କଟକ: ପୌର ନିଗମରେ ଏବେ ଏକାଧିକ ଆଉଟସୋର୍ସିଂ ସଂସ୍ଥା ମାଧ୍ୟମରେ ବିଭିନ୍ନ କା‌ମରେ ଅସ୍ଥାୟୀ କର୍ମଚାରୀଙ୍କ ନିୟୋଜିତ କରାଯାଇଛି। ମାତ୍ର ଘରୋଇ ସଂସ୍ଥାଗୁଡିକ ନିୟମିତ ଭାବେ କର୍ମଚାରୀଙ୍କୁ ଦରମା ଦେଉ ନଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ବିଗତ ଦିନରେ ଅସ୍ଥାୟୀ କର୍ମଚାରୀମାନେ ନିଗମ କର୍ତ୍ତୃପକ୍ଷଙ୍କ ନିକଟରେ ବାରମ୍ବାର ଅଭିଯୋଗ କରିବା ସହ ବିକାଶ ଭବନ ଘେରାଉ କରିଛନ୍ତି। ମାତ୍ର କର୍ମଚାରୀଙ୍କ ସମସ୍ୟାର ସମାଧାନ କରିବା ବଦଳରେ ଅଧିକାରୀ ଘରୋଇ ସଂସ୍ଥାଙ୍କୁ ନିରବରେ ସମର୍ଥନ କରୁଥିବା ଅଭିଯୋଗ ହୋଇଛି। ଘରୋଇ ସଂସ୍ଥା ସହିତ ଚୁକ୍ତି କରିବା ସମୟରେ ସେମାନଙ୍କ ଦ୍ବାରା ନିୟୋଜିତ ହୋଇଥିବା କର୍ମଚାରୀଙ୍କୁ ନିୟମିତ ଦରମା ଦେବାକୁ ନିଗମ ପକ୍ଷରୁ କୁହାଯାଇଥିଲା। ମାତ୍ର ଘରୋଇ ସଂସ୍ଥାଗୁଡିକ ସମୟରେ ଟଙ୍କା ନଦେଇ ଚକ୍ତି ଖିଲାପ କରୁଥିବା ବେଳେ ନିଗମ ଅଧିକାରୀ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ଘଟଣାକୁ ବିଭିନ୍ନ ଦଳର କ‌ର୍ପୋରେଟରଙ୍କ ପକ୍ଷରୁ ବିରୋଧ କରାଯାଇଛି। ସୂଚନାଯୋଗ୍ୟ, ପୌର ନିଗମର ବିଭିନ୍ନ କା‌ମରେ ଆଉଟସୋର୍ସିଂ ସଂସ୍ଥା ଜଗନ୍ନାଥ ପ୍ରସାଦ ନର୍ସରି ପକ୍ଷରୁ ଗତ ନଭେମ୍ବରରୁ ନିଗମର ୧୧ଟି ବିଭାଗରେ ୪୮୪ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ମାତ୍ର ସେମାନଙ୍କୁ ନିୟମିତ ଦରମା ମିଳୁ ନଥିବା ଅଭିଯୋଗ ହୋଇଛି।

Advertisment

ନିୟମିତ ଦରମା ପ୍ରଦାନ କରାଯାଉ ନଥିବା ବେଳେ କିଛି କର୍ମଚାରୀଙ୍କୁ ଦରମାର ୪୦ରୁ ୬୦ ପ୍ରତିଶତ ଟଙ୍କା ପ୍ରଦାନ କରାଯାଇଛି। ଏହାକୁ ନେଇ ବିଗତ ଦିନରେ ଅସ୍ଥାୟୀ କର୍ମଚାରୀଙ୍କ ତରଫରୁ ଆନ୍ଦୋଳନ କରାଯାଇଛି। ଅନ୍ୟପଟେ ପୌର ନିଗମ ପକ୍ଷରୁ ବିକାଶ ଭବନଠାରେ ଖୋଲା ଯାଇଥିବା କଲ୍‌ ସେଣ୍ଟର୍‌ରେ ‘ଆର୍ଯ୍ୟଭଟ୍ଟ କମ୍ପ୍ୟୁଟର୍ସ’ ନାମକ ଏକ ଘରୋଇ ସଂସ୍ଥା ମାଧ୍ୟମରେ ଗତ ନଭେମ୍ବର ୧୪ରେ ୧୫ ଜଣ କର୍ମଚାରୀଙ୍କୁ ଏକ ବର୍ଷ ପାଇଁ ଅସ୍ଥାୟୀ ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି। ୧୫ ଜଣ କର୍ମଚାରୀଙ୍କ ମଧ୍ୟରେ ୧୩ଜଣ ମହିଳା ଓ ୨ଜଣ ପୁରୁଷ ଅଛନ୍ତି। ଗତ ନଭେମ୍ବରରୁ ସେଣ୍ଟର୍‌ରେ କାମ କରୁଥିବା କର୍ମଚାରୀଙ୍କୁ ସମୟରେ ସଂସ୍ଥା ଦରମା ଦେଉ ନଥିବା ଅଭିଯୋଗ ହୋଇଛି। ପୌର ନିଗମରେ ଏକାଧିକ ଘରୋଇ ସଂସ୍ଥାଙ୍କ ଦ୍ବାରା ଗତ ୪ ମାସ ମଧ୍ୟରେ ୫ଶହରୁ ଅଧିକ ଅସ୍ଥାୟୀ କର୍ମଚାରୀ ନିୟୋଜିତ କରାଯାଇଥିବା ବେଳେ ସେମାନଙ୍କୁ ନିୟମିତ ଦରମା ମିଳୁ ନଥିବା ଅଭିଯୋଗ ହୋଇଛି। ସ୍ବଳ୍ପ ଦରମାରେ କାମ କରୁଥିବା ଅସ୍ଥାୟୀ କର୍ମଚାରୀଙ୍କୁ ସମୟରେ ଦରମା ନଦେଇ ଘରୋଇ ସଂସ୍ଥାଗୁଡିକ ନିଗମ ସହିତ କରିଥିବା ଚୁକ୍ତିର ଖୋଲା ଉଲ୍ଲଂଘନ କରୁଥିବା ବେଳେ କର୍ତ୍ତୃପକ୍ଷ ଏହାକୁ ଅଣଦେଖା କରିବାକୁ ନେଇ ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଇଛି।