୧୬ ମାସ ପରେ ବି ସିଏମ୍‌ସି ଚାରା ଉଦ୍ୟାନକୁ ମିଳିଲାନି ଠିକଣା

କଟକ: ଖାନ୍‌ନଗର ଅତ୍ୟାଧୁନୀକ ବସ୍‌ ଟର୍ମିନାଲ୍‌ ପାଇଁ ପ୍ରଶାସନ ପକ୍ଷରୁ ସିଏମ୍‌ସିର କେନ୍ଦ୍ରୀୟ ଚାରା ଉଦ୍ୟାନକୁ ଗତବର୍ଷ ଫେବ୍ରୁଆରିରେ ଉଚ୍ଛେଦ କରାଗଲା। ଦୁଇମାସ ମଧ୍ୟରେ କେନ୍ଦ୍ରକୁ ନୂଆ ଠିକଣାକୁ ପଠାଯିବ ବୋଲି ନିଗମ ପକ୍ଷରୁ କୁହାଗଲା। ମାତ୍ର ଏହା ମଧ୍ୟରେ ୧୬ ମାସରୁ ଅଧିକ ଦିନ ବିତି ଯାଇଥିଲେ ବି ଚାରା ଉଦ୍ୟାନ ତା’ ଠିକଣାରେ ପହଞ୍ଚି ପାରିଲା ନାହିଁ। ଅନ୍ୟପଟେ ସହରବାସୀଙ୍କୁ ଚାରା ଯୋଗାଉଥିବା ମହାନଗର ନିଗମ, ଚାରା ପାଇଁ ଘରୋଇ ସଂସ୍ଥା ଉପରେ ନିର୍ଭର କରିବାକୁ ପଡୁଛି।
ସହରବାସୀଙ୍କୁ ବିଭିନ୍ନ କିସମର ଚାରା ଓ ଗଛ ବିକ୍ରି କରୁଥିବା କଟକ ମହାନଗର ନିଗମ ଗତବର୍ଷ ଠାରୁ ଘରୋଇ ନର୍ସରିଠାରୁ ଚାରା ଓ ଗଛ କିଣୁଛି। ଫୁଲ ଗଛଠାରୁ ଆରମ୍ଭ କରି ବିଭିନ୍ନ ଫଳ ଓ ଅନ୍ୟଗଛ ପାଇଁ ନିଗମକୁ ବେସରକାରୀ ନର୍ସରିରୁ ଟେଣ୍ଡର୍‌ ମାଧ୍ୟମରେ ଚାରା କିଣୁଛି। ବସ୍‌ ଟର୍ମିନାଲ୍‌ ପାଇଁ ନିଗମର କେନ୍ଦ୍ରୀୟ ଚାରା ଉଦ୍ୟାନକୁ ବାଦାମବାଡ଼ିରୁ ଗତ ଫେବ୍ରୁଆରି ୧ ତାରିଖରେ ଉଚ୍ଛେଦ କରାଯାଇ ସିଡିଏକୁ ସ୍ଥାନାନ୍ତର କରାଗଲା। ସେକ୍ଟର୍‌-୯ସ୍ଥିତ ଆମ୍ବତୋଟାରେ ଏହାକୁ ସ୍ଥାପନା କରିବାକୁ ଯୋଜନା କରାଯାଇଥିଲା।

ମାତ୍ର ସେଠାରେ ନର୍ସରି ଓ ପାର୍କ ପାଇଁ କାମ ଚାଲୁଥିବାରୁ କେନ୍ଦ୍ରର ଚାରାଗୁଡିକୁ ସେକ୍ଟର୍‌-୮ ସ୍ଥିତ ଉଦ୍ୟାନ ବିଭାଗର ନର୍ସରିରେ ରଖାଗଲା। ଦୁଇମାସ ମଧ୍ୟରେ କାମ ଶେଷ କରି ଚାରା ଉଦ୍ୟାନକୁ ଆମ୍ବ ତୋଟାକୁ ଆଣିବାକୁ ସିଏମ୍‌ସି ପକ୍ଷରୁ ସେତେବେ‌ଳେ କୁହାଯାଇଥିଲା। ମାତ୍ର ଏହା ମଧ୍ୟରେ ୧୬ ମାସରୁ ଅଧିକ ସମୟ ବିତି ଯାଇଥିଲେ ବି ଆମ୍ବତୋଟାର କାମ ଶେଷ ହୋଇପାରିଲା ନାହିଁ କି ଏଠାକୁ ଚାରା କେନ୍ଦ୍ର ଆସି ପାରିଲା ନାହିଁ। ସେପଟେ ରକ୍ଷଣାବେକ୍ଷଣ ଅଭାବରୁ ଗତବର୍ଷ ୬ଲକ୍ଷରୁ ଅଧିକ ଟଙ୍କାର ଚାରା ଓ ବିଭିନ୍ନ ପ୍ରକାରର ମଦର୍‌ ପ୍ଲାଣ୍ଟ ଖରାରେ ନଷ୍ଟ ହୋଇଯାଇଛି। ସିଏମ୍‌ସିର ରାଜସ୍ବ ବୃଦ୍ଧିରେ କେନ୍ଦ୍ରୀୟ ଉଦ୍ୟାନର ଚାରା ବିକ୍ରି ଏକ ଭୂମିକା ଗ୍ରହଣ କରିଥାଏ। ମାତ୍ର ଗତବର୍ଷରୁ ଏହି ରାଜସ୍ବ ଆୟର ଏହି ବାଟ ବନ୍ଦ ରହିଛି। ସିଏମ୍‌ସିର ଇଂଜିନିୟରିଂ ବିଭାଗ ପକ୍ଷରୁ ଆମ୍ବତୋଟା ପାର୍କ ଓ ନର୍ସରି ନିର୍ମାଣରେ ବିଳମ୍ବ ହେଉଥିବାରୁ ଚାରା କେନ୍ଦ୍ର ତାର ସ୍ଥାନରେ ପହଞ୍ଚି ପାରିଲା ନାହିଁ। ଲୋକଙ୍କୁ କମ୍‌ ମୂଲ୍ୟରେ ଚାରା ଯୋଗାଇ ରାଜସ୍ବ ବଢ଼ାଉଥିବା ନିଗମ ଗତବର୍ଷରୁ ଅଧିକ ମୂଲ୍ୟ ଦେଇ ଘରୋଇ ନର୍ସରିରୁ ଚାରା କିଣୁଛି। ସେକ୍ଟର୍‌-୯ ଆମ୍ବତୋଟାରେ ଚାରା ନର୍ସରୀ ପାଇଁ ସବୁ କାମ ଶେଷ ହୋଇଛି। ଆସନ୍ତା ମାସ ଚାରା କେନ୍ଦ୍ରକୁ ଏଠାକୁ ଅଣାଯିବ ବୋଲି ଏଜୁକେସନ୍‌ ଓ ପ୍ଲା‌ଣ୍ଟେସନ୍‌ ସ୍ଥାୟୀ କମିଟିର ଅଧ୍ୟକ୍ଷା ତଥା ୧୦ ନମ୍ବର ୱାର୍ଡ କର୍ପୋରେଟର୍‌ ମୋନାଲିସା ଦାସ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର