ଏମାନେ ଖାଦ୍ୟ ବିକୁଛନ୍ତି ନା’ ରୋଗ? ରାସ୍ତାସାରା ଅସ୍ବାସ୍ଥ୍ୟକର ଖାଦ୍ୟ, ସିଏମ୍‌ସି ଯାଞ୍ଚ ନାମକୁ ମାତ୍ର

କଟକ/ବିଦ୍ୟାଧରପୁର: କରୋନାରୁ ରକ୍ଷା ପାଇବା ପାଇଁ ସରକାର ପରିଷ୍କାର ପରିଚ୍ଛନ୍ନତା ଉପରେ ଜୋର୍‌ଦେଇ ମୋବାଇଲ ସହିତ ଅନ୍ୟାନ୍ୟ ଗଣମାଧ୍ୟମରେ ସଚେତନତା ସୃଷ୍ଟି କରୁଛନ୍ତି। ମାସ୍କ୍‌ ପିନ୍ଧିବା ସହିତ ହାତ ସାନିଟାଇଜ କରିବା ସହ ସାମାଜିକ ଦୂରତା ରକ୍ଷା କରିବା ପାଇଁ ଢ଼େର୍‌ ପ୍ରଚାର ଓ ପ୍ରସାର କରୁଛନ୍ତି। ଏହା ବ୍ୟତୀତ ରାସ୍ତାକଡ଼ ଦୋକାନ ଓ ହୋଟେଲରେ ବିକ୍ରି ପାଇଁ ଅତି ଅପରିଷ୍କାର ପରିବେଶରେ ଖାଦ୍ୟ ପଦାର୍ଥ ବର୍ଜନ କରିବାକୁ ଆହ୍ବାନ ଦେଉଛନ୍ତି। ଏପରିକି ଅପରିଷ୍କାର ପରିବେଶରେ ଖାଦ୍ୟ ପଦାର୍ଥ ବିକ୍ରି କରୁଥିବା ଦୋକାନୀମାନଙ୍କୁ ସିଏମ୍‌ସି ପକ୍ଷରୁ ସଚେତନତା କରିବା ପାଇଁ ଟ୍ରେନିଂ ଦେବାର ବ୍ୟବସ୍ଥା କରାଯାଇଛି ବୋଲି ଡିଣ୍ଡିମ ପିଟୁଛନ୍ତି। ହେଲେ ପରିସ୍ଥିତିରେ ସୁଧାର ହୋଇ ପାରି ନାହିଁ। ସହରର ନୂଆ ବଜାର, ପ୍ରେସ୍‌ଛକ ବିଦ୍ୟୁତ ଗ୍ରିଡ୍‌ରୁ ପାଚେରି ରାସ୍ତା କଡ, ଓଏମ୍‌ପି ଛକ, ବାଦାମବାଡ଼ି, ମଧୁପାଟଣା, ଖାନ୍‌ନଗର, ତେଲେଙ୍ଗାବଜାର ଓ ସହରର ପ୍ରାୟ ସବୁ ଛକ ଓ ରାସ୍ତାକଡ଼ରେ ଖୁଲମ୍‌ଖୁଲା ଖାଦ୍ୟ ପଦାର୍ଥକୁ ନ ଘୋଡ଼ାଇ ବିକ୍ରି ହେଉଥିବା ଦେଖିବାକୁ ମିଳିଛି। ସହରରେ ଗାଡ଼ିମଟର ଚଳାଚଳ କରୁଛି। ରାସ୍ତାର ଧୂଳି ଉଡ଼ି ଖାଦ୍ୟରେ ମିଶୁଛି।

ଦିନରେ ଭଣଭଣ ମାଛି ଖୋଲା ଖାଦ୍ୟରେ ବସୁଛନ୍ତି। ରାତିରେ ମଶା ଓ ପୋକ ଉଡ଼ିକି ମିଠା ଓ ଛଣା ଖାଦ୍ୟରେ ପଡୁଥିବା ଦେଖାଯାଉଛି। ଦୋକାନୀ ଏହି ମାଛି, ମଶା ଓ ପୋକକୁ ଅସନା ହାତରେ ଖାଦ୍ୟରୁ ବାହାର କରି ଅପରିଷ୍କାର ପରିଧାନରେ ହାତ ପୋଛି ଗ୍ରାହକଙ୍କୁ ପରଷୁଥିବା ଦେଖିବାକୁ ମିଳିଛି। କିନ୍ତୁ ଏ ପର୍ଯ୍ୟନ୍ତ ସେଭଳି ଆଖିଦୃଶିଆ ଚଢ଼ାଉ ସିଏମ୍‌ସି ପକ୍ଷରୁ କରାଯାଉ ନଥିବା ଅଭିଯୋଗ ହୋଇଛି। ଆମେ ଏ ସଂକ୍ରାନ୍ତରେ ସିଏମ୍‌ସି ସ୍ବାସ୍ଥ୍ୟ ଅଧିକାରୀ ଡା. ସତ୍ୟବ୍ରତ ମହାପାତ୍ରଙ୍କୁ ପଚାରିବାରୁ, ଏହି ଦୋକାନୀମାନେ ରୋଜଗାର ପାଇଁ ଲୋକଙ୍କୁ ରୋଗାକ୍ରାନ୍ତ କରି ଛଟପଟ କରି ମାରୁଥିବା କହିଛନ୍ତି। ଆମେ ସବୁବେଳେ ଏଭଳି ଖୋଲାଖୋଲି ଖାଦ୍ୟ ନଖାଇବା ପାଇଁ ସତର୍କ ସୂଚନା ଦିଆଯାଇଛି। କିନ୍ତୁ ଲୋକମାନେ ମାନୁ ନାହାନ୍ତି। ଏହି ଖୋଲା ଖାଦ୍ୟ ପଦାର୍ଥ ଖାଇଲେ କିଡ୍‌ନି, ଲିଭର୍‌ ନଷ୍ଟ ହୋଇଯିବାର ଆଶଙ୍କା ରହିଛି। ଏହା ସହ ଜଣ୍ଡିସ, ପୋଲାଇଟିସ, ଏସିଡିଟି, ଟାଇଫଏଡ୍‌, ଡାଇରିଆ ମଧ୍ୟ ହେବ।

ଏଭଳି ଖୋଲାଖୋଲି ଖାଦ୍ୟ ପଦାର୍ଥ ବିକ୍ରି କରୁଥିବା ଦୋକାନୀମାନଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ସେମାନଙ୍କୁ ଫାଇନ ଓ ଦୋକାନ ବନ୍ଦ କରିବା ପାଇଁ ସିଏମ୍‌ସି ସ୍କାଡ୍‌କୁ ନିର୍ଦ୍ଦେଶ ଦେଇଛୁ। କେନ୍ଦ୍ର ସରକାରଙ୍କ ଖାଦ୍ୟ ସୁରକ୍ଷା ଆଇନ୍ ରହିଛି। ଏହି ଆଇନ ଅନୁଯାୟୀ ଆମେ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଫାଇନ୍‌ ସହିତ ମାମଲା ରୁଜୁ କରି ଜେଲ ପଠାଇବାର ବ୍ୟବସ୍ଥା ରହିଛି। ଏହିପରି ଦୋକାନୀ ଓ ହୋଟେଲଗୁଡ଼ିକୁ ଫୁଡ୍ ସେଫ୍ଟି ଲାଇସେନ୍ସ କରିବାକୁ କହିବା ସହିତ ଗାଇଡ୍‌ଲାଇନ୍‌ ଦେଉଛୁ। ଲାଇସେନ୍ସ ନେଇଥିବା ଦୋକାନକୁ ବାରମ୍ବାର ଯାଞ୍ଚ କରି ଉନ୍ନତମାନର ଖାଦ୍ୟ ପରିବେଷଣ କରୁଛି କି ନାହିଁ ତଦନ୍ତ ଚାଲିଛି। ଯଦି ସେଥିରେ ବ୍ୟତିକ୍ରମ ହୋଇଥିବା ଧରାପଡ଼ିଲେ ଛଡ଼ା ଯିବ ନାହିଁ ବୋଲି ସେ କହିଛନ୍ତି। ତେବେ, ଯଦି ପ୍ରକୃତରେ ସ୍କାଡ୍‌ ଚଢ଼ାଉ ଜାରି ରଖିଥାନ୍ତେ ତେବେ ପ୍ରତ୍ୟେକ ଦିନ ଏତେ ସଂଖ୍ୟାରେ ଦୋକାନୀ ନିର୍ଭୟ ହୋଇ ଖୁଲମ୍‌ଖୁଲା ଅସନା ଖାଦ୍ୟ ବିକ୍ରି କରନ୍ତେ ନାହିଁ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି।

ସମ୍ବନ୍ଧିତ ଖବର