କଟକ: କଟକ ସହରକୁ ଅଧିକ ସୁନ୍ଦର କରିବାକୁ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି। ତାଳଦଣ୍ଡା କେନାଲ ଉଭୟପାର୍ଶ୍ବ ରାସ୍ତାକୁ ସଂପ୍ରସାରଣ କରାଯାଇ ଏକ ସୁନ୍ଦର ପରିବେଶ ସୃଷ୍ଟି କରାଯାଇଛି। ତେବେ, ଏ ସବୁ ଭିତରେ କାଠଯୋଡି ରିଂ ବନ୍ଧ ସୌନ୍ଦର୍ଯ୍ୟକରଣକୁ ଏକ ପ୍ରକାର ଭୁଲିଯାଇଛି ସିଏମ୍ସି। ଏବେ ରିଂ ବନ୍ଧର ଭଙ୍ଗା ଫୁଟ୍ପାଥ୍ ଉପରେ ନୂଆ ସିମେଣ୍ଟ ବେଞ୍ଚ ବସାଇ ମହାନଗର ନିଗମ ସହରବାସୀଙ୍କୁ ଭୁଲାଉଥିବା ଅଭିଯୋଗ ହୋଇଛି। ସହରର ପ୍ରବେଶପଥ କୁହାଯାଉଥିବା ଖାନନଗରରୁ ହାଇକୋର୍ଟ ପର୍ଯ୍ୟନ୍ତ ଥିବା ରିଂ ବନ୍ଧ ପାର୍ଶ୍ବର ଅବସ୍ଥା ଏବେ ଶୋଚନୀୟ।
୨୦୧୦ରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ଏହାର ଉନ୍ନତିକରଣ କରାଯାଇଥିଲା। ମାତ୍ର ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ସୌନ୍ଦର୍ଯ୍ୟକରଣ ପାଇଁ ଲାଗିଥିବା ଜିନିଷଗୁଡିକ ଭାଙ୍ଗିଯାଇଥିବା ବେଳେ ସେଥିରୁ ଅନେକ ଚୋରି ହୋଇଯାଇଛି। ରହିଯାଇଥିବା ସାମଗ୍ରୀ ଭିତରୁ ଅନେକ ବିପଦସଂକୁଳ ଅବସ୍ଥାରେ ରହିଛି। ଏପରିସ୍ଥଳେ ମହାନଗର ନିଗମ ପକ୍ଷରୁ ଭଙ୍ଗା ଫୁଟ୍ପାଥ୍ରେ ଓ ଭଙ୍ଗା ଲାଇଟ୍ପୋଷ୍ଟ୍ ନିକଟରେ ନୂଆ ସିମେଣ୍ଟ ବେଞ୍ଚ ବସାଯାଉଛି। ଖାନନଗର ରେଳ ଓଭରବ୍ରିଜ୍ ନିକଟରୁ ହାଇକୋର୍ଟ ଗଡ଼ା ମଧ୍ୟରେ ୫୦ରୁ ଅଧିକ ନୂଆ ବେଞ୍ଚ ବସାଯାଇଛି।
ଲୋକଙ୍କ ବସିବାକୁ ନୂଆ ସିମେଣ୍ଟ ବେଞ୍ଚ ବସାଉଥିବା ସିଏମ୍ସି ଭଙ୍ଗା ଫୁଟ୍ପାଥ୍, ଲାଇଟ୍ ପୋଷ୍ଟ ଓ ରଂଗ ଉଡିଯାଇଥିବା କାନ୍ଥର ମରାମତିକୁ ଭୁଲି ଯାଇଛି। ରିଂ ବନ୍ଧର ଅବସ୍ଥା ଅତି ଖରାପ ଥିବାବେଳେ ଏବେ ସେଠାରେ ସିଏମ୍ସି କେବଳ ନୂଆ ବେଞ୍ଚ ବସାଇ ସହରବାସୀଙ୍କୁ ଭୂଆଁ ବୁଲାଉଥିବାର ଅଭିଯୋଗ ହୋଇଛି। ଅନ୍ୟପଟେ ଚଳିତମାସ ୯ ତାରିଖରେ ଅନୁଷ୍ଠିତ ହୋଇଥିବା ସିଏମ୍ସି କାଉନ୍ସିଲ ବୈଠକରେ ସିଏମ୍ସି ପ୍ରଶାସକ ତଥା ଆର୍ଡିସି ଅନୀଲ କୁମାର ସାମଲ ରିଂବନ୍ଧ ସୌନ୍ଦର୍ଯ୍ୟକରଣର ପୁନରୁଦ୍ଧାର ଉପରେ ଗୁରୁତ୍ବ ଦେବାକୁ କହିଥିଲେ।
/sambad/media/post_attachments/wp-content/uploads/2020/10/ringbandha-kama-1_6-300x283.jpg)
ଏହାପରେ ନିଗମ ପକ୍ଷରୁ ପୁରୁଣା ଓ ଭଙ୍ଗା ଫୁଟ୍ପାଥ୍ରେ କେବଳ ନୂଆ ବେଞ୍ଚ ବସାଇ ପ୍ରଶାସକଙ୍କ ନିର୍ଦ୍ଦେଶକୁ କେଉଁ ଭାବେ ପାଳନ କରୁଛି ତାହା ଜଳ ଜଳ ଦେଖାଯାଉଛି।
ସୂଚନାଯୋଗ୍ୟ, ସହରର ସୌନ୍ଦର୍ଯ୍ୟକରଣ ବୃଦ୍ଧି କରିବା ପାଇଁ ୨୦୧୦ ମସିହାରେ କଟକ ମହାନଗର ନିଗମ ପକ୍ଷରୁ ବିଭିନ୍ନ ଯୋଜନା ପ୍ରସ୍ତୁତ କରାଯାଇଥିଲା। ସେଥିମଧ୍ୟରୁ ରିଂ ବନ୍ଧର ସୌନ୍ଦର୍ଯ୍ୟକରଣ ପାଇଁ ଘରୋଇ ସଂସ୍ଥାର ସାହାଯ୍ୟ ନେଇଥିଲା ନିଗମ। ପିପିପି ମୋଡରେ ରିଂ ବନ୍ଧରେ ରଂଗୀନ ଲାଇଟ ଲଗାଯିବା ସହିତ ଖାନନଗର ଟ୍ରାଫିକଠାରୁ ହାଇକୋର୍ଟ ପର୍ଯ୍ୟନ୍ତ ନଦୀବନ୍ଧ କଡ଼ରେ ଟାଇଲ ପକାଯାଇଥିଲା।
ଏଥିରେ ୫୦ରୁ ଅଧିକ ସୁନ୍ଦର ବତୀଖୁଣ୍ଟ ସହିତ ୪୦ରୁ ଅଧିକ ଲୁହା ବେଞ୍ଚ୍ ପଡିଥିଲା। ଏହା ସହିତ ବିଭିନ୍ନ ସ୍ଥାନରେ ସିମେଣ୍ଟର ବନ୍ୟଜନ୍ତୁଙ୍କ ପ୍ରତିମୂର୍ତ୍ତି ରଖାଯାଇଥିଲା। ରୂପ ବଦଳିବା ପରେ ସହରର ଲୋକେ ସଂଧ୍ୟାରେ ଓ ସକାଳେ ନଦୀକୂଳକୁ ବୁଲିବାକୁ ଆସିଲେ। ଏହାର ରକ୍ଷଣାବେକ୍ଷଣ ଦାୟିତ୍ବ ସିଏମ୍ସି ଉପରେ ଥିଲା। ମାତ୍ର ଏହା ଠିକ୍ ଭାବେ କରାଗଲା ନାହିଁ। ଫଳରେ ପ୍ରଥମେ ବତୀଖୁଣ୍ଟରେ ଲାଇଟ ଜଳିଲା ନାହିଁ। କାନ୍ଥରେ କରାଯାଇଥିବା ଚିତ୍ର ଧୀରେ ଧୀରେ ଲିଭିବାକୁ ଆରମ୍ଭ ହେଲା।
ଅନ୍ଧାରର ସୁଯୋଗ ନେଇ ଅସାମାଜିକ ଲୋକଙ୍କ ଆଡ଼ା ଜମିଲା। ପରିସ୍ଥିତି ଏପରି ହେଲା ଯେ, ନଦୀକୂଳ ସହରବାସୀଙ୍କ ପାଇଁ ଆଉ ସୁରକ୍ଷିତ ସ୍ଥାନ ରହିଲା ନାହିଁ। ଏବେ କିନ୍ତୁ ସିଏମ୍ସି କେବଳ ଉପରଠାଉରିଆ ଭାବେ ନୂଆ ସିମେଣ୍ଟ ବେଞ୍ଚ ବସାଇ ସୌନ୍ଦର୍ଯ୍ୟକରଣ ନାଁରେ ଖସିଯିବାକୁ ବସିଛି। ମରାମତି ନକରି ଭଙ୍ଗା ଫୁଟ୍ପାଥ୍ରେ ନୂଆ ବେଞ୍ଚ ବସାଇବାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି।