ସିଏମ୍‌ସି ପାଳନ କରୁନି ନଗର ଉନ୍ନୟନ ବିଭାଗ ନିର୍ଦ୍ଦେଶ, ନିଗମର ଇଂଜିନିୟରିଂ ବିଭାଗରେ ୨ ଜଣ ସିଟି ଇଂଜିନିୟର

କଟକ: କଟକ ମହାନଗର ନିଗମରେ ଏବେ ଅଜବ ସ୍ଥିତି। ନିଗମର ଇଂଜିନିୟରିଂ ବିଭାଗରେ ୨ଜଣ ସିଟି ଇଂଜିନିୟର ଥିବା ବେଳେ ଜଣେ ନିର୍ବାହୀ ଯନ୍ତ୍ରୀ ଅଛନ୍ତି। ପୂର୍ବରୁ ଜଣେ ସିଟି ଇଂଜିନିୟର ବା ଆଡସିନାଲ ଚିଫ୍‌ ଇଂଜିନିୟରଙ୍କ ଅଧୀନରେ ସିଟି ଡିଭିଜନ୍‌ ୧ ଓ ୨ର ଦୁଇ ଜଣ ସୁପରିଟେଣ୍ଡେଣ୍ଟ ଅଫ୍‌ ଇଂଜିନିୟର ବା ନିର୍ବାହୀ ଯନ୍ତ୍ରୀ କାମ କରୁଥିଲେ। ଏବେ ଏହାର ଓଲଟା ଚିତ୍ର ଦେଖିବାକୁ ମିଳିଛି। ସେପଟେ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଇଂଜିନିୟରିଂ ବିଭାଗରେ ଅଧିକାରୀ ନିଯୁକ୍ତି ଉପରେ ମିଳିଥିବା ନି‌ର୍ଦ୍ଦେଶକୁ ସିଏମ୍‌ସି ତରଫରୁ ପାଳନ କରାଯାଉ ନଥିବା ଦେଖିବାକୁ ମିଳିଛି। ସିଏମ୍‌ସି ତରଫରୁ ସହରରେ କରାଯାଉ ଥିବା ସମସ୍ତ ଉନ୍ନତିମୂଳକ କାମ ନିଗମର ଇଂଜିନିୟରିଂ ବିଭାଗ ଦ୍ବାରା କରାଯାଏ। ବିଭାଗର ଅଧିକାରୀ ତଥା ସିଟି ଇଂଜିନିୟର ବା ଆଡିସନାଲ ଚିଫ୍‌ ଇଂଜିନିୟରଙ୍କ ତଦାରଖରେ ସମସ୍ତ କାମ କରାଯାଏ। ତାଙ୍କ ଅଧୀନରେ ସିଏମ୍‌ସିର ସିଟି ଡିଭିଜନ୍‌ ୧ ଓ ୨ ରହିଛି। ଦୁଇଟି ଡିଭିଜନ୍‌‌ର ମୁଖ୍ୟ ଭାବେ ଦୁଇ ଜଣ ନିର୍ବାହୀ ଯନ୍ତ୍ରୀ ରହିଥାନ୍ତି। ମାତ୍ର ଏବେ ନିଗମରେ ଦୁଇ ଜଣ ସିଟି ଇଂଜିନିୟର ଥିବା ବେଳେ ଜଣେ ନିର୍ବାହୀ ଯନ୍ତ୍ରୀ ଅଛନ୍ତି। ସୂଚନା ଅନୁଯାୟୀ, ସିଏମ୍‌ସିର ସିଟି ଇଂଜିନିୟର ସୁବାରାଓ ପାତ୍ର ଗତ ଅକ୍ଟୋବର ୩୦ରେ ଚାକିରିରୁ ଅବସର ନେଲେ। ମାତ୍ର ଅକ୍ଟୋବର ୧୯ରେ ଶ୍ରୀ ପାତ୍ରଙ୍କୁ ନିଗମରେ ଓଏସ୍‌ଡି( ଅଫିସର ଅନ୍‌ ସ୍ପେସାଲ ଡ୍ୟୁଟି) ଓ ସିଟି ଇଂଜିନିୟର ଭାରପ୍ରାପ୍ତ ଦାୟିତ୍ବରେ ରଖିବାକୁ ସିଏମ୍‌ସି ପକ୍ଷରୁ ଗୃହ ଓ ନଗର ଉନ୍ନୟନ ବିଭାଗକୁ ଚିଠି ନଂ ୯୮୯୯/୧୯-୧୦-୨୧ରେ ନିବେଦନ କରାଯାଇଥିଲା। ଏହାର ଉତ୍ତରରେ ବିଭାଗ ତରଫରୁ ଚିଠି ନଂ ୧୯୦୧୯/୯-୧୧-୨୧ରେ ଶ୍ରୀ ପାତ୍ରଙ୍କୁ ନିଗମର ଓଏସ୍‌ଡି ଓ ସିଟି ଇଂଜିନିୟର ଭାରପ୍ରାପ୍ତ ଦାୟିତ୍ବରେ ରଖିବାକୁ ଅନୁମତି ମିଳିଥିଲା।

ସିଏମ୍‌ସି ପକ୍ଷରୁ ଚିଠି ନଂ୧୧୦୯୩/୨୦-୧୧-୨୧ରେ ବିଭାଗର ଉକ୍ତ ନିର୍ଦ୍ଦେଶକୁ ପାଳନ କରିବାକୁ କୁହାଯାଇଥିଲା। ଏହାପରେ ଗୃହ ଓ ନଗର ଉନ୍ନୟନ ବିଭାଗରୁ ଚିଠି ନଂ ୨୦୩୫୯/୨୯-୧୧-୨୧ରେ ନିଗମର ନିର୍ବାହୀ ଯନ୍ତ୍ରୀ ଭାଗ୍ୟଧର ସାହୁଙ୍କ ପଦୋନ୍ନତି କରି ସିଟି ଇଂଜିନିୟର ଦାୟିତ୍ବ ଦେବାକୁ ନିର୍ଦ୍ଦେଶ ଆସିଥିଲା। ହେଲେ ବିଭାଗ ପକ୍ଷରୁ ସିଟି ଇଂଜିନିୟର ନିଯୁକ୍ତି ଭାବେ ମିଳିଥିବା ଦ୍ବିତୀୟ ନିର୍ଦ୍ଦେଶକୁ ସିଏମ୍‌ସି ପକ୍ଷରୁ ପାଳନ କରାଯାଇ ନାହଁ। ନିୟମ ଅନୁସାରେ ଯଦି ଗୋଟିଏ ନିଯୁକ୍ତି ଉପରେ ସରକାରଙ୍କ ଦୁଇଟି ନିର୍ଦ୍ଦେଶ ଥାଏ ତେବେ ପ୍ରଥମ ନିର୍ଦ୍ଦେଶକୁ ପ୍ରତ୍ୟାହାର କରାଯାଇ ଦ୍ବିତୀୟ ନିର୍ଦ୍ଦେଶକୁ ପାଳନ କରାଯାଏ। ମାତ୍ର ସିଏମ୍‌ସିରେ ବିଭାଗର ଦ୍ବିତୀୟ ନିର୍ଦ୍ଦେଶକୁ ପାଳନ କରାଯାଇ ଭାଗ୍ୟଧର ସାହୁଙ୍କୁ ସିଟି ଇଂଜିନୟର ଭାବେ ଦାୟିତ୍ବ ପ୍ରଦାନ କରାଯାଇ ନାହିଁ। ସେପଟେ ଜଣେ ଅବସରପ୍ରାପ୍ତ ଅଧିକାରୀ ସିଟି ଇଂଜିନିୟର ଭାରପ୍ରାପ୍ତ ଦାୟିତ୍ବରେ ଥିବା ସମୟରେ ୫୦ ଲକ୍ଷରୁ ଅଧିକ ଟଙ୍କାର କାମ ପାଇଁ ଟେଣ୍ଡର କରି ପାରିବେ ନାହିଁ କି ଏହା ଉପରେ କୌଣସି ନି‌ଷ୍ପତ୍ତି ନେଇ ପାରିବେ ନାହିଁ। ସିଏମ୍‌ସି କର୍ତ୍ତୃପକ୍ଷ ବିଭାଗର ଦ୍ବିତୀୟ ନିର୍ଦ୍ଦେଶକୁ ନିୟମ ଅନୁସାରେ ପାଳନ କରୁ ନଥିବା ସମୟରେ ଦୁଇ ଜଣ ସିଟି ଇଂଜିନିୟର ରହିବାକୁ ନେଇ ନିଗମର ଇଂଜିନିୟରିଂ ବିଭାଗରେ ଏକ ଜଟିଳ ପରିସ୍ଥିତି ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର