କଟକ: ଆଗକୁ ଆସୁଛି ବିବାହ ଋତୁ। କରୋନା ମହାମାରୀ ସମୟରେ କିପରି ବିବାହ ଉତ୍ସବ ପାଳନ କରାଯିବ ଏହାକୁ ନେଇ ସିଏମସି ନୂଆ ଗାଇଡ୍ଲାଇନ୍ ଜାରି କରିଛି। କରୋନା ସଂକ୍ରମଣକୁ ଦେଖି ବିବାହ ଉତ୍ସବରେ ଶହେ ଓ ଶୁଦ୍ଧି କ୍ରିୟାରେ ସର୍ବାଧିକ ୫୦ ଜଣଙ୍କ ଯୋଗଦାନ ପାଇଁ ଅନୁମତି ଦେଇଛି ସିଏମସି। ବିବାହ ଉତ୍ସବ ପାଇଁ ସ୍ଥାନୀୟ ପୁଲିସ ଓ ସିଏମସିରୁ ଅନୁମତି ଆଣିବାକୁ ପଡିବ। ବରଯାତ୍ରୀ ଶୋଭାଯାତ୍ରାକୁ ଏଥିରେ ବାରଣ କରାଯାଇଛି। ବିବାହ ଉତ୍ସବ ଆୟୋଜନ ସ୍ଥାନକୁ କରୋନା ଲକ୍ଷଣ ଥିବା ବ୍ୟକ୍ତିଙ୍କ ଆସିବା ଉପରେ କଟକଣା ଲଗାଯିବା ସହିତ ୧୦ବର୍ଷରୁ କମ ବୟସର ପିଲା, ବୟସ୍କ ବ୍ୟକ୍ତିଙ୍କ ସହିତ ଗର୍ଭବତୀ ମହିଳାଙ୍କୁ ଉତ୍ସବ ସ୍ଥାନରୁ ଦୂରେଇ ରଖିବାକୁ କୁହାଯାଇଛି।
ବିବାହ ଆୟୋଜନ ହେଉଥିବା କଲ୍ୟାଣମଣ୍ଡପ, ହଲ୍ କିମ୍ବା ଘରର ପ୍ରବେଶ ପଥରେ ଥର୍ମାଲ ସ୍କ୍ରିନିଂ କରିବାକୁ କୁହାଯାଇଛି। ଉତ୍ସବରେ ଯୋଗ ଦେଉଥିବା ବ୍ୟକ୍ତିଙ୍କ ପାଇଁ ମାସ୍କ ବ୍ୟବହାର କରିବା ବାଧ୍ୟତାମୂଳକ କରାଯାଇଛି। ଉତ୍ସବ ସ୍ଥଳରେ ଛେପ ପକାଇବା, ପାନ କି ଗୁଟଖା ଖାଇବା ଉପରେ ମଧ୍ୟ କଟକଣା ଲଗାଯାଇଛି। ବିବାହ ଆୟୋଜନ କରୁଥିବା ବ୍ୟକ୍ତି ହ୍ୟାଣ୍ଡ ସାନିଟାଇଜର ଓ ହ୍ୟାଣ୍ଡ ୱାସର ବ୍ୟବସ୍ଥା କରିବେ। ହଲ୍ ମଧ୍ୟରେ ଯେପରି ସାମାଜିକ ଦୂରତ୍ବ ନିୟମ ପାଳନ କରାଯାଇ ପାରିବ ଏଥିପାଇଁ କେବଳ ୫୦ ପ୍ରତିଶତ ଲୋକଙ୍କୁ ଏହା ମଧ୍ୟକୁ ପ୍ରବେଶ କରିବାକୁ ଅନୁମତି ଦିଆଯାଇଛି।
କଲ୍ୟାଣ ମଣ୍ଡପ, ହଲ ମାଲିକ କିମ୍ବା ଘରର ମାଲିକ ଉତ୍ସବର ୭ ଦିନ ପୂର୍ବରୁ ସମସ୍ତ ତଥ୍ୟ ସହିତ ଥାନାରୁ ମିଳିଥିବା ଅନୁମତିପତ୍ରକୁ ସିଏମସିରେ ଦାଖଲ କରିବାକୁ ନିୟମ କରାଯାଇଛି। ଯଦି ଉପରୋକ୍ତ ନିୟମକୁ ଖିଲାପ ହେଉଥିବାର ଦେଖିବାକୁ ମିଳେ ସେଥିପାଇଁ ବିବାହ ଉତ୍ସବ ଆୟୋଜନ କରୁଥିବା ବ୍ୟକ୍ତି, କଲ୍ୟାଣମଣ୍ଡପ ଓ ହଲ୍ ମାଲିକ ଦାୟୀ ରହିବେ ବୋଲି ସିଏମସି ପକ୍ଷରୁ ଏକ ନିର୍ଦ୍ଦେଶନାମାରେ କୁହାଯାଇଛି। ଏହି ନିୟମକୁ ଚଳିତ ମାସ ୨୫ ତାରିଖରୁ ଲାଗୁ ହେବ ବୋଲି ସିଏମ୍ସି ପକ୍ଷରୁ କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/CMC2092532.jpg)