ରାଜସ୍ବ ବୃଦ୍ଧି, ଟିକସ ଫାଙ୍କି ରୋକିବାକୁ ନୂଆ ଯୋଜନା, ସବୁ ହୋର୍ଡିଂର ହେବ ଜିଓଟ୍ୟାଗିଂ

ବାକି ପଡ଼ିଥିବା କୋଟିଏରୁ ଅଧିକ ଟଙ୍କା ଆଦାୟ ପାଇଁ ଯୋଜନା

କଟକ: କଟକ ପୌର ନିଗମ ରାଜସ୍ବର ଏକ ପ୍ରମୁଖ ଉତ୍ସ ହେଉଛି ହୋର୍ଡିଂ ଟିକସ। ହୋର୍ଡିଂ ବ୍ୟବସ୍ଥାକୁ ବ୍ୟବସ୍ଥିତ କରିବା ପାଇଁ ନିଗମ ପକ୍ଷରୁ ଇତିମଧ୍ୟରେ ବିଭିନ୍ନ ପଦକ୍ଷେପ ନିଆଯାଇଛି। ନିଗମର ବିଭିନ୍ନ ବିଜ୍ଞାପନ ସଂସ୍ଥାଙ୍କୁ ୟୁନିକ୍‌ ଆଇଡେଣ୍ଟିଫିକେସନ୍‌ ନମ୍ବର (ୟୁଆଇଏନ୍‌) ପ୍ରଦାନ ସହ ସମସ୍ତ ହୋର୍ଡିଂକୁ ଜିଓଟ୍ୟାଗିଂ କରିବାକୁ ପଦକ୍ଷେପ ନିଆଯାଇଛି। ଏଥିରେ ସହରର କେଉଁ ଅଞ୍ଚଳରେ କେଉଁ ବିଜ୍ଞାପନ ସଂସ୍ଥାର କେତେ ହୋର୍ଡିଂ ଲାଗିଛି, ତାହା ସହଜରେ ଜଣା ପଡିବା ସହ ବିନା ପଂଜୀକରଣରେ ଲାଗିଥିବା ହୋର୍ଡିଂ ସହଜରେ ଧରାପଡିବ। ଅନ୍ୟପଟେ ପୌର ନିଗମରେ ବାକି ପଡିଥିବା ୧ କୋଟିରୁ ଅଧିକ ଟଙ୍କାର ହୋର୍ଡିଂ ଟିକସକୁ ଚଳିତ ବର୍ଷ ଆଦାୟ କରାଯିବାକୁ ନିଗମ ପକ୍ଷରୁ ଯୋଜନା ପ୍ରସ୍ତୁତ ହୋଇଛି। ସହରର ବିଭିନ୍ନ ସ୍ଥାନରେ ୫୨ଟି ବିଜ୍ଞାପନ ସଂସ୍ଥା ଦ୍ବାରା ୬ଶହରୁ ଅଧିକ ‌ହୋର୍ଡିଂ ଲାଗିଥିବା ରେକର୍ଡ କହୁଛି। ମାତ୍ର ହୋର୍ଡିଂର ଆକାର, ହୋର୍ଡିଂ ଲାଗିବାର ସ୍ଥାନ ଅନୁଯାୟୀ ଟିକସ ଆଦାୟ ହୋଇ ପାରୁ ନଥିବା ବେଳେ ଓ ଅଣପଞ୍ଜିକୃତ ହୋର୍ଡିଂ ସଂଖ୍ୟା ବଢୁଥିବାରୁ ଟିକସ ସଂଗ୍ରହ ଆଶାନୁରୂପ ହୋଇପାରୁ ନାହିଁ।

ଏଥିରେ ସୁଧାର ଆଣିବା ପାଇଁ ପୌର ନିଗମ ପକ୍ଷରୁ ଏବେ ବିଭିନ୍ନ ପଦକ୍ଷେପ ନିଆଯାଇଛି। ସବୁ ବିଜ୍ଞାପନ ହୋର୍ଡିଂରେ ଏଜେନ୍ସିର ନାମ, ମୋବାଇଲ ନମ୍ବର ସହ ୟୁଆଇଏନ୍‌ ରହିବ। ଅନ୍ୟପଟେ ନନ୍-କମର୍ସିଆଲ ସ୍ଥାନ ଓ ଘର ଉପରେ ହୋର୍ଡିଂ ଲାଗିଥିଲେ ଏହାକୁ କମର୍ସିଆଲ କରାଯାଇ ହୋଲଡିଂ ଟିକସକୁ ବୃଦ୍ଧି କରାଯିବାର ବ୍ୟବସ୍ଥା ହେବ। ନିଗମରେ ହୋର୍ଡିଂ ଟିକସ ବାବଦକୁ ୨୦୨୦-୨୧ ଓ ୨୦୨୧-୨୨ ଦୁଇ ବର୍ଷରେ ୧ କୋଟି ୩୦ ଲକ୍ଷରୁ ଅଧିକ ଟଙ୍କା ବାକି ପଡିଛି। ଏହାକୁ ଚଳିତ ବର୍ଷ ଶେଷ ସୁଦ୍ଧା ଆଦାୟ କରିବାକୁ ଅଣ୍ଟା ଭିଡିଛି ନିଗମ। ଏଥିପାଇଁ ଏକାଧିକ କିସ୍ତିରେ ଏହାକୁ ପୈଠ କରିବାକୁ ଏଜେନ୍ସି ଗୁଡିକୁ ଚିଠି କରାଯାଇଛି। ସମୟ ମଧ୍ୟରେ କିସ୍ତି ନମିଳିଲେ ହୋର୍ଡିଂକୁ ନଷ୍ଟ କରିବାକୁ ମଧ୍ୟ ଚେତାବନୀ ଦିଆଯାଇଛି ବୋଲି ଆବେଦନ ଓ ଲାଇସେନ୍ସ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷା ଏ. ଶ୍ରୀଦେବୀ କହିଛନ୍ତି।

ସମ୍ବନ୍ଧିତ ଖବର