ପୌର ନିଗମ ସିଓଙ୍କ ବଦଳିକୁ ନେଇ ବଢୁଛି ଅସନ୍ତୋଷ, ମହିଳା ସଂଗଠନର ଚେତାବନୀ; ଆଦେଶ ରଦ୍ଦ କର ନଚେତ୍‌ ଆନ୍ଦୋଳନ

କଟକ: ପୌର ନିଗମର ୫୯ଟି ୱାର୍ଡରେ କାମ କରିବା ପାଇଁ ଅଛନ୍ତି ୨୧ଜଣ ଗୋଷ୍ଠୀ ସଂଗଠିକା ବା ସିଓ। ସେମାନଙ୍କ କାମକୁ ନେଇ ଗତ ଜୁନ୍‌ ମାସରେ ବସିଥିବା କାଉନସିଲ୍‌ ବୈଠକରେ ବହୁ କର୍ପୋରେଟର୍‌ ଅଭିଯୋଗ ଆଣିଥିଲେ। କର୍ପୋରେଟର୍‌ଙ୍କ ଅଭିଯୋଗ ଓ ଦାବି ପରେ ନିଗମ କମିସନର୍‌ ନିଖିଲ୍‌ ପୱନ୍‌ କଲ୍ୟାଣ ଜୁଲାଇ ୨୫ ତାରିଖରେ ସିଓଙ୍କ ୱାର୍ଡ ଅଦଳବଦଳର ଅର୍ଡର୍‌ ବାହାର କରିଥିଲେ। ମାତ୍ର ଏହାକୁ ଏବେ ବିଭିନ୍ନ ୱାର୍ଡ କର୍ପୋରେଟ୍‌ଙ୍କ ସମେତ ୱାର୍ଡ ବାସିନ୍ଦାଙ୍କ ପକ୍ଷରୁ ବିରୋଧ କରାଯାଇଛି। ପୌର ନିଗମର ୪୧ ନମ୍ବର ୱାର୍ଡର ସିଓଙ୍କ ବଦଳିକୁ ନେଇ ୱାର୍ଡର ବିଭିନ୍ନ ସଂଗଠନ ପକ୍ଷରୁ ପ୍ରତିବାଦର ସ୍ବର ଉଠିଛି। ଆସନ୍ତା ଦିନରେ ସିଓଙ୍କ ବଦଳି ତାଲିକାକୁ ରଦ୍ଦ କରା ନଗଲେ ଆନ୍ଦୋଳନ କରାଯିବ ବୋଲି ୱାର୍ଡବାସୀ ଓ ମହିଳା ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି।
ପୌର ନିଗମର ବିଭିନ୍ନ ୱାର୍ଡରେ ରାସନକାର୍ଡ ପ୍ରସ୍ତୁତଠାରୁ ଆରମ୍ଭ କରି ଆବାସ ଯୋଜନା, ଶୌଚାଳୟ, ମିସନ୍‌ ଶକ୍ତି, ମହିଳା ସଂଗଠନ ଗଠନ ପରି କାମ କରିବା ସହିତ ସରକାରଙ୍କ ଯୋଜନାକୁ ଲୋକଙ୍କ ନିକଟରେ ପହଞ୍ଚାଇବା ଦିଗରେ ସିଓମାନେ କାମ କରିଥାନ୍ତି। ମାତ୍ର କାଉନ୍‌ସିଲ ଗଠନ ପରେ ବିଭିନ୍ନ ୱାର୍ଡର ଗୋଷ୍ଠୀ ସଂଗଠିକାଙ୍କ ବିରୋଧରେ କର୍ପୋରେଟର୍‌ମାନେ ନାନା ଅଭିଯୋଗ ଆଣିଲେ। ଏପରିକି ଗତ ଜୁନ୍‌ ୨୯ରେ ହୋଇଥିବା କାଉନସିଲ୍‌ ବୈଠକରେ ଏହାକୁ ‌ନେଇ ବହୁ କର୍ପୋରେଟର୍‌ଙ୍କ ସହ ମେୟର୍‌ ବି ସେମାନଙ୍କ କାର୍ଯ୍ୟକୁ ନେଇ କ୍ଷୋଭ ପ୍ରକାଶ କରିଥିଲେ।

ବହୁ ଅଭିଯୋଗ ପରେ ଜୁଲାଇ ୨୫ ତାରିଖରେ କମିସନର୍‌ ୨୧ଜଣ ସିଓଙ୍କ ୱାର୍ଡ ଅଦଳବଦଳର ତାଲିକା ବାହାର କରିଥିଲେ। ମାତ୍ର ଏହାକୁ ମଧ୍ୟ ବିଭିନ୍ନ କର୍ପୋରେଟର୍‌ଙ୍କ ପକ୍ଷରୁ ଓ ୪୧ ନମ୍ବର ୱାର୍ଡ ବାସିନ୍ଦାଙ୍କ ତରଫରୁ ମଧ୍ୟ ବିରୋଧ କରାଯାଇଛି। ୱାର୍ଡର ଗୋଷ୍ଠୀ ସଂଗଠିକା ରଶ୍ମିତା ନନ୍ଦଙ୍କ ବଦଳିକୁ ନେଇ ଯୋବ୍ରା ଦୁର୍ଗାପୂଜା କମିଟି ଓ ୱାର୍ଡର ବିଭିନ୍ନ ମହିଳା ସଂଗଠନ ପକ୍ଷରୁ ବିରୋଧ କରାଯାଇଛି। କରୋନା ସଂକ୍ରମଣ ସମୟରେ ୱାର୍ଡ ବାସିନ୍ଦାଙ୍କ ନିକଟରେ ସବୁ ସମୟ ରହି କାମ କରିଥିବା ସିଓଙ୍କୁ କାହା ସ୍ବାର୍ଥରେ ବଦଳି କରାଯାଇଛି ବୋଲି ଦୁର୍ଗାପୂଜା ପରିଚାଳନା କମିଟି ସାଧାରଣ ସଂପାଦକ ସଂଗ୍ରାମ କିଶୋର ରାଉତରାୟ, ମହିଳା ସଂଗଠନର ସଦସ୍ୟ ସୂର୍ଯମୟୀ ସାମଲ, ଉର୍ମିଳା ରାଉତ, ସୁମିତ୍ରା ମହାନ୍ତି, ରାଜଲକ୍ଷ୍ମୀ ସାହୁ ପ୍ରମୁଖ ନିଗମ କର୍ତ୍ତୃପକ୍ଷଙ୍କୁ ପ୍ରଶ୍ନ କରିଛନ୍ତି। ଆସନ୍ତା ଦିନରେ ବଦଳି ନିର୍ଦ୍ଦେଶକୁ ରଦ୍ଦ ନକରିଲେ ନିଗମ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ ବୋଲି ମହିଳା ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି।

ସମ୍ବନ୍ଧିତ ଖବର