ବାରବାଟୀରେ ଓସିଏ ପ୍ରୋତ୍ସାହିତ ଲୁଟ୍‌! କୁଆଡ଼େ ଗଲେ କଟକ ମହାନଗର ନିଗମର ସ୍ବାସ୍ଥ୍ୟ ବିଭାଗ, ପୁଲିସ, ପ୍ରଶାସନ?

ଖାଦ୍ୟରେ ପ୍ରସ୍ତୁତି ତାରିଖ କି କମ୍ପାନି ନାଁ ନାହିଁ, ୫ ପିସ୍‌ ମୋମୋକୁ ୧୫୦ ଟଙ୍କା; ପେଟିସ୍ ୭୦, କୋଲ୍‌ଡ ଡ୍ରିଙ୍କସ୍ ଗ୍ଲାସ୍ ୫୦ ଟଙ୍କା

କଟକ: ସୁରକ୍ଷା ବାହାନାରେ ବାହାରୁ ଖାଦ୍ୟ, ପାଣି ନେବା ବନ୍ଦ କରି ଦେଲେ। ହେଲେ ଭିତରେ ଯେଉଁ ଖାଦ୍ୟ ଆଉ ଥଣ୍ଡା ପାନୀୟ ବିକ୍ରି ହେଲା, ସବୁର ଦର ଦୁଇ/ତିନି ଗୁଣାର ବି ଅଧିକ। ଖାଦ୍ୟ ସାମଗ୍ରୀ ଉପରେ ପ୍ରସ୍ତୁତି ତାରିଖ କି ପ୍ରସ୍ତୁତକାରୀ କଂପାନିର ନାଁ ବି ନାହିଁ। ଅନ୍ତର୍ଜାତୀୟ ମ୍ୟାଚରେ ବାରବାଟୀରେ ଏଭଳି ଖାଦ୍ୟ, ପାନୀୟ ବ୍ୟବସାୟ ପଛରେ କାହାର ହାତ ରହିଛି, ତାହାକୁ ନେଇ ଏବେ ସାଧାରଣ ଲୋକ ପ୍ରଶ୍ନ କରିଛନ୍ତି। ଟିକେଟ୍ ତ ଖୁଲମଖୁଲା ବ୍ଲାକ୍ ଚାଲିଥିଲା। ଖାଦ୍ୟ ସାମଗ୍ରୀ ବି ବ୍ଲାକ୍ ହେଲା। କିନ୍ତୁ ଲୋକଙ୍କ ସହାୟତା ପାଇଁ କଟକ ମହାନଗର ନିଗମ ସ୍ବତନ୍ତ୍ର ଷ୍ଟଲ୍ ଖୋଲି ଥିବା ବେଳେ ସେମାନଙ୍କ ସ୍ବାସ୍ଥ୍ୟ ଅଧିକାରୀ କୁଆଡେ ଗଲେ ବୋଲି ଲୋକ ପ୍ରଶ୍ନ କରିଛନ୍ତି। ଯେଉଁ ପେଟିସ୍ ବାହାରେ ୩୦ରୁ ୪୦ ଟଙ୍କା ଭିତରେ ବିକ୍ରି ହୁଏ, ଆଜି ବାରବାଟୀ ଭିତରେ ତାହାକୁ ୭୦ ଟଙ୍କାରେ ବିକ୍ରି କରାଯାଉଥିଲା। ୫ ପିସ୍ ଭେଜ୍ ମୋମୋର ଦାମ୍ ଥିଲା ୧୦୦ ଟଙ୍କା ଓ ନନଭେଜ୍ ମୋମୋର ଦର ଥିଲା ୧୫୦ ଟଙ୍କା। ନଳି, ଚକ୍ରି, ପପ୍ କର୍ଣ୍ଣ, ମୁଡୁକି ଇତ୍ୟାଦି ଯେଉଁ ଛଣା ଖାଦ୍ୟ ଖୋଲା ବଜାରରେ ୫/୧୦ ଟଙ୍କାରେ ବିକ୍ରି ହୁଏତ ଷ୍ଟାଡିୟମ ଭିତରେ ଆଜି ତାର ଦର ଥିଲା ୩୦ ଟଙ୍କା। କୋଲଡ୍ରିଙ୍କସ୍ ଗ୍ଲାସ୍ ଦର ଥିଲା ୫୦ ଟଙ୍କା। ଭେଜ୍ ମାଞ୍ଚୁରିଆନ୍ ୧୦୦ ଓ ନନ୍ ଭେଜ୍ ମାଞ୍ଚୁରିଆନ୍ ୧୫୦ ଟଙ୍କାରେ ବିକ୍ରି ହେଉଥିଲା।

Sambad

ଭେଜ୍ ନୁଡୁଲସ୍ ୧୦୦ ଟଙ୍କା ଓ ନନ୍ ଭେଜ୍ ନୁଡୁଲସ୍ ୧୫୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଗୋଟିଏ ପିସ୍ ପେଟିସ୍‌ର ମୂଲ୍ୟ ଥିଲା ୭୦ ଟଙ୍କା। କାଠି ଆଇସ୍କ୍ରିମ୍ ଦାମ ଥିଲା ୩୦ ଟଙ୍କା। କୋକାକୋଲା, ଓ୍ବାଓ, ନରୁଲା କୁଲଫି ଭଳି ନିର୍ଦ୍ଦିଷ୍ଟ ଭାବେ ତିନୋଟି କମ୍ପାନି ପକ୍ଷରୁ ଆଜି ବିଭିନ୍ନ ଖାଦ୍ୟ ଓ ପାନୀୟ ବିକ୍ରି କରାଯାଉଥିବା ବେଳେ ସାଦା ଜରି ପ୍ୟାକେଟରେ ବି ଛଣା ଖାଦ୍ୟ ବିକ୍ରି ହେଉଥିଲା।
ଓସିଏ କେଉଁ ଆଧାରରେ ଏଭଳି ଘରୋଇ ସଂସ୍ଥାକୁ ଖାଦ୍ୟ ବିକିବାର ଦାୟିତ୍ବ ଦେଇ ଲୋକଙ୍କୁ ଲୁଟିବାକୁ ଛାଡ଼ି ଦେଇଥିଲା, ତାହା ଏବେ ତଦନ୍ତ ସାପେକ୍ଷ। ଅନ୍ୟପଟେ ବାରବାଟୀ ମ୍ୟାଚ୍ ଆୟୋଜନ ପାଇଁ ଦିନରାତି ଏକ୍ କରି ଦେଇଥିବା ‌ପୁଲିସ, ପ୍ରଶାସନ, କଟକ ମହାନଗର ନିଗମ ଏସବୁ ପ୍ରତି କେଉଁ କାରଣରୁ ଆଖିବୁଜି ଦେଇ ବସିଥିଲେ, ତାହା ବି ସାଧାରଣରେ ପ୍ରତିକ୍ରିୟାର କାରଣ ହୋଇଛି। ପୁଲିସ, ପ୍ରଶାସନ ଘରୋଇ ସଂସ୍ଥା ଓସିଏର ସ୍ବାର୍ଥ ଜଗିବାକୁ କାମ କରୁଛି ନା ଲୋକଙ୍କ ସ୍ବାର୍ଥ, ସୁରକ୍ଷାର ଉତ୍ତରଦାୟିତ୍ବ ନେଉଛି, ତାହା ଏବେ ସବୁଠୁ ବଡ଼ ପ୍ରଶ୍ନ ହୋଇଛି।

ସମ୍ବନ୍ଧିତ ଖବର