ସ୍ବଚ୍ଛତା ସର୍ବେକ୍ଷଣ ରିପୋର୍ଟରେ ପାଦେ ତଳକୁ, ପ୍ରହସନ ପାଲଟିଛି ସିଏମ୍‌ସିର ମଶା ଧୂଆଁ ଓ ବୁସ୍‌ କଟିଂ ଯୋଜନା

କଟକ: ସହରରେ ଏକମାସ ମଧ୍ୟରେ ମଶା ବଂଶ ହୁହୁ ହୋଇ ବଢ଼ି ଚାଲିଛି। ଦିନ ହେଉ କି ରାତି, ଘର ହେଉ କି ବାହାର; ମଶାଙ୍କ ଦାଉରୁ ତ୍ରାହି ମିଳୁନି ସହରବାସୀଙ୍କୁ। ଲୋକେ ମଶାକୁ ନେଇ ଅତିଷ୍ଠ ଥିବା ବେଳେ ସିଏମ୍‌ସିର ପରିମଳ ବ୍ୟବସ୍ଥାରେ ଗତବର୍ଷ ତୁଳନାରେ ଚଳିତବର୍ଷ ଅବନତି ଘଟିଥିବା ସ୍ବଚ୍ଛତା ସର୍ବେକ୍ଷଣ ରିର୍ପୋଟ୍‌ କହୁଛି। ୨୦୨୦ ମସିହାରେ କଟକ ମହାନଗର ନିଗମ ରାଜ୍ୟର ୯ଟି ସହର ମଧ୍ୟରୁ ୫ମ ସ୍ଥାନରେ ଥିବ‌ା ବେଳେ ୨୦୨୧ରେ ୬ଷ୍ଠ ସ୍ଥାନକୁ ଖସିଆସିଛି। ଗତ ଅକ୍ଟୋବର ଶେଷ ସପ୍ତାହରୁ ସହରରେ ମଶା ବଂଶ ବଢ଼ି ଚାଲିଥିବା ବେଳେ ମଶା ନିୟନ୍ତ୍ରଣ କରିବାରେ ବିଫଳ ହୋଇଛି ନିଗମ ସ୍ବାସ୍ଥ୍ୟବିଭାଗ। ଗତ ଦୁଇମାସ ଧରି ସହରରେ ମଶା ଧୂଆଁ ଓ ବୁସ୍‌ କଟିଂ କାମକୁ ଗୁରୁତ୍ବ ଦିଆଯାଇ କାମ କରାଯାଉଛି ବୋଲି ବିଭାଗ ପକ୍ଷରୁ ଦାବି କରାଯାଉଛି। ମାତ୍ର ଏବେ ମଶା ବଂଶକୁ ଦେଖିଲେ ସିଏମ୍‌ସିର ମଶା ନିପାତ ଯୋଜନା ଉପରେ ଆଙ୍ଗୁଳି ଉଠିଛି। ସହର ଲେକାଙ୍କ ମଧ୍ୟରେ କରୋନାକୁ ନେଇ ଭୟ ଓ ଆଶଙ୍କା ଥିବା ବେଳେ ଏବେ ମଶା ନୂଆ ସମସ୍ୟା ହୋଇ ମୁଣ୍ଡ ଟେକିଛି। କଟକ ପରିବେଶରେ ୩୫ରୁ ୪୦ ପ୍ରତିଶତ ମଶାର ଘନତ୍ବକୁ ସାଧାରଣ ଓ ୪୦ ପ୍ରତିଶତ ମଶା ଘନତ୍ବକୁ ବିପଦସ୍ତର କୁହାଯାଉଥିବା ବେଳେ ଏବେ ଏହା ୪୫ ପ୍ରତିଶତ ଘନତ୍ବରୁ ଅଧିକ ରହିଛି। ମଶାଙ୍କ ପ୍ରାଦ୍ରୁଭାବରେ ଲୋକେ ଅତିଷ୍ଠ ହୋଇଥିବା ବେଳେ ସିଏମ୍‌ସି ମଶା ନିୟନ୍ତ୍ରଣ କ୍ଷେତ୍ରରେ ଫେଲ୍‌ ହୋଇଛି।

ମହାନଗର ନିଗମ ସ୍ବାସ୍ଥ୍ୟବିଭାଗ ପକ୍ଷରୁ ପ୍ରତିବର୍ଷ ମଶା ନିୟନ୍ତ୍ରଣ ପାଇଁ ବିଭିନ୍ନ ଯୋଜନା କରାଯାଇ କୋଟିକୋଟି ଟଙ୍କା ମଶା ତେଲ, ମଶା ଧୂଆ ଓ ବୁସ୍‌ କଟିଂ ବାବଦରେ ଖର୍ଚ୍ଚ ହେଉଛି। ହେଲେ ମଶା ବଂଶ ନିୟନ୍ତ୍ରଣ କରିବାରେ ନିଗମ ‌ଏବେ ବିଫଳ। ସେପଟେ ସହରରେ ପରିମଳ ବ୍ୟବସ୍ଥା ଗତବର୍ଷ ତୁଳନାରେ ଏଥର ଭଲ ନଥିବା ଗତକାଲି ପ୍ରକାଶ ପାଇଥିବା ସ୍ବଚ୍ଛତା ସର୍ବେକ୍ଷଣ ରିପୋର୍ଟରୁ ଜଣାପଡ଼ିଛି। ସହରର ବିଭିନ୍ନ ଡ୍ରେନରେ ଆବର୍ଜନା ଜମି ରହିବା ଯୋଗୁଁ ପାଣି ନିଷ୍କାସନ ନହୋଇ ଦୀର୍ଘଦିନ ପର୍ଯ୍ୟନ୍ତ ଜମି ରହୁଛି। ଏଥିରେ ସବୁ ୱାର୍ଡରେ ମଶା ବଂଶ ବଢ଼ିବାରେ ଲାଗିଛି।

ସେପଟେ ମଶା ନିପାତ ପାଇଁ ପ୍ରତିଦିନ ବିଭିନ୍ନ ୱାର୍ଡରେ ମଶା ଧୂଆଁ ଦିଆଯାଉଥିବା ସିଏମ୍‌ସି ସ୍ବାସ୍ଥ୍ୟବିଭାଗ ଦାବି କରୁଛି। ଆସନ୍ତା ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ ଏହା ଚାଲୁ ରହିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମାତ୍ର ଏହାର ପ୍ରଭାବ ମଶା ବଂଶ ଉପରେ ପଡୁନାହିଁ। ମଶାଧୂଆଁ ପାଇଁ ପ୍ରତିଦିନ ନିଗମରୁ ଡିଜେଲ୍‌ ଓ ପେଟ୍ରୋଲ୍‌ ଉଠୁଥିବା ବେଳେ ଏହାକୁ ସଠିକ ଭାବେ ବ୍ୟବହାର କରାଯାଉ ନଥିବା ଅଭିଯୋଗ ହୋଇଛି। ମଶାଧୂଆଁ ନାମରେ ଯେତିକି ତେଲ ଦିଆଯାଉଛି ସେଥିରୁ ଅଧାରୁ ଅଧିକ ବାଟମରଣା କରାଯାଉଥିବା ଅଭିଯୋଗ ଆସୁଛି। ଅ‌ଳ୍ପକିଛି ସ୍ଥାନରେ ମଶାଧୂଆଁ ଦେଇ ଏହାର ଫଟୋକୁ ସିଏମ୍‌ସି ଟୁଇଟର୍‌ ଆକାଉଣ୍ଟରେ ଛାଡ଼ିଦେଇ ବିଭାଗ ତା’ ଦାୟିତ୍ବ ଶେଷ କରିଦେଉଥିବା ସାଧାରଣରେ ଆଲୋଚନା ହେଉଛି।

ସମ୍ବନ୍ଧିତ ଖବର