ସିଏମ୍‌ସିର ଠିକାସଂସ୍ଥା ପ୍ରୀତି, ୫ବର୍ଷରେ ୩୮ ହଜାର, ୨ ମାସରେ କେମିତି ଲାଗିବ ୩.୫ ହଜାର?

କଟକ: ମହାନଗର ନିଗମର ୫୯ଟି ୱାର୍ଡର ସମସ୍ତ ଅଞ୍ଚଳକୁ ଆଲୋକୀକରଣ କରିବା ପାଇଁ ସିଏମ୍‌ସି ପକ୍ଷରୁ ଘରୋଇ ସଂସ୍ଥା ନିଭ୍‌କୁ ୫ ବର୍ଷ ପାଇଁ ଦାୟିତ୍ବ ଦିଆଗଲା। ଗତବର୍ଷ ଡିସେମ୍ବରରେ ଏହି ସମୟ ସୀମା ଶେଷ ହୋଇଥିବା ବେଳେ ନିଗମ ପକ୍ଷରୁ ସାନି ଟେଣ୍ଡର୍‌ କରିବା ବଦଳରେ ନିଭ୍‌ର ସମୟସୀମା ବଢାଇବା ପାଇଁ ସରକାରଙ୍କୁ ଚିଠି କରାଯାଇଛି। ସମୟ ମଧ୍ୟରେ କାମ ଶେଷ କରି ନଥିବା ସଂସ୍ଥାକୁ ପୁନର୍ବାର ଅଧିକ ସମୟ ଦେବା ପଛରେ କାହାର ସ୍ବାର୍ଥ ରହିଛି ତାହା ଏବେ ସାଧାରଣରେ ଆଲୋଚନା ହେଉଛି।
କଟକ ସହରର ସବୁ ଗଳିକନ୍ଦିକୁ ଆଲୋକମୟ କରିବା ପାଇଁ ୨୦୧୭ରେ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ସହରର ସବୁ ବିଦ୍ୟୁତ୍‌ଖୁଣ୍ଟିରେ ପୂର୍ବରୁ ଲଗିଥିବା ସୋଡିୟମ୍‌ ଲାଇଟ୍‌ ବଦଳରେ ଏଲ୍‌ଇଡି ଲଗାଇବାକୁ ଯୋଜନା କରାଗଲା। ଖୁଣ୍ଟିରେ ଏଲ୍‌ଇଡି ଲଗାଇବା ଓ ଏହାର ମରାମତି ପାଇଁ ନିଭ୍‌ ସଂସ୍ଥା ସହିତ ସିଏମ୍‌ସି ୫ବର୍ଷ ପାଇଁ ଚୁକ୍ତି କରିଲା। ଏହି ସମୟ ମଧ୍ୟରେ ସବୁ ସ୍ଥାନରେ ଏଲ୍‌ଇଡି ଲଗାଇବା ଓ ଏହାର ରକ୍ଷଣାବେକ୍ଷଣ କାମ ନିଭ୍‌କୁ ଦିଆଗଲା। ୨୦୧୭ରେ ହୋଇଥିବା ଉକ୍ତ ଚୁକ୍ତି ଗତ ୨୦୨୧ ଡିସେମ୍ବରରେ ଶେଷ ହୋଇଛି। ନିଗମର ୫୯ଟି ୱାର୍ଡରେ ୪୨,୫୦୦ ଏଲ୍‌ଇଡି ଲାଗାଇବାକୁ ନିଭ୍‌କୁ କୁହାଯାଇଥିଲା। ମାତ୍ର ୫ବର୍ଷ ମଧ୍ୟରେ ନିଭ୍‌ ପକ୍ଷରୁ ମାସକୁ ୬୩୩ଟି ଏଲ୍‌ଇଡି ଲଗାଇବା ହାରରେ ମୋଟ ୩୮ ହଜାର ଲାଇଟ୍‌ ଲଗାଯାଇଛି। ବାକି ୩ହଜାର ୫ଶହ ଏଲ୍‌ଇଡି ଏବେ ସୁଦ୍ଧା ଲାଗି ପାରି ନାହିଁ।

ମାତ୍ର ସମୟ ସୀମା ମଧ୍ୟରେ କାମ ଶେଷ କରି ନଥିବା ନିଭ୍‌କୁ ଅଧିକ ସମୟ ଦେବାକୁ ସିଏମ୍‌ସି ତରଫରୁ ଗତ ଡିସେମ୍ବରରେ ସରକାରଙ୍କୁ ଚିଠି କରାଯାଇଛି। ଏହି ସମୟକୁ ଆସନ୍ତା ମାର୍ଚ୍ଚ ପର୍ଯ୍ୟନ୍ତ ବଢାଇବାକୁ ଚିଠିରେ କୁହାଯାଇଛି। ସେପଟେ ସରକାରଙ୍କ ନିକଟରେ କୌଣସି ଅନୁମତି ମିଳି ନଥିବାରୁ ନିଭ୍‌ ପକ୍ଷରୁ ଗତ ଡିସେମ୍ବରରୁ ସହରରେ ନୂଆ ଏଲ୍‌ଇଡି ଲଗାଇବା କାମ ବନ୍ଦ ରଖାଯାଇଛି। ‌ତେବେ, ମାସକୁ ମାତ୍ର ୬୩୩ଟି ଏଲ୍‌ଇଡି ଲଗାଉଥିବା ନିଭ୍‌ କିପରି ଆସନ୍ତା ଫେବ୍ରୁଆରି ଓ ମାର୍ଚ୍ଚ ୨ ମାସ ଭିତରେ ୩,୫୦୦ ଏଲ୍‌ଇଡି ଲଗାଇବ, ତାହା ସାଧାରଣରେ ପ୍ରଶ୍ନ ସୃଷ୍ଟି କରିଛି। ଚୁକ୍ତି ସମୟ ଶେଷ ହେବା ପରେ ସିଏମ୍‌ସି କର୍ତ୍ତୃପକ୍ଷ ସାନି ଟେଣ୍ଡର୍‌ ନକରି, ସମୟ ମଧ୍ୟରେ କାମ ଶେଷ କରି ନଥିବା ନିଭ୍‌କୁ ଅଧିକ ସମୟ ଦେବାକୁ କାହିଁକି ଓ କାହା ସ୍ବାର୍ଥରେ ସରକାରଙ୍କୁ ଚିଠି କରୁଛନ୍ତି ତାହାକୁ ନେଇ ଏବେ ସବୁଆଡେ ଚର୍ଚ୍ଚା ଜୋର୍‌ ଧରିଛି। ନିଭ୍‌ର ସମୟ ଶେଷ ହୋଇଥିବା ବେଳେ ଆସନ୍ତା ମାର୍ଚ୍ଚ ପର୍ଯ୍ୟନ୍ତ ଉକ୍ତ ସଂସ୍ଥାକୁ ସମୟ ଦେବାକୁ ନିଗମ ପକ୍ଷରୁ ସରକାରଙ୍କୁ ଚିଠି କରାଯାଇଛି। ମାତ୍ର ସରକାରଙ୍କ ନିକଟରୁ କୌଣସି ଉତ୍ତର ଆସି ନଥିବାରୁ ନିଭ୍‌ ଏବେ ନୂଆ ଏଲ୍‌ଇଡି ଲଗାଇବା କାମ ବନ୍ଦ ରଖିଛି ବୋଲି ନିଗମର ଇଂଜିନିୟର ପ୍ରଭାସ ଚନ୍ଦ୍ର ବିଶ୍ବାଳ କହିଛନ୍ତି।

ସମ୍ବନ୍ଧିତ ଖବର