କଟକ: କଟକ ମହାନଗର ନିଗମର କୌଣସି ଅଞ୍ଚଳ ଆଉ ଅନ୍ଧାରରେ ରହିବ ନାହିଁ। ୫୯ଟି ୱାର୍ଡର ସବୁ ସ୍ଥାନକୁ ଆଲୋକିତ କରାଯିବ। ଏପରି କିଛି ଯୋଜନା ପ୍ରସ୍ତୁତ କରାଯାଇଥିଲା ୨୦୧୮ ମସିହାରେ। ସିଏମ୍ସିରେ ଷ୍ଟ୍ରିଟ ଲାଇଟ୍ ନଥିବା ଅନ୍ଧାରୁଆ ସ୍ଥାନରେ ‘ଗ୍ରିନ ଫିଲଡ୍’ ଯୋଜନାରେ ୬ ମାସ ମଧ୍ୟରେ ଏଲ୍ଇଡି ଲାଇଟ ଲଗାଇବାକୁ ସ୍ଥିର ହୋଇଥିଲା। ହେଲେ ଯୋଜନାକୁ ଦୁଇବର୍ଷରୁ ଅଧିକ ବିତିଯାଇ ଥିଲେ ବି ନିଗମ କର୍ତ୍ତୃପକ୍ଷଙ୍କ ଆନ୍ତରିକତା ଅଭାବରୁ ଆଜି ମଧ୍ୟ ଅନେକ ଅଞ୍ଚଳ ଅନ୍ଧାକାର ମଧ୍ୟରେ ରହିଛି। ସହର ମଧ୍ୟରେ ସିଏମ୍ସି ପକ୍ଷରୁ ଅନେକ ଯୋଜନା କରାଯାଉଥିବାବେଳେ ସହର ନିକଟବର୍ତ୍ତୀ ତଥା ନିଗମର ଅନୁନ୍ନତ ଅଞ୍ଚଳ ବାସିନ୍ଦାଙ୍କୁ ଆଲୋକ ପରି ମୌଳିକ ସୁବିଧା ଦେବାରେ ଫେଲ୍ ମାରିଛି ନିଗମ। ଉକ୍ତ ଯୋଜନାର ଦାୟିତ୍ବକୁ ଏକ ଘରୋଇ ସଂସ୍ଥାକୁ ପ୍ରଦାନ କରାଯାଇଥିଲା। ମାତ୍ର କମ୍ପାନି ଏ ଦିଗରେ ତତ୍ପରତା ପ୍ରକାଶ କରୁ ନଥିବା ବେଳେ ନିଗମ ଅଧିକାରୀ ବି ଯୋଜନାକୁ ନେଇ ହାତ ଟେକି ଦେଇଛନ୍ତି। ଏଥିରେ ସିଏମସିର ଅନୁନ୍ନତ ଅଞ୍ଚଳର ସାଧାରଣ ବାସିନ୍ଦା ଅନ୍ଧାରରେ ରହିବାକୁ ବାଧ୍ୟ ହେଉଛନ୍ତି।
ସିଏମ୍ସିର ୫୯ଟି ୱାର୍ଡ ମଧ୍ୟରୁ ଅନୁନ୍ନତ ୮ଟି ୱାର୍ଡରେ ଏଲ୍ଇଡି ଲାଇଟ ଲଗାଇବାକୁ ୨୦୧୮ରେ ଆରମ୍ଭ ହୋଇଥିଲା ଗ୍ରିନ୍ ଫିଲଡ୍ ଯୋଜନା। ମହାନଗର ନିଗମର ୮ଟି ୱାର୍ଡ ଯଥା; ୩, ୪୮, ୪୯, ୫୧, ୫୬, ୫୭, ୫୮ ଓ ୫୯ର ସବୁ ଅଞ୍ଚଳକୁ ଆଲୋକୀକରଣ କରିବା ପାଇଁ ଏଥିରେ ଯୋଜନା ପ୍ରସ୍ତୁତ ହୋଇଥିଲା। ୨୦୧୯ ଜୁନ ମାସ ସୁଦ୍ଧା ଉକ୍ତ ୮ଟି ୱାର୍ଡରେ ଥିବା ଅନ୍ଧାରୁଆ ସ୍ଥାନରେ ଖୁଣ୍ଟି ପୋତାଯାଇ ଏଲ୍ଇଡି ଲଗାଇବା ପାଇଁ ଘୋଷଣା ହୋଇଥିଲା। ଗୃହ ଓ ନଗର ଉନ୍ନୟନ ବିଭାଗ ଏକ ଘରୋଇ କମ୍ପାନି ସହିତ ରାଜ୍ୟର ସମସ୍ତ ପୌର ତଥା ସହରାଞ୍ଚଳର ଅନ୍ଧାରୁଆ ସ୍ଥାନରେ ଏଲ୍ଇଡି ଲାଇଟ୍ ଲଗାଇବାକୁ ଯୋଜନା ପ୍ରସ୍ତୁତି କରିଥିଲା। ହେଲେ ଏହି ଯୋଜନାକୁ ଦୁଇବର୍ଷରୁ ଅଧିକ ଦିନ ବିତିଯାଇଥିଲେ ବି ଆଜି ସୁଦ୍ଧା ଅନେକ ଖୁଣ୍ଟିରେ ଲାଇଟ ଜଳି ପାରିଲା ନାହିଁ। ୱାର୍ଡ୍ଗୁଡିକର ଅନେକ ସ୍ଥାନରେ ଖୁଣ୍ଟିରେ ତାର ଟଣାଯାଇ ଏଲ୍ଇଡି ଲାଇଟ ଲାଗିଥିଲେ ବି ସେଗୁଡିକୁ ଚାର୍ଜ କରାଯାଇ ନାହିଁ। ସେହିପରି ଅନେକ ଖୁଣ୍ଟିରେ ଲାଗିଥିବା ଏଲ୍ଇଡି ଖରାପ ହୋଇଯାଇଥିବାବେଳେ ସେଗୁଡ଼ିକର ମରାମତି କରାଯାଉ ନାହିଁ। ଉକ୍ତ ଅନୁନ୍ନତ ୱାର୍ଡ୍ଗୁଡିକ ୨୦ ବର୍ଷରୁ ଅଧିକ ସମୟରୁ ନିଗମ ସହିତ ଯୋଡି ହୋଇଥିଲେ ବି ସେଗୁଡିକର ଉନ୍ନତିକରଣ ପାଇଁ ନିଗମ କର୍ତ୍ତୃପକ୍ଷ ଆନ୍ତରିକତା ପ୍ରକାଶ କରୁ ନଥିବା ବାରମ୍ବାର ଅଭିଯୋଗ ହୋଇ ଆସୁଛି। ସିଏମ୍ସି ଅଧିକାରୀଙ୍କ ଆନ୍ତରିକତା ଓ ଅପାରଗତା ଯୋଗୁଁ ଗ୍ରିନ୍ ଫିଲଡ୍ ଯୋଜନା ଫେଲ ମାରିବା ଏହାର ଏକ ଜ୍ବଳନ୍ତ ଉଦାହରଣ।
ମହାନଗର ନିଗମର ୪୮ନମ୍ବର ୱାର୍ଡର ବୈକୁଣ୍ଠ ବିହାରରେ ଖୁଣ୍ଟିରେ ଏଲ୍ଇଡି ଲାଇଟ୍ ଲାଗିଥିଲେ ବି ସେଗୁଡିକୁ ଚାର୍ଜ କରାଯାଇ ନାହିଁ। ସେହିପରି ୱାର୍ଡର ଅନ୍ଧାରୀଠାରୁ ଜଗତପୁର ହାଇସ୍କୁଲ ପର୍ଯ୍ୟନ୍ତ ଏବେ ସୁଦ୍ଧା ଖୁଣ୍ଟି ପୋତାଯାଇ ନ ଥିବା ପୂର୍ବତନ କର୍ପୋରେଟର ନିରୋଦ ଚନ୍ଦ୍ର ପଣ୍ଡା ଅଭିଯୋଗ କରିଛନ୍ତି। ୫୬ ନମ୍ବର ୱାର୍ଡର ଉତ୍ତମାପୁର ଓ ପାଇକସାହି ନଦୀବନ୍ଧରେ ଖୁଣ୍ଟି ପୋତାଯାଇଛି, ହେଲେ ଏଲ୍ଇଡି ଲାଗି ନାହିଁ ବୋଲି ପୂର୍ବତନ କର୍ପୋରେଟର ସଂଜୟ ବରାଳ କହିଛନ୍ତି। ସେହିପରି ୪୯ ନମ୍ବର ୱାର୍ଡର ହୁଙ୍କେଶ୍ବର ମନ୍ଦିରରୁ ମଙ୍ଗଳା ମନ୍ଦିର, ୫୧ ନମ୍ବରର ପୋପରଡ଼ା ନଦୀବନ୍ଧ ରାସ୍ତା, ବ୍ଲୁ’ ଷ୍ଟାର ଛକ, ୫୭ ନମ୍ବର ୱାର୍ଡର ଶ୍ରୀକୋରୁଆଁ ଅଞ୍ଚଳ, ୫୮ ନମ୍ବର ୱାର୍ଡର ଡାହାଳିଆବାଗ, ନୂଆଗଡ଼ କେନାଲ ରୋଡ୍, ପ୍ରତାପନଗର ସାହି ଭିତରର ଅନେକ ଅଞ୍ଚଳରେ ଆଜି ସୁଦ୍ଧା ସିଏମ୍ସି ପକ୍ଷରୁ ଆଲୋକର ବ୍ୟବସ୍ଥା ହୋଇପାରିଲା ନାହିଁ। ନିଗମ କେବଳ ଘରୋଇ ସଂସ୍ଥାକୁ ଦାୟିତ୍ବ ଦେଇ ବସିପଡ଼ୁଥିବାବେଳେ ଯୋଜନା କାର୍ଯ୍ୟକ୍ଷମ କରିବା ଦିଗରେ କୌଣସି ପଦକ୍ଷେପ ନେଉ ନଥିବା ବିଭିନ୍ନ ୱାର୍ଡ ବାସିନ୍ଦା ଅଭିଯୋଗ କରିଛନ୍ତି।