କଟକରେ ମଶା ଭଣଭଣ: ମଶାମରା ଅଭିଯାନ ସ୍ଥାଣୁ, ୮୦ ପ୍ରତିଶତ ପଦବି ଖାଲି

ଜାଇକା ଆଳରେ ୮ ବର୍ଷ ହେବ ସଫା ହୋଇନି ମୁଖ୍ୟ ଡ୍ରେନ୍‌

କଟକ: କଟକରେ ମଶାମରା ଅଭିଯାନ ଏକପ୍ରକାର ସ୍ଥାଣୁ ପାଲଟି ଯାଇଛି। ମଶା ପ୍ରାଦ୍ରୁଭାବରେ ସହରବାସୀ ଅତିଷ୍ଠ ହୋଇ ପଡିଥିଲେ ବି ପ୍ରଶାସନ ଏ ଦିଗରେ ଆଦୌ ପଦକ୍ଷେପ ନେଉ ନାହିଁ। କଟକରେ ଏନ୍‌ଏଫ୍‌ସିପି (ଜାତୀୟ ଫାଇଲେରିଆ ନିରାକରଣ) ଯୋଜନା ଏକପ୍ରକାର ଅଚଳାବସ୍ଥାକୁ ଆସି ଯାଇଛି। ଏହି ବିଭାଗରେ ପଦବି ସଂଖ୍ୟାର ଶତଡକା ୮୦ ଭାଗ ଖାଲି ପଡ଼ିଛି। ଯୋଜନାରେ କଟକ ମହାନଗର ନିଗମ ପାଇଁ ଥିବା ଏକମାତ୍ର ଆସିଷ୍ଟାଣ୍ଟ୍ ୟୁନିଟ୍ ଅଫିସର ପଦବି ଦୀର୍ଘଦିନ ହେବ ଖାଲି ପଡିଛି। ମଶା ନିୟନ୍ତ୍ରଣ ଯୋଜନା ବିଫଳ ହେବା ପଛର ଏହା ଅନ୍ୟତମ ପ୍ରମୁଖ କାରଣ କୁହାଯାଉଛି। ସେହିଭଳି ଜିଲ୍ଲା ପାଇଁ ଜିଲ୍ଲା ‌ମ୍ୟାଲେରିଆ ଅଧିକାରୀ ରହିଛନ୍ତି। ସେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟରେ କାମ କରୁଛନ୍ତି। ଜିଲ୍ଲା ଦାୟିତ୍ବ ଯୋଗୁଁ ସିଏମ୍‌ସି ପ୍ରତି ତାଙ୍କର ଦୃଷ୍ଟି ପଡ଼ୁ ନଥିବା କୁହାଯାଉଛି। ଏହି ଯୋଜନାରେ ଥିବା ୪ଟି ମ୍ୟାଲେରିଆ ଇନ୍‌ସପେକ୍ଟର୍‌ ପଦବି ମଧ୍ୟରୁ ୩ଟି ଖାଲି ପଡିଥିବା ବ‌େଳେ ଏଠାରେ ଜଣେ ମାତ୍ର ଏଫ୍‌ଆଇ କାମ କରୁଛନ୍ତି। ଖୁବଶୀଘ୍ର ସେ ମଧ୍ୟ ଅବସର ନେବାକୁ ଯାଉଛନ୍ତି। ଦୁଇ ଜଣ ସୁପରଭାଇଜରଙ୍କୁ ଅତିରିକ୍ତ ଭାବେ ଏଫ୍ଆଇ ଦାୟିତ୍ବ ଦିଆଯାଇଛି। ଏଠାରେ ଥିବା ମଲଟିପୁଲ୍‌ ସୁପରଭାଇଜର୍‌ଙ୍କୁ ଏହି କାମରେ ନି‌ୟୋଜିତ କରାଯାଉଛି। ସିଡିଏମଓଙ୍କ ଅଫିସରେ ଥିବା ୨୭ଟି ଏଫ୍ଆଇ ସୁପରଭାଇଜର ପଦବିରୁ ୨୪ଟି ପଦବି ଖାଲି ପଡିଛି। ସେହିଭଳି ସିଏମ୍‌ସି ଏଥିପାଇଁ ନିଯୁକ୍ତି ଦେଇଥିବା ନିଜସ୍ବ ସୁପରଭାଇଜର ୨୬ଟି ପଦବିରୁ ୭ଟି ଏବେ ଖାଲି ପଡ଼ିଛି। ଆଉଟସୋର୍ସିଂରେ ୨୮ ଜଣ ସୁପରଭାଇଜର୍‌ ରହିଛନ୍ତି। ଏନ୍‌ଏଫ୍‌ସି ଯୋଜନାରେ ମୋଟ ୮୫ ସୁପରଭାଇଜର୍‌ ପଦବିରୁ ୪୨ଟି ପଦବି ଖାଲି ପଡିଛି। ଆଉଟସୋର୍ସିଂରେ ୧୪୭ ଜଣ କୁଲିଙ୍କୁ ନିଯୁକ୍ତି ଦିଆଯାଇଥିଲେ ବି ସେମାନଙ୍କୁ ରାସ୍ତା ସଫା, ବୁସ୍ କଟିଂ ଓ ଅନ୍ୟ କାମରେ ନିୟୋଜିତ କରାଯାଉଛି। ଫଳରେ ମଶା ନିରାକରଣ ଯୋଜନା ଏକ ପ୍ରକାର ବିଫଳ ହୋଇଛି।

କଟକ ମହାନଗର ନିଗମର ୫୯ଟି ୱାର୍ଡରେ ପରିମଳକୁ ନେଇ ଏବେ ବିପର୍ଯ୍ୟସ୍ତ ସ୍ଥିତି। ନାଳ ସଫା ହେଉନାହିଁ। ‘ମେଜର ସର୍ଫେସ ୱାଟର ଚ୍ୟାନେଲ୍‌’ ଦୁଇ ମୁଖ୍ୟ ଡ୍ରେନକୁ ୨୦୧୩ ପରେ ଆଉ ସଫା କରାଯାଇନାହିଁ। ଏଥିପାଇଁ ଜାଇକା କାମକୁ ଆଳ କରାଯାଉଛି। ସ୍ବତନ୍ତ୍ର ଟିମ୍ ଦ୍ବାରା ସଫା କରାଯିବା ନିୟମ ଥିବା ବେଳେ ବର୍ଷ ବର୍ଷ ଧରି ସଫା ନକରିବା ଫଳରେ ଏଭଳି ସ୍ଥିତି ଉପୁଜିଛି। ବୁସ୍‌ କଟିଂ କରାଯାଉନାହିଁ। ଘରକୁ ଘର ବୁଲି ପାଇଖାନାରେ ପଡୁଥିବା ମଶା ତେଲ ଆଉ ପକାଯାଉନାହିଁ। ୱାର୍ଡର ଭୌଗୋଳିକ ସ୍ଥିତି ନ ଦେଖି କୁଲି ବଣ୍ଟନ କରାଯାଉଛି। କେନାଲ‌ରେ ଆଉ ମଶା ଖିଆ ମାଛ ବି ଛଡା ହେଉନାହିଁ। ପୋଖରୀ, ଝିଲ୍ ଇତ୍ୟାଦି ସଫା କରାଯାଉନାହିଁ। ପୂର୍ବରୁ ପକାଯାଉଥିବା କରତଗୁଣ୍ଡ, କୁଣ୍ଡା, ବେଲୁନ ତିଆାରି କରାଯାଉନାହିଁ। ପୋଖରୀରୁ ସିଏମସି ପକ୍ଷରୁ ଦଳ ସଫା କରାଯାଉନାହିଁ। ପାଇଖାନା ଗ୍ୟାସ ପାଇପ ପାଖରେ ଆଉ ଜାଲି ବନ୍ଧା ଯାଉନାହିଁ। ଠିକଣା ସମୟରେ ଫଗିଂ କରାଯାଉନାହିଁ। ଫଗିଂ ପାଇଁ ମ‌ାତ୍ର (ପାଇରାଥନ) ୪୦୦ ଏମ୍‌ଏଲ୍‌ ଦିଆଯାଉଛି। ଏଭଳି ବିପର୍ଯ୍ୟସ୍ତ ସ୍ଥିତି ସଂପର୍କରେ ସିଏମସି ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ସତ୍ୟବ୍ରତ ମହାପାତ୍ରଙ୍କୁ ପଚାରିବାରେ ସେ କର୍ମଚାରୀ ଅଭାବ ସମସ୍ୟାକୁ ଆଳ କରିଛନ୍ତି। ଏନ୍‌ଏଫ୍‌ଏସିପିରେ ନୂତନ ନିଯୁକ୍ତି ନାହିଁ। ଖାଲି ପଡିଥିବା ପଦବି ପୂରଣ ପାଇଁ ସରକାର ଆଉ ସ୍ବୀକୃତି ଦେଉ ନାହାନ୍ତି। ତେଣୁ ନିଯୁକ୍ତି ହେଉ ନାହିଁ। ଯାହା ଫଳରେ ଏବେ ବହୁ ପଦବି ଖାଲି ପଡିଛି ବୋଲି ଡାକ୍ତର ମହାପାତ୍ର କହିଛନ୍ତି।

ସମ୍ବନ୍ଧିତ ଖବର