କଟକ: ମହାନଗର ନିଗମର କର୍ତ୍ତୃପକ୍ଷଙ୍କ ଠିକାସଂସ୍ଥା ପ୍ରୀତି ପାଖରେ କାମ ଦେଲାନି ପ୍ରଶାସକଙ୍କ ନିର୍ଦ୍ଦେଶ। ଅସ୍ଥାୟୀ କର୍ମଚାରୀ ଯୋଗାଉଥିବା ଠିକାସଂସ୍ଥା ଚୟନ ଶିଘ୍ର ଶେଷ କରିବାକୁ ପ୍ରଶାସକଙ୍କ ନିର୍ଦ୍ଦେଶ ଥିବା ବେଳେ ଏବେ ଏହାକୁ ନାକଚ କରିବାକୁ ନିଷ୍ପତ୍ତି ନେଇଛନ୍ତି କର୍ତ୍ତୃପକ୍ଷ। ଟେକ୍ନିକାଲ ବିଡ୍ ଖୋଲିବାର ୬ ମାସ ମଧ୍ୟରେ ଫାଇନାନ୍ସିଆଲ ବିଡ୍ ଖୋଲାଯାଇ ନଥିବାରୁ ଏହାକୁ ନାକଚ କରାଯାଉଥିବା ନିଗମ ତରଫରୁ କୁହାଯାଇଛି। ତେବେ ଏକ ନିର୍ଦ୍ଦିଷ୍ଟ ଠିକା ସଂସ୍ଥାରୁ ବିନା ଟେଣ୍ଡରେ ଅସ୍ଥାୟୀ କର୍ମଚାରୀ ଅଣାଯାଉ ଥିବା ବେଳେ ଉକ୍ତ ସଂସ୍ଥାର ସ୍ବାର୍ଥକୁ ଦେଖି ଡକାଯାଇଥିବା ଟେଣ୍ଡରକୁ ବାତିଲ କରିବାକୁ ସିଏମ୍ସି ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଥିବା ଅଭିଯୋଗ ହୋଇଛି। ମହାନଗର ନିଗମର ବିଭିନ୍ନ କାମର ଆବଶ୍ୟକତାକୁ ଦୃଷ୍ଟିରେ ରଖାଯାଇ ବାହ୍ୟ ନିଯୁକ୍ତି ସଂସ୍ଥା ମାଧ୍ୟମରେ ଅସ୍ଥାୟୀ କର୍ମଚାରୀ ଯୋଗଣ ନିମନ୍ତେ ଗତ ମାର୍ଚ୍ଚ ୧୮ ତାରିଖରେ ଟେଣ୍ଡର ଡକାଯାଇଥିଲା। ଏଥିରେ ୧୦ ଜଣ ବିଡର୍ ଅଂଶଗ୍ରହଣ କରିଥିଲେ। ସେହି ମାସ ୨୭ ତାରିଖରେ ଟେଣ୍ଡର ଟେକ୍ନିକାଲ ବିଡ୍ ଖୋଲା ଯାଇଥିଲା। ଏଥିରେ ୫ଜଣ ବିଡର କଟି ଯାଇଥିଲେ। ହେଲେ ଟେକ୍ନିକାଲ ବିଡରେ ଯୋଗ୍ୟତା ହାସଲ କରିଥିବା ବାକି ୫ଜଣଙ୍କ ଫାଇନାନ୍ସିଆଲ ବିଡ୍ ଆଜି ସୁଦ୍ଧା କର୍ତ୍ତୃପକ୍ଷ ଖୋଲିଲେ ନାହିଁ। ଡକା ଯାଇଥିବା ଟେଣ୍ଡର ଫାଇନାନ୍ସିଆଲ ବିଡ୍ ଖୋଲିବାକୁ ଗତ ଏପ୍ରିଲ ୨୯ ତାରିଖରେ ନିଗମର କାଉନସିଲ ବୈଠକରେ ସିଏମ୍ସି ପ୍ରଶାସକ ତଥା କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ଅନିଲ କୁମାର ସାମଲ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ଆଜି ସୁଦ୍ଧା ତାହା ପାଳନ କରାଯାଇ ନଥିବା ବେଳେ ଗତ ସେପ୍ଟେମ୍ବର ୨୮ ତାରିଖରେ ବସିଥିବା ସିଏମ୍ସି କାଉସିଲରେ ଉକ୍ତ ଟେଣ୍ଡରକୁ ନାକଚ କରିବାକୁ ସ୍ଥିର ହୋଇଛି। ସେପଟେ ବିଭକ୍ତିକରଣ ଆଧାରରେ ବାହ୍ୟ ସଂସ୍ଥା ଚୟନ ବା କ୍ବିସିବିଏସ୍ (କ୍ବାଲିଟି କମ୍ କଷ୍ଟ ବେଷ୍ଟ ସିଲେକସନ୍) ଜରିଆରେ ଅସ୍ଥାୟୀ କର୍ମଚାରୀ ଆଣିବାକୁ ଏଥିରେ ନିଷ୍ପତ୍ତି ନିଆଯାଇଛି।
ଟେକନିକାଲ୍ ବିଡ ଖୋଲିବାର ୬ ମାସ ମଧ୍ୟରେ ଫାଇନାନ୍ସିଆଲ ବିଡ୍ ଖୋଲାଯାଇ ନଥିବାରୁ ଏହାକୁ ନାକଚ କରାଯାଇ ଥିବା ଏଥିରେ କୁହାଯାଇଛି। ତେବେ ପ୍ରଶାସକଙ୍କ ନିର୍ଦ୍ଦେଶ ପରେ ବି ନିଗମର କର୍ତ୍ତୃପକ୍ଷ କାହା ସ୍ବାର୍ଥ ପାଇଁ ଫାଇନାନ୍ସିଆଲ୍ ବିଡ୍ ଖୋଲିଲେ ନାହିଁ ତାହାକୁ ନେଇ ଏବେ ପ୍ରଶ୍ନ ଉଠିଛି। ୨୦୧୬ରୁ ଠିକାସଂସ୍ଥା ଚୟନ ପାଇଁ ସିଏମ୍ସି ବାରମ୍ବାର ଟେଣ୍ଡର ଡାକୁଥିବା ବେଳେ ଏହା ସଂପୂର୍ଣ୍ଣ ହୋଇପାରୁ ନାହିଁ। ସେପଟେ ବିନା ଟେଣ୍ଡରରେ ଏକ ନର୍ଦ୍ଦିଷ୍ଟ ଏଜେନ୍ସିରୁ କର୍ମଚାରୀ ଅଣାଯାଉଥିବା ବେଳେ ସଂସ୍ଥାର ଲାଭ ପାଇଁ ନିଗମ ଅଧିକାରୀ ଟେଣ୍ଡର ପ୍ରକ୍ରିୟାକୁ ସଂପୂର୍ଣ୍ଣ କରୁ ନଥିବା ଅଭିଯୋଗ ହୋଇଛି। ଉକ୍ତ ସଂସ୍ଥା ନିକଟରେ ଟେଣ୍ଡରରେ ଅଂଶଗ୍ରହଣ କରିବା ପାଇଁ ଆବଶ୍ୟକ କାଗଜପତ୍ର ନଥିବାରୁ କର୍ତ୍ତୃପକ୍ଷ ଟେଣ୍ଡରକୁ ବାରମ୍ବାର ନାକଚ କରୁଥିବା ଅଭିଯୋଗ ହୋଇଛି।