ନେତାଜୀ ଖେଳପଡ଼ିଆରେ ବାଣ ଦୋକାନ, କେଉଁ ନିୟମରେ ଖେଳପଡ଼ିଆ ଭଡ଼ାରେ ଲଗାଇଛି ସିଏମ୍‌ସି?

କଟକ: କଟକ ପୂର୍ବାଞ୍ଚଳ ୱାର୍ଡ ନଂ ୫୪ରେ ଖେଳ ପାଇଁ ରହିଛି ଏକମାତ୍ର ନେତାଜୀ ଖେଳପଡିଆ। ଏଠାରେ ୱାର୍ଡ ନଂ ୫୫, ୫୪, ମହାନଦୀବିହାର, ସ୍ଥାନୀୟ ସ୍କୁଲ ଓ କଲେଜ ପିଲାମାନେ ଖେଳକୁଦ କରିଥାଆନ୍ତି। ସକାଳ ଓ ସଞ୍ଜରେ ବରିଷ୍ଠ ନାଗରିକମାନେ ଚଲାବୁଲା କରନ୍ତି। ଏବେ ଏହି ଖେଳପଡ଼ିଆକୁ ବାଣ ଦୋକାନ ଖୋଲିବା ପାଇଁ ଭଡ଼ାରେ ଲଗାଇଛି ସିଏମ୍‌ସି। ତେବେ, କେଉଁ ନିୟମ ଆଧାରରେ ସିଏମ୍‌ସି ଏହାକୁ ଭଡ଼ା ଦେଇଛି ତାହା କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି। ଖେଳ ପାଇଁ ଜାଗା ମିଳୁ ନଥିବା ବେଳେ ଯେଉଁ ସ୍ଥାନରେ ବାଣ ଦୋକାନ ଖୋଲାଯାଇଛି ସେଠାରେ ୨୫ଲକ୍ଷ ଟଙ୍କା ବ୍ୟୟରେ ଦର୍ଶକ ଗ୍ୟାଲେରି ନିର୍ମାଣ ହେବାର ଉଦ୍ଦେଶ୍ୟକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସରକାରୀ ନିୟମ କହୁଛି,ଖେଳପଡ଼ିଆକୁ କୈାଣସି ବାହାଘର, ସାଂସ୍କୃତିକ କାର୍ଯ୍ୟକ୍ରମ ଅଥବା ବ୍ୟାବସାୟିକ ସୂତ୍ରରେ ଦିଆଯାଇପାରିବ ନାହିଁ। ପୂର୍ବରୁ ଏହି ଖେଳପଡ଼ିଆକୁ ବାହାଘର ଭୋଜିଭାତ ପାଇଁ ଭଡ଼ା ଲଗାଇ ସିଏମ୍‌ସି ନଷ୍ଟ କରିଦେଇଥିଲା। କଟକ-ଚୌଦ୍ବାର ବିଧାୟକ ସୌଭିକ ବିଶ୍ବାଳ ତାଙ୍କ ବିଧାୟକ ପାଣ୍ଠିରୁ ୮ଲକ୍ଷ ଟଙ୍କା ଦେଇ ଏଡାକୁ ପୁଣି ଖେଳ ଉପଯୋଗୀ କରାଇଥିଲେ। ସାଂସଦଙ୍କ ପାଣ୍ଠିରୁ ମଧ୍ୟ ସିଏମ୍‌ସି ପକ୍ଷରୁ ଖେଳପଡ଼ିଆ ଉନ୍ନତୀକରଣ ପାଇଁ ଟଙ୍କା ‌‌‌‌‌ଖର୍ଚ୍ଚ ହୋଇଛି।

ତେଣୁ ସିଏମ୍‌ସି ଖେଳପଡ଼ିଆକୁ ବାଣ ଦୋକାନ ଖୋଲିବା ପାଇଁ କେଉଁ ନିୟମ ଅନୁସାରେ ଭଡ଼ା ଲଗାଇଛନ୍ତି ତାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଲାଣି। ଏ ସମ୍ପର୍କରେ ଡେପୁଟି କମିସନର୍‌ ଅମିୟ କୁମାର ପଣ୍ଡାଙ୍କୁ ପଚାରିବାରେ, ‘ଆମେ ବାଣ ଦୋକାନ ଖୋଲିବା ପାଇଁ ଲାଇସେନ୍‌ସ ଦେଉଛୁ, କିନ୍ତୁ ଜାଗା ଦେଇ ନାହୁଁ, ଚାଉଳିଆଗଞ୍ଜ ଥାନା ଅଧିକାରୀ ତାଙ୍କୁ ଜାଗା ଦେଇଛନ୍ତି’ ବୋଲି କହିଛନ୍ତି। ହେଲେ, ଏ ନେଇ ଚାଉଳିଆଗଞ୍ଜ ଥାନା ଅଧିକାରୀ ଶଶିକାନ୍ତ ରାଉତଙ୍କୁ ପଚାରିବାରେ, ‘ଆମେ ସିଏମ୍‌ସି ଜାଗା ଦେବାକୁ କିଏ? ଶାନ୍ତିଶୃଙ୍ଖଳା ରକ୍ଷା କରିବା ଆମ ଦାୟିତ୍ୱ, ଜାଗା ଦେବା ଆମ ଦାୟିତ୍ୱ ନୁହେଁ। ନୂଆବଜାର ମାଛ ଦୋକାନ ଉଠାଇବାକୁ ଆମକୁ ସିଏମ୍‌ସି କହିଲା, ଆମେ ଉଠାଇବା ପାଇଁ ପଦକ୍ଷେପ ନେଲୁ। ସିଏମ୍‌ସି ଭଡ଼ା ଦେଇ ଆମ ମୁଣ୍ଡରେ ଅଠା ବୋଳିବା ଠିକ୍ ନୁହେଁ’ ବୋଲି କହିଛନ୍ତି। ସ୍ଥାନୀୟ କର୍ପୋରେଟର୍‌ ତାପସ ସାମନ୍ତରାୟ କହିଛନ୍ତି, ଏହି ଖେଳପଡ଼ିଆ ଉନ୍ନତୀକରଣ ପାଇଁ ବିଧାୟକ, ସାଂସଦ ପାଣ୍ଠି ଓ ସିଏମ୍‌ସି ପକ୍ଷରୁ ଉଜ୍ବଳ ଆଲୋକ ବ୍ୟବସ୍ଥା ହୋଇଛି। କାରଣ ସନ୍ଧ୍ୟା ସମୟରେ ବରିଷ୍ଠ ନାଗରିକମାନେ ବହୁସଂଖ୍ୟାରେ ଚଲାବୁଲା କରିବା ସ଼ହିତ ଖୋଲାପଡ଼ିଆରେ ବ୍ୟାୟାମ କରୁଛନ୍ତି। ଏଭଳି ପରିସ୍ଥିତିରେ ବାଣଦୋକାନ ପାଇଁ ଭଡ଼ା ଲଗାଇ ପଡିଆ ସାରା ଖାଲଖମା କରି ସ୍ଥିତି ବିଗାଡିବା ଠିକ୍ ହୋଇ ନାହିଁ। ବରଂ ପାଖରେ ଚାରିପଟେ ପାଚେରୀ ଘେରା ବିଜୁ ମଣ୍ଡପ ଖୋଲାପଡ଼ିଆରେ ବାଣଦୋକାନ ଖୋଲିବା ପାଇଁ ଅନୁମତି ଦେବାକୁ ସେ ଦାବି କରିଛନ୍ତି। ନେତାଜୀ ପଡ଼ିଆରେ ବାଣ ଦୋକାନ ହେଲେ ଖେଳରେ ବାଧା ଉପୁଜିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର