ସିଏମ୍‌ସି ଅଧିକାରୀଙ୍କ ଠିକାସଂସ୍ଥା ପ୍ରୀତି, ଟେଣ୍ଡର ସିଡ୍ୟୁଲ ପୂରଣ କରି ନଥିବା ସଂସ୍ଥାକୁ ଅନୁମତି

କଟକ: ମହାନଗର ନିଗମ ପକ୍ଷରୁ ଅଳିଆ ସଂଗ୍ରହ ଗାଡ଼ି ପାଇଁ ଟେଣ୍ଡର ଡକାଯାଇଥିବା ବେଳେ ଆବଶ୍ୟକୀୟ ତଥ୍ୟ ପ୍ରଦାନ କରି ନଥିବା ସଂସ୍ଥାକୁ ନିଗମ ପକ୍ଷରୁ ଟେଣ୍ଡର ମିଳିଥିବା ଅଭିଯୋଗ ହୋଇଛି। ଠିକାସଂସ୍ଥା ପ୍ରୀତିରେ ଅଧିକାରୀ ଟେଣ୍ଡର ପ୍ରକ୍ରିୟାର ନିୟମକୁ ଅଣଦେଖା କରିଛନ୍ତି। ଲୋକଙ୍କ ଘରୁ ଅଳିଆ ସଂଗ୍ରହ କରିବା ପାଇଁ ଆବଶ୍ୟକ ଥିବା ଗାଡି ପାଇଁ ଟେଣ୍ଡର ହୋଇଥିବା ‌ବେଳେ ଏଥିରେ ଅଂଶଗ୍ରହଣ କରିଥିବା କିଛି ସଂସ୍ଥା ସେମାନଙ୍କ ଟେଣ୍ଡର ସିଡ୍ୟୁଲ ବା ବିଲ୍ ଅଫ୍‌ କୋଟେସନ୍‌କୁ ଠିକ ଭାବେ ପୂରଣ କରି ନ ଥିବା ସମୟରେ ସେମାନଙ୍କୁ ଏହା ପ୍ରଦାନ କରାଯାଇଥିବା ଅଭିଯୋଗ ହୋଇଛି। ଏକ ନିର୍ଦ୍ଦିଷ୍ଟ ଠିକାସଂସ୍ଥାକୁ ଟେଣ୍ଡର ଦେବାକୁ ନିଗମ କର୍ତ୍ତୃପକ୍ଷ ସମସ୍ତ ନିୟମ ପ୍ରତି ଆଖି ବୁଜି ଦେଇଛନ୍ତି। ସହରର ଘରକୁ ଘର ଯାଇ ଅଳିଆ ସଂଗ୍ରହ କରିବା ଓ ସେଗୁଡିକୁ ଏମ୍‌ସିସି ପଏଣ୍ଟକୁ ପଠାଇବା ପାଇଁ ଆବଶ୍ୟକ ଥିବା ୩୧ଟି ଗାଡି ପାଇଁ ସିଏମ୍‌ସି ପକ୍ଷରୁ ଗତ ୭ତାରିଖରେ ଟେଣ୍ଡର୍‌ ଡକାଯାଇଥିଲା। ୧୮ ତାରିଖ ସୁଦ୍ଧା ଏଥିରେ ଅଂଶ୍ରଗହଣ କରୁଥିବା ସଂସ୍ଥା ସେମାନଙ୍କ କାଗଜପତ୍ର ନିଗମ କାର୍ଯ୍ୟାଳୟରେ ଦାଖଲ କରିବାକୁ କୁହାଯାଇଥିଲା।

ଏଥିରେ ୬ଟି ସଂସ୍ଥା ଅଂଶଗ୍ରହଣ କରିଥିଲେ। ଓଦା ଓ ଶୁଖିଲା ଅଳିଆ ସଂଗ୍ରହ ପାଇଁ ଟାଟା ଏସିଇ, ଫୋର୍ସ, ମହିନ୍ଦ୍ରା ଗାଡ଼ି ଦେବାକୁ ବିଜ୍ଞପ୍ତିରେ ସୂଚନା ଦିଆଯାଇଥିଲା। ସଂସ୍ଥା କେବଳ ଗାଡ଼ି ଓ ତେଲ ଦେବ, ମାତ୍ର ଗାଡିର ଡ୍ରାଇଭର ଓ ଗାଡିରେ ଅଳିଆ ପକାଇବା ଓ ଖାଲି କରିବା ପାଇଁ ଗାଡି ପିଛା ଦୁଇଜଣଙ୍କୁ ସିଏମ୍‌ସି କିମ୍ବା ଏସ୍‌ଏଚ୍‌ଜି ଗ୍ରୁପଙ୍କ ପକ୍ଷରୁ ନିୟୋଜିତ କରାଯିବ ବୋଲି କୁହାଯାଇଥିଲା। ଟେଣ୍ଡର୍‌ରେ ଅଂଶଗ୍ରହଣ କରିଥିବା ୬ଟି ସଂସ୍ଥା ମଧ୍ୟରୁ ତିନିଟି ସଂସ୍ଥା ସେମାନଙ୍କ ଟେଣ୍ଡର ସିଡ୍ୟୁଲ୍‌ ବା ବିଲ୍‌ ଅଫ୍‌ କୋଟେସନ୍‌କୁ ସଠିକ ଭାବେ ପୂରଣ କରି ନାହାନ୍ତି। ଏଥିରେ ଗାଡି ବାବଦରେ ମାସିକ ଭଡା ଉପରେ ଜିଏସ୍‌ଟି ଉଲ୍ଲେଖ କରାଯାଇ ନାହିଁ। ଅନ୍ୟପଟେ ଭଡ଼ା ଟଙ୍କାକୁ ଅକ୍ଷରରେ ଲେଖିବାର ନିୟମ ଥିବା ବେଳେ ଏହାକୁ କେବଳ ସଂଖ୍ୟାରେ ଲେଖିଛନ୍ତି। ତେବେ ଟେଣ୍ଡର ସିଡ୍ୟୁଲ୍‌ ଠିକ ଭାବେ ପୂରଣ କରି ନ ଥିବା ସଂସ୍ଥାକୁ ଗୁରୁତ୍ବ ଦେଇ ଅଧିକାରୀ ଅନ୍ୟ ୩ଟି ସଂସ୍ଥାକୁ କାଟି ଦେଇଛନ୍ତି। ଏ ନେଇ ସିଏମ୍‌ସି ନିର୍ବାହୀ ଯନ୍ତ୍ରୀ ଡି.ଆର୍‌. ତ୍ରିପାଠୀ କହନ୍ତି, ଟେଣ୍ଡର୍‌ରେ କୌଣସି ପ୍ରକାର ଅନିୟମିତତା କରାଯାଇ ନାହିଁ। ଏମ୍‌ପ୍ୟାନେଲିଂ କରାଯାଇ ମାସକୁ ଗାଡି ପିଛା ସର୍ବନିମ୍ନ ରେଟ୍‌ ୨୯ ହଜାର ୫ଶହ ଟଙ୍କା ଯାଇଛି। ଗାଡି ବାବଦକୁ ମାସକୁ ଉକ୍ତ ଟଙ୍କା ଦିଆଯିବା ସହିତ ସଂସ୍ଥାକୁ ଦିନକୁ ୪ରୁ ୫ଲିଟର ତେଲ ଦିଆଯିବ ବୋଲି ‌ଶ୍ରୀ ତ୍ରିପାଠୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର