କଟକ: ସହରର ପରିମଳ ଟେଣ୍ଡରକୁ ନେଇ ସରକାରଙ୍କ ପକ୍ଷରୁ ଗଲା ସେପ୍ଟେମ୍ବର ମାସରେ ଅନୁମତି ମିଳିଥିଲା। ମାତ୍ର ଏହା ମଧ୍ୟରେ ୨ମାସ ବିତି ଯାଇଥିଲେ ବି ଏହାକୁ ସଂପୂର୍ଣ୍ଣ ଭାବେ ନିଗମର ସବୁ ୱାର୍ଡରେ କାର୍ଯ୍ୟକ୍ଷମ କରାଯାଇ ପାରିଲା ନାହିଁ। ଦୁଇ ମାସ ମଧ୍ୟରେ ନିଗମର ୫୯ଟି ୱାର୍ଡରୁ କେବଳ ୨୫ଟି ୱାର୍ଡରେ ଏହାକୁ ଲାଗୁ କରାଯାଇ ଥିବା ବେଳେ ବାକି ୱାର୍ଡରେ ଏହା କେେବ କାର୍ଯ୍ୟକାରୀ ହେବ ଏହାର ଉତ୍ତର ଅଧିକାରୀଙ୍କ ନିକଟରେ ନାହିଁ। ରାଜ୍ୟ ସରକାରଙ୍କ ଠାରୁ ଅନୁମତି ମିଳିବା ପରେ ପୌର ନିଗମର ପରିମଳ ଟେଣ୍ଡରକୁ ନେଇ ୭ବର୍ଷ ଧରି ଲାଗି ରହିଥିବା ଅନିଶ୍ଚିତତାରେ ପୂର୍ଣ୍ଣଛେଦ ପଡ଼ିବ ବୋଲି ସହରବାସୀ ଆଶା ରଖିଥିଲେ। ହେଲେ କର୍ତ୍ତୃପକ୍ଷଙ୍କ ଉଦାସୀନତା ପାଇଁ ଏହାକୁ ସବୁ ୱାର୍ଡରେ ଲାଗୁ କରା ନଯିବା ବିଷୟ ସାଧାରଣରେ ଉଦ୍ବେଗ ପ୍ରକାଶ ପାଇଛି। ସହରର ବିପର୍ଯ୍ୟସ୍ତ ପରିମଳ ସ୍ଥିତିକୁ ନେଇ ସାଧାରଣରେ ଅସନ୍ତୋଷ ବଢିବାରେ ଲାଗିଛି। ୨୦୧୫, ମେ’ରେ ରାମ୍କୀ ସହିତ ପୌର ନିଗମର ଚୁକ୍ତିନାମା ଶେଷ ହେବା ପରେ ପରିମଳ ଟେଣ୍ଡରକୁ ନେଇ ଅଚଳାବସ୍ଥା ଲାଗି ରହିଥିଲା। ନିଗମ ତରଫରୁ ବାରମ୍ବାର ଟେଣ୍ଡର ପ୍ରସ୍ତୁତ କରାଯାଇ ଅନୁମୋଦନ ପାଇଁ ରାଜ୍ୟ ସରକାରଙ୍କୁ ପଠାଯାଉଥିଲା। ମାତ୍ର ବିଭିନ୍ନ ତ୍ରୁଟି ଥିବାର ଦର୍ଶାଇ ଏହାକୁ ବାତିଲ କରାଯାଉଥିଲା। ଏପରିକି ବାରମ୍ବାର ଟେଣ୍ଡର ପେପର୍ ବାତିଲ ହେବାରୁ ନିଗମ ହାତରୁ ଟେଣ୍ଡର ପ୍ରସ୍ତୁତ କରିବାର କ୍ଷମତାକୁ ରାଜ୍ୟ ସରକାର କାଢି ନେଇଥିଲେ।
ସରକାରଙ୍କ ପକ୍ଷରୁ ଗତ ଫେବ୍ରୁଆରିରେ ବିଭିନ୍ନ ବିଭାଗର ଅଧିକାରୀଙ୍କୁ ନେଇ ଏକ ଟେକ୍ନିକାଲ୍ ଟିମ୍ ଗଠନ କରାଯାଇ ଟେଣ୍ଡର ପେପ୍ର ପ୍ରସ୍ତୁତ କରାଗଲା। ଏଥିରେ ନିଗମର ୫୯ଟି ୱାର୍ଡକୁ ୬ଟି ଜୋନ୍ରେ ବାଣ୍ଟିବା ସହିତ ପ୍ରତି ଜୋନ୍ରେ ୯ରୁ ୧୦ଟି ୱାର୍ଡକୁ ରଖାଗଲା। ନିଗମର ୬ଟି ଜୋନ୍ ପାଇଁ ପୃଥକ ଭାବେ ୬ଟି ଟେଣ୍ଡର ଗତ ଏପ୍ରିଲରେ ଡକାଗଲା। ଗୋଟିଏ ଠିକା ସଂସ୍ଥା ୬ଟି ଜୋନ୍ ପାଇଁ ଟେଣ୍ଡର ପକାଇ ପାରିବ। ମାତ୍ର ଗୋଟିଏ ସଂସ୍ଥାକୁ ସର୍ବାଧିକ ୨ଟି ଜୋନ୍ର ଟେଣ୍ଡର୍ ମିଳିବ ବୋଲି ଏଥିରେ କୁହାଗଲା। ନିଗମ ପକ୍ଷରୁ ଟେକ୍ନିକାଲ ଓ ଫାଇନାନ୍ସିଆଲ ବିଡ୍ ଖୋଲିବା ପରେ ସମସ୍ତ ବିଷୟକୁ କଣ୍ଟ୍ରାକ୍ଟ କମିଟିକୁ ପଠାଯାଇ ସରକାରଙ୍କ ମଞ୍ଜୁରୀ ପାଇଁ ପଠାଗଲା। ଶେଷରେ ସେପ୍ଟେମ୍ବର ୨୦ ତାରିଖରେ ସରକାରଙ୍କ ପକ୍ଷରୁ ୬ଟି ଜୋନ୍କୁ ମଞ୍ଜୁରୀ ପ୍ରଦାନ କରାଗଲା। ଏଥିରେ ୩ଟି ଘରୋଇ ସଂସ୍ଥା ଯଥା ଜାଗୃତିକୁ ଜୋନ୍ ନଂ ୧ ଓ ୬, ମଂଜୁଶ୍ରୀକୁ ଜୋନ୍ ନଂ ୩ ଓ ୪, ପ୍ରତ୍ୟୁଷକୁ ଜୋନ୍ ନଂ ୨ ଓ ୫ର ପରିମଳ କାମ ମିଳିଲା। ସେପଟେ ଗତ ଅକ୍ଟୋବର ୧୪ରେ ପ୍ରଥମ ପ୍ରର୍ଯ୍ୟାୟରେ ନିଗମର ତିନିଟି ୱାର୍ଡରେ ଉକ୍ତ ପରିମଳ କାର୍ଯ୍ୟକ୍ରମକୁ ପାଇଲଟ୍ ପ୍ରୋଜେକ୍ଟ ଭାବେ ଆରମ୍ଭ କରାଗଲା। ୱାର୍ଡ ନମ୍ବର ୧୨େର ପ୍ରତ୍ୟୁଷ, ୨୧ ନମ୍ବର ୱାର୍ଡରେ ମଞ୍ଜୁଶ୍ରୀ ଓ ୱାର୍ଡ ନମ୍ବର ୫ରେ ଜାଗୃତି ସଂସ୍ଥା ପକ୍ଷରୁ କାମ ଆରମ୍ଭ ହେଲା। ନିଗମର ୨୫ଟି ୱାର୍ଡରେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ପ୍ରର୍ଯ୍ୟାୟରେ ନୂଆ ପରିମଳ ବ୍ୟବସ୍ଥାକୁ ଲାଗୁ କରାଯାଇଛି। ଖୁବ ଶିଘ୍ର ଏହାକୁ ବାକି ୱାର୍ଡରେ ଲାଗୁ କରାଯିବ ବୋଲି ଡେପୁଟି କମିସନର (ସାନିଟେସନ୍) ସଞ୍ଜୀବିତା ରାୟ କହିଛନ୍ତି।