କଟକ: କେନ୍ଦ୍ର ଗୃହ ନିର୍ମାଣ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କରାଯାଇଥିବା ସ୍ବଚ୍ଛତା ସର୍ବେକ୍ଷଣର ଫଳ ପ୍ରକାଶ ପାଇଛି। ସ୍ବଚ୍ଛତା ସର୍ବେକ୍ଷଣରେ କଟକ(ସିଏମ୍‌ସି) ଚଳିତ ବର୍ଷ ତଳକୁ ଖସିଛି। ଗତ ବର୍ଷ ଭୁବନେଶ୍ବର (ବିଏମ୍‌ସି)କୁ ପଛରେ ପକାଇ କଟକ ୫ ନମ୍ବରରେ ଥିବା ବେଳେ ଚଳିତ ବର୍ଷ ଗୋଟିଏ ସ୍ଥାନ ତଳକୁ ଖସି ୬ ନମ୍ବରରେ ରହିଛି। ମାତ୍ର ଏଥର ଭୁବନେଶ୍ବର କଟକ ଉପରେ ରହି ୫ ନମ୍ବରକୁ ଉଠିଛି। ଓଡ଼ିଶାର ୯ଟି ଅମୃତ ସହର ସ୍ବଚ୍ଛତା ସର୍ବେକ୍ଷଣରେ ଭାଗ ନେଇଥିଲେ। ସେମାନଙ୍କ ମଧ୍ୟରୁ କଟକ ୬ ନମ୍ବର‌େର ଥିବା ବେଳେ ପ୍ରଥମ ସ୍ଥାନରେ ବ୍ରହ୍ମପୁର, ଦ୍ବିତୀୟରେ ରାଉରକେଲା, ତୃତୀୟରେ ବାଲେଶ୍ବର, ଚତୁର୍ଥରେ ପୁରୀ, ପଞ୍ଚମ ସ୍ଥାନରେ ଭୁବନେଶ୍ବର ରହିଛି। ଦେଶର ୩୭୨ଟି ଅମୃତ ସହର ମଧ୍ୟରେ ସ୍ବଚ୍ଛତା ସର୍ବେକ୍ଷଣ କରାଯାଇଥିଲା ସେମାନଙ୍କ ମଧ୍ୟରେ କଟକ ୧୬୨ ସ୍ଥାନରେ ରହିଛି। ଗତବର୍ଷ କଟକ ଭୁବନେଶ୍ବର ଉପରେ ଥିବା ବେଳେ ଏଥର ତଳକୁ ଖସିବାକୁ ନେଇ ସିଏମ୍‌ସିରେ ପରିମଳ ବ୍ୟବସ୍ଥାରୁ ଆରମ୍ଭ କରି ଅନ୍ୟ ବିଷୟ ଉପରେ କମ ଗୁରୁତ୍ବ ଦିଆଯାଉଛି ବୋଲି ସ‌ାଧାରଣରେ ମତ ପ୍ରକାଶ ପାଇଛି।
କଟକ ମହାନଗର ନିଗମରେ ଚଳିତ ବର୍ଷ ମା‌ର୍ଚ୍ଚ ଦ୍ବିତୀୟ ସପ୍ତାହରେ ସ୍ବଚ୍ଛତା ସର୍ବେକ୍ଷଣ ଆରମ୍ଭ ହୋଇଥିଲା। ସର୍ବେକ୍ଷଣ ପୂର୍ବରୁ ସିଏମ୍‌ସିରେ ପରିମଳ, କଠିନ ଓ ତରଳ ବର୍ଜ୍ୟବସ୍ତୁ ପରିଚାଳନା ଦିଗରେ ଅନେକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନିଆଯାଇଥିଲା।

Advertisment

ଏହି ସର୍ବ‌େକ୍ଷଣରେ ସିଏମ୍‌ସିର ବିଭିନ୍ନ ୱାର୍ଡର ପରିମଳ ବ୍ୟବସ୍ଥା, କଠିନ ଓ ତରଳ ବର୍ଜ୍ୟବସ୍ତୁର ପରିଚାଳନା, ଖୋଲାରେ ଶୌଚହେବା, ପରିମଳ ସମସ୍ୟାର ଶୁଣାଣି ଓ ଏହାର ସମାଧାନ ଦିଗରେ ନିଆଯାଇଥିବା ପଦକ୍ଷେପ, ପରିମଳକୁ ନେଇ ଲୋକଙ୍କ ମଧ୍ୟରେ କରାଯାଉଥିବା ସଚେତନତା କାର୍ଯ୍ୟକ୍ରମକୁ ମାପକାଠି ଭାବେ ଦେଖାଯାଇଥିଲା। ଏହା ସହିତ ସାଧାରଣ ଲୋକଙ୍କ ଠାରୁ ପରିମଳ ଉପରେ ସିଧାସଳଖ ମତାମତ ନିଆଯାଇଥି‌ଲା। ନ୍ୟାସନାଲ ଗ୍ରିନ ଟ୍ରିବୁନାଲ ନିୟମ ଅନୁଯାୟୀ ସିଏମ୍‌ସିର ସମସ୍ତ ୱାର୍ଡରେ ଘରକୁ ଘର ବୁଲି ଅଳିଆ ସଂଗ୍ରହ, କଠିନ ବର୍ଜ୍ୟବସ୍ତୁର ପରିଚାଳନା ପାଇଁ ସହରର ଏକାଧିକ ସ୍ଥାନରେ ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର(ଏମ୍‌ସିସି) କରାଯାଇଥିବା ବେଳେ, ତରଳ ବର୍ଜ୍ୟବସ୍ତୁର ପରିଚାଳନା ପାଇଁ ସ୍ବେରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ୍ କାର୍ଯ୍ୟକ୍ଷମ ହେବା, ଅଧିକ ସଂଖ୍ୟାରେ ଶୌଚାଳୟ ନିର୍ମାଣ କରାଯିବା ଉପରେ କାମ କରାଯାଇଥିଲା। ମାତ୍ର ଏସବୁ ସତ୍ବେ ସିଏମ୍‌ସି ଗତବର୍ଷ ତୁଳନାରେ ଚଳିତ ବର୍ଷ ଗୋଟିଏ ସ୍ଥାନ ତଳକୁ ଖସିଛି।