ବଢ଼ୁଛି ଖରା ତାତି, ଜଳଛତ୍ର ବ୍ୟବସ୍ଥାକୁ ଭୁଲିଗଲେ ସିଏମ୍‌ସି ଓ ୱାଟ୍‌କୋ

ବ୍ୟାଙ୍କ ଓ ସ୍ବେଚ୍ଛାସେବୀ ଅନୁଷ୍ଠାନ ଭରସାରେ କର୍ତ୍ତୃପକ୍ଷ

କଟକ: ଦିନକୁ ଦିନ ଖରାର ତାତି ବଢ଼ିବାରେ ଲାଗିଛି। ଗତ କିଛିଦିନ ଧରି ସହରର ତାପାମାତ୍ରା ୩୫ରୁ ୩୮ ଡିଗ୍ରି ମଧ୍ୟରେ ରହୁଛି। ଆଗକୁ ତାପମାତ୍ରା ଆହୁରି ବଢ଼ିବ ବୋଲି ପାଣିପାଗ ବିଭାଗ ତରଫରୁ ସୂଚନା ଦିଆଯାଇଛି। ହେଲେ ସିଏମ୍‌ସି କିମ୍ବା ଜନସ୍ବାସ୍ଥ୍ୟ ବିଭାଗ(ୱାଟ୍‌କୋ) ପକ୍ଷରୁ ଏବେ ସୁଦ୍ଧା ସହର‌ରେ ପିଇବା ପାଣିର ବ୍ୟବସ୍ଥା କରାଗଲା ନାର୍ହି। ବର୍ଷ ବର୍ଷ ଧରି ସହରବାସୀ ଓ କଟକକୁ ବିଭିନ୍ନ କାମରେ ଆସୁଥିବା ଲୋକଙ୍କୁ ସିନ୍‌ଟେକ୍ସ ଟାଙ୍କିର ବ୍ୟବସ୍ଥା କରାଯାଇ ପିଇବା ପାଣି ଯୋଗାଯାଉଥିଲା। ମାତ୍ର ଚଳିତବର୍ଷ ଏହି ବ୍ୟବସ୍ଥାକୁ ସିଏମ୍‌ସି ଓ ୱାଟ୍‌କୋ ପକ୍ଷରୁ କୋଣଠେସା କରି ଦିଆଯାଇଛି। ଅନ୍ୟପଟେ ଅଚଳ ହୋଇ ପଡ଼ିଥିବା ଥଣ୍ଡା ପିଇବା ପାଣି ପ୍ରକଳ୍ପ, ବ୍ୟା‌ଙ୍କ ଓ ‌‌ସ୍ବେଚ୍ଛାସେବୀ ସଂଗଠନ ଉପରେ ଭରସା କରି କର୍ତ୍ତୃପକ୍ଷ ହାତ ଟେକି ଦେଇଛନ୍ତି। ମହାନଗର ନିଗମ ଓ ୱାଟ୍‌କୋ ପକ୍ଷରୁ ପ୍ରତିବର୍ଷ ଖରାଦିନରେ ସହରରେ ଜଳଛତ୍ର ଖୋଲାଯାଉଥିବା ବେଳେ ଚଳିତବର୍ଷ ଏଥିରେ ବ୍ୟତିକ୍ରମ ଦେଖାଯାଇଛି। ମାର୍ଚ୍ଚ ମାସରେ ସହରର ବିଭିନ୍ନ ସ୍ଥାନରେ ସିଏମ୍‌ସି ଓ ୱାଟ୍‌କୋର ମିଳିତ ଉଦ୍ୟମରେ ପିଇବା ପାଣିର ଟାଙ୍କି ବସାଯାଏ। ସହରର ସାହିବସ୍ତିରେ ଥିବା ନଳକୂପଗୁଡ଼ିକର ମରାମତି କରାଯିବା ସହ ଥଣ୍ଡା ପାଣି ବ୍ୟବସ୍ଥା ଥିବା ପିଇବା ପାଣି ପଏଣ୍ଟଗୁଡିକର ମରାମତି ହୁଏ।

ମାତ୍ର ଚଳିତବର୍ଷ ଏହି କାର୍ଯ୍ୟକ୍ରମ ଆଜି ପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ। ଦିନକୁ ଦିନ ଖରା ବଢୁଥିବା ବେଳେ ଆଗାମୀ ଦିନରେ ଏହା ଉପରେ ସିଏମ୍‌ସି କିମ୍ବା ୱାଟ୍‌କୋ ପକ୍ଷରୁ ସେପରି କୌଣସି ବ୍ୟବସ୍ଥା କରାଯିବ ନାହିଁ ବୋଲି ସୂଚନା ରହିଛି। ଅନ୍ୟପଟେ କିଛି ବ୍ୟାଙ୍କ ଓ ସ୍ବେଚ୍ଛାସେବୀ ଅନୁଷ୍ଠାନଙ୍କୁ ସେମାନଙ୍କ ଉଦ୍ୟମରେ ସହରର ବିଭିନ୍ନ ସ୍ଥାନରେ ପିଇବା ପାଣିର ବ୍ୟବସ୍ଥା କରାଇବାକୁ କୁହାଯାଇଛି। ତେବେ ବର୍ଷ ବ‌ର୍ଷ ଧରି ସହରବାସୀଙ୍କୁ ଖରାଦିନେ ପାଣି ଟାଙ୍କି ବସାଇ ପିଇବା ପାଣି ଯୋଗାଇ ଆସୁଥିବା ସିଏମ୍‌ସି ଓ ୱାଟ୍‌କୋ ପକ୍ଷରୁ ଏହା ଚଳିତବର୍ଷ ଏକପ୍ରକାର ବନ୍ଦ ରହିବ ବୋଲି କୁହାଯାଇଛି। ସହରର ସମସ୍ତ ଘରକୁ ପାଣି ‌ସଂଯୋଗ ହୋଇ ଯାଇଥିବାରୁ ପାଣି ଟାଙ୍କିର ବ୍ୟବସ୍ଥା କରାଯିବ ନାହିଁ ବୋଲି ୱାଟ୍‌କୋ ଜେନେରାଲ୍‌ ମ୍ୟାନେଜର୍‌ ଦେବବ୍ରତ ମହାନ୍ତି କହିଛନ୍ତି। ସିଏମ୍‌ସି ସହଭାଗିତାରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସହରରେ ଥଣ୍ଡା ପାଣି ପ୍ରକଳ୍ପ କରାଯାଇଛି। ନିଗମ ପକ୍ଷରୁ କିଛି ବ୍ୟାଙ୍କ ଓ ସ୍ବେଚ୍ଛାସେବୀ ଅନୁଷ୍ଠାନଙ୍କୁ ଜଳଛତ୍ରର ବ୍ୟବସ୍ଥା କରିବାକୁ କୁହାଯାଇଛି ବୋଲି ସିଏମ୍‌ସି ନିର୍ବାହୀ ଯନ୍ତ୍ରୀ ଡି.ଆର୍‌. ତ୍ରିପାଠୀ କହିଛନ୍ତି। ଖରା ବଢ଼ିବା ସହିତ ସହରର ବିଭିନ୍ନ ଜନଗହଳିପୂର୍ଣ୍ଣ ସ୍ଥାନରେ ପିଇବା ପାଣିର ବ୍ୟବସ୍ଥା କରିବାକୁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧିତ ଖବର