଳେ ଏହା ଖରାପ ହେଲେ କୁକୁର ଧରା କାମ ବନ୍ଦ ରହୁଥିବା ଅଭିଯୋଗ ହୋଇଥିଲା। କୁକୁର ଧରାଯିବା ପରେ ସ୍ଥାନୀୟ ଅଞ୍ଚଳ ବାସିନ୍ଦାଙ୍କ ପ୍ରତି କୁକୁର କାମୁଡା ବିପଦ ଟଳିଛି।

ସମ୍ବନ୍ଧିତ ଖବର