କଟକ: କଟକର ଡେପୁଟି ମେୟର ଦମୟନ୍ତୀ ମାଝୀଙ୍କ ବସ୍ତି ଛାଡ଼ିବା ପାଇଁ ଇଡକୋର ନୋଟିସ୍ ଘଟଣାରେ ହସ୍ତକ୍ଷେପ କରିଛି କଟକ ମହାନଗର ନିଗମ। ନିଗମ ପକ୍ଷରୁ ଇଡକୋକୁ ଯୋଗାଯୋଗ କରାଯାଇ ବସ୍ତିବାସିନ୍ଦାଙ୍କୁ ଥଇଥାନ କରାଯିବା ପରେ ଉଚ୍ଛେଦ କରିବାକୁ ପରାମର୍ଶ ଦିଆଯାଇଛି। ଜଗତପୁର ନୂତନ ଶିଳ୍ପାଞ୍ଚଳ ପେପ୍ସି ଲେନ୍‌ (ବାଲିସାହି ବସ୍ତି)ରେ ଡେପୁଟି ମେୟର ଦମୟନ୍ତୀ ମାଝୀ ରହୁଥିବା ବେଳେ ସେହି ବସ୍ତିରେ ୨୦ରୁ ଅଧିକ ପରିବାର ବି ରହୁଛନ୍ତି। ଆସନ୍ତା ୧୦ ତାରିଖ ସୁଦ୍ଧା ସେମାନଙ୍କୁ ଘର ଖାଲି କରିବାକୁ ଇଡ୍‌କୋ ପକ୍ଷରୁ ନୋଟିସ୍‌ ଜାରି କରାଯିବା ସହ ସେମାନଙ୍କ ଘରେ ବି ନୋଟିସ୍ ଲଗାଇ ଦିଆଯାଇଥିଲା। ଏହି ଘଟଣା ଆଜି ସାମନାକୁ ଆସିବା ପରେ ସିଏମସି ପଦକ୍ଷେପ ନେଇଛି। ଏ ସଂପର୍କରେ ମେୟର ସୁବାସ ସିଂହ କହିଛନ୍ତି ଯେ ସିଏମ୍‌ସିର ବିନା ଅନୁମତିରେ ସହରର ମଧ୍ୟରୁ ବସ୍ତି ଉଚ୍ଛେଦ ହୋଇ ପାରିବ ନାହିଁ। ବସ୍ତି ଉଚ୍ଛେଦ ପୂର୍ବରୁ ବସ୍ତିବାସିନ୍ଦାଙ୍କୁ ଥଇଥାନ କରିବାର ନିୟମ ରହିଛି। ଡ୍ରେନ ନିର୍ମାଣ ପାଇଁ ଇଡୋକ୍‌ ତରଫରୁ ବସ୍ତି ଖାଲି କରିବାକୁ କେବଳ ଅଫିସିଆଲ୍‌ ନୋଟିସ୍‌ କରାଯାଇଛି।

Advertisment

ମହାନଗର ନିଗମର ସହମତିରେ ଓ ନିଗମର ଏନ୍‌ଫୋର୍ସମେଣ୍ଟ ଟିମ୍‌ ଦ୍ବାରା ଉଚ୍ଛେଦ କାମ କରାଯାଏ। ହେଲେ ଏନେଇ ଇଡ୍‌କୋ ପକ୍ଷରୁ ସିଏମ୍‌ସିକୁ କୌଣସି ସୂଚନା ଦିଆଯାଇ ନାହିଁ ବୋଲି ମେୟର ଶ୍ରୀ ସିଂହ କହିଛନ୍ତି। ସିଏମ୍‌ସି ଅଞ୍ଚଳରୁ ବସ୍ତି ଉଚ୍ଛେଦ ପୂର୍ବରୁ ବସ୍ତିବାସିନ୍ଦାଙ୍କୁ ଥଇଥାନ କରାଯିବର ବ୍ୟବସ୍ଥା ରହିଛି। ଏହି ନିୟମକୁ ସବୁ ବସ୍ତି ଉଚ୍ଛେଦ ସମୟରେ ପାଳନ କରାଯିବ ବୋଲି ମେୟର କହିଛନ୍ତି। ଅନ୍ୟପଟେ ଏହି ବସ୍ତିରେ ରହୁଥିବା ଡେପୁଟି ମେୟରଙ୍କ ପାଇଁ ସେହି ଅଞ୍ଚଳରେ ଏକ ପକ୍କା ଘର ନିର୍ମାଣ କାମ ଆରମ୍ଭ ହୋଇଥିବା ବେଳେ ଇଡକୋର ଏଭଳି ହଠାତ ଉଚ୍ଛେଦ ନିଷ୍ପତ୍ତି ପଛର ରହସ୍ୟକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି। ଏହି ପ୍ରସଙ୍ଗକୁ ନେଇ ଏବେ ରାଜନୀତି ବି ସରଗରମ ହୋଇଛି।