ସିଡିଏରେ କୁକୁର ଆତଙ୍କ, ୨ ଦିନରେ ଏକାଧିକ ଲୋକଙ୍କୁ କାମୁଡ଼ିଲାଣି

ସିଏମ୍‌ସି ଗାଡ଼ି ଖରାପ ଯୋଗୁଁ କୁକୁର ଧରା କାମ ବନ୍ଦ

କଟକ: ସହରରେ କୁକୁର ବଂଶ ବଢି ଚାଲିଥିବା ବେଳେ ଏନେଇ ନିଗମ ଏକ ପ୍ରକାର ଶୋଇ ପଡିଛି। ସେପଟେ ସହରରେ କାହାରିକୁ କୁକୁର କାମୁ‌ଡିଲେ। ସିଏମ୍‌ସିକୁ କୁକୁର ଧରିବାକୁ ଫୋନ୍‌ କଲେ ଗାଡି ଖରାପ ଥିବାର କୁହାଯାଉଛି। ଏପରି କିଛି ଅଭିଯୋଗ ଆଜି ସିଡିଏ ସେକ୍ଟର ସେକ୍ଟର-୯ରୁ ଆସିଛି। ସ୍ଥାନୀୟ ଅଞ୍ଚଳରେ କୁକୁରଙ୍କ ବଂଶ ବଢିବା ସହିତ ଗୋଟିଏ କୁକୁର କିଛି ଦିନ ଧରି ଅନେକ ଲୋକଙ୍କୁ କାମୁଡି ଏଠାରେ ଆତଙ୍କ ସୃଷ୍ଟି କରିଛି। ସହରର ସିଡିଏ ସେକ୍ଟର -୯ର ବାସିନ୍ଦା ସନ୍ଦୀପ ମହାପାତ୍ର କୌଣସି ଏକ କାମରେ ଘର ନିକଟରେ ଥିବା ଛକକୁ ଯାଇଥିଲେ। ବାଟରେ ଗୋଟିଏ ଛୋଟ କୁକୁରକୁ ଆଉ ଏକ ବଡ କୁକୁର କାମୁଡୁଥିବାର ଦେଖି ସେ ପାଟି କରିଥିଲେ। ବଡ କୁକୁରଟି ଶ୍ରୀ ମହାପାତ୍ରଙ୍କ ଆଡକୁ ମାଡି ଆସିବା ସହ ତାଙ୍କ ଛାତି ଓ ହାତକୁ କାମୁଡି ଗଭୀର କ୍ଷତ କରିଛି। ଶ୍ରୀ ମହାପାତ୍ରଙ୍କ ପାଟି ଶୁଣି ଆଖପାଖରୁ ଲୋକ ଆସି ତାଙ୍କୁ ଉଦ୍ଧାର କରିଥିଲେ। ସ୍ଥାନୀୟ ଲୋକଙ୍କ ପକ୍ଷରୁ କୁକୁରକୁ ଧରିବା ପାଇଁ ସିଏମ୍‌ସିକୁ ଫୋନ୍‌ କରାଯାଇଥିଲା। ମାତ୍ର କୁକୁର ଧରିବାକୁ ଥିବା ଗାଡି ଖରାପ ଥିବାରୁ କୁକୁର ଧରା କାମ ଦୁଇଦିନ ପରେ କରାଯିବ ବୋଲି କୁହାଗଲା।

ତେବେ ସିଏମ୍‌ସିର ୫୯ଟି ୱାର୍ଡ ପାଇଁ ଗୋଟିଏ ୨୦ ବର୍ଷରୁ ଅଧିକ ପୁରୁଣା ଗାଡିରେ କୁକୁର ଧରା କାମ କରାଯାଉ ଥିବାରୁ ଏପରି ପରିସ୍ଥିତି ଦେଖିବାକୁ ମିଳୁଛି। ଅନ୍ୟପଟେ ସହରରେ କୁକୁର ଧରା କାମ ମହାନଗର ନିଗମ ପକ୍ଷରୁ ‌ଏକ ପ୍ରକାର ବନ୍ଦ ରଖାଯାଇଛି। ବହୁ ଦାବି ହେଲେ ସିଏମ୍‌ସି ଦୁଇ କି ତିନିଟି କୁକୁର ଧରି ତାର ଦାୟିତ୍ବ ‌େଶଷ କରି ଦେଉଥିବା ବେଳେ କୁକୁର ଧରିବା ଓ ବନ୍ଧ୍ୟାକରଣ ବାବଦରେ ଲକ୍ଷ ଲକ୍ଷ ଟଙ୍କାର ବିଲ୍‌ ହେଉଥିବା ସାଧାରଣରେ ଅଭିଯୋଗ ହେଉଛି। ସେକ୍ଟର-୯ରେ ଗୋଟିଏ କୁକୁର ଏକାଧିକ ଲୋକଙ୍କୁ କାମୁଡି ଏଠାରେ ଆତଙ୍କ ସୃଷ୍ଟି କରିଛି। ତାକୁ ଧରିବା ପାଇଁ ସିଏମ୍‌ସିକୁ ଫୋନ୍‌ କରାଯାଇ ଥିଲା। ହେଲେ କୁକୁର ଧରା ଗାଡି ଖରାପ ଥିବାରୁ ଏହାକୁ ୨ ଦିନ ପରେ କରିବାକୁ ନିଗମ ପକ୍ଷରୁ କୁହାଯାଇଥିବାର ସେକ୍ଟର-୯ ପୂଜା କମିଟର ପୂର୍ବତନ ସଭାପତି ଲକ୍ଷ୍ମୀଧର ସାହୁ କୁହନ୍ତି। କୁକୁର ଧରା ଗାଡି ଖରାପ ହୋଇଛି। ଏହାର ମରାମତି କାମ ଚାଲିଛି। ଗାଡି ଠିକ‌୍‌ ହେଲେ କୁକୁର ଧରା କାମ ହେବ ବୋଲି ସିଏମ୍‌ସି ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ସତ୍ୟବ୍ରତ ମହାପାତ୍ର କହିଛନ୍ତି।

ସମ୍ବନ୍ଧିତ ଖବର