କଟକ: କଟକ ମହାନଗର ନିଗମ ପକ୍ଷରୁ ସହରର ଆଲୋକୀକରଣର ବିଭିନ୍ନ ତଥ୍ୟ ସୂଚନା ଅଧିକାର ଆଇନରେ ଦେବା ପାଇଁ ୮ ହଜାର ୫ଶହ ଟଙ୍କା ଦାଖଲ କରିବାକୁ କୁହାଯାଇଛି। ସୂଚନା ଅଧିକାର ଆଇନ ବଳରେ ସହରରେ ଏଲ୍ଇଡି ଲାଇଟ ଲଗାଇବାରେ କେତେ ଅର୍ଥ ଖର୍ଚ୍ଚ ହୋଇଛି, କେଉଁ କେଉଁ ସ୍ଥାନରେ ଲାଇଟ ଲଗାଯାଇଛି, ଏହାର ରକ୍ଷଣାବେକ୍ଷଣ ଓ ମରାମତି ଦାୟିତ୍ବ କାହାକୁ ଦିଆଯାଇଛି, କେଉଁ ୱାର୍ଡରେ କେତେ ଲାଇଟ ଅଚଳ ହୋଇ ପଡ଼ିଛି ଏନେଇ ସୂଚନା ଅଧିକାର କର୍ମୀ ଜିତେନ୍ଦ୍ର କୁମାର ସାହୁ ତଥ୍ୟ ମାଗିଥିଲେ। ତେବେ ସିଏମ୍ସି ପକ୍ଷରୁ (ଚିଠି ନମ୍ବର-୪୦୨୦/୧୬-୦୭-୨୦୨୧) କୁହାଯାଇଛି ଯେ ସୁପରିଟେଣ୍ଡେଣ୍ଟ ଇଂଜିନିୟର-୧ ମାଧ୍ୟମରେ ତଥ୍ୟ ଦେବା ପାଇଁ ୮ହଜାର ୫ଶହ ଟଙ୍କା ଦାଖଲ କରିବାକୁ ପଡିବ।
ମାତ୍ର ସୂଚନା ଅଧିକାର ଆଇନରେ କେତେ ପୃଷ୍ଠାର ତଥ୍ୟ ଦିଆଯିବ, କେଉଁ କେଉଁ ବାବଦକୁ କେତେ ଅର୍ଥ ମଗାଯାଇଛି ତାହାର କୌଣସି ବିବରଣୀ ନିଗମ ତରଫରୁ ପ୍ରଦାନ କରାଯାଇ ନାହିଁ। ସିଏମ୍ସି ଅଧିକାରୀ ସୂଚନା ଅଧିକାର କର୍ମୀଙ୍କୁ ତଥ୍ୟ ନ ଦେବା ପାଇଁ ଏଭଳି ମୋଟା ଅଙ୍କର ଅର୍ଥ ରାଶି ମାଗି ନିରାଶ କରୁଥିବା ସୂଚନା ଅଧିକାର କର୍ମୀ ଜିତେନ୍ଦ୍ର ସାହୁ ଅଭିଯୋଗ କରିଛନ୍ତି। ପୂର୍ବରୁ ସିଏମ୍ସିରେ ଅର୍ଥ ଦାଖଲ ପରେ ମଧ୍ୟ ତଥ୍ୟ ଠିକ ସମୟରେ ମିଳିନାହିଁ। ତେଣୁ ଏଲ୍ଇଡି ଲାଇଟକୁ ନେଇ ମଗାଯାଇଥିବା ସୂଚନାର ତଥ୍ୟ ନ ଦେବା ପାଇଁ ଜାଣିଶୁଣି ଏଭଳି ଟଙ୍କା ମଗାଯାଉ ଥିବା ଶ୍ରୀ ସାହୁ ଅଭିଯୋଗ କରିଛନ୍ତି। ତେବେ ତଥ୍ୟ ପାଇବା ପାଇଁ ସୂଚନା କମିସନଙ୍କ ଦ୍ବାରସ୍ଥ ହେବା ସହ ପ୍ରଥମ ଅପିଲ କରିବେ ବୋଲି ଶ୍ରୀ ସାହୁ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/CMC2091633.jpg)
