ସବୁ ଖୋଲିଲା, ହେଲେ ସିଏମ୍‌ସି ଅଭିଯୋଗ ପ୍ରକୋଷ୍ଠରେ ତାଲା: ଲୋକଙ୍କୁ ଭରସା ଟ୍ବିଟର୍‌ ଆକାଉଣ୍ଟ ଓ କଣ୍ଟ୍ରୋଲ୍‌ରୁମ୍‌ ନମ୍ବର

କଟକ: ସିଏମ୍‌ସି ଅଞ୍ଚଳରେ କରୋନା ପାଇଁ ଲାଗିଥିବା ସମସ୍ତ କଟକଣା ହଟିଲାଣି। ୮ ମାସରୁ ଅଧିକ ଦିନ ହେବ ସହରର ସବୁ କାର୍ଯ୍ୟାଳୟ, ପାର୍କ, ହୋଟେଲ, ଜିମ୍‌, ସିନେମା ହଲ୍‌, ହୋଟେଲ, ମଲ୍‌ ପୂର୍ବପରି ସ୍ବାଭାବିକ ହେଲାଣି। ଏପରିକି ସଭା ସମିତିରୁ ଆରମ୍ଭ କରି ବିବାହ ଉତ୍ସବ ଉପରୁ ବି କଟକଣା ଉଠିଗଲାଣି। ମାତ୍ର ସାଧାରଣ ଲୋକଙ୍କ ଅଭିଯୋଗ ଶୁଣିବାକୁ ସିଏମ୍‌ସିର ଅଭିଯୋଗ ପ୍ରକୋଷ୍ଠ ଆଜି ଯାଏ ଖୋଲିଲା ନାହିଁ। ୨ବର୍ଷରୁ ଅଧିକ ସମୟ ହେବ ନିଗମର ଅଭିଯୋଗ ପ୍ରକୋଷ୍ଠକୁ ସାଧାରଣ ଲୋକଙ୍କ ପାଇଁ ବନ୍ଦ ରଖାଯାଇଛି। ଲୋକଙ୍କ ଅଭିଯୋଗ ଶୁଣିବାକୁ ମହାନଗର ନିଗମର କେବଳ ଟୁଇଟର୍‌ ଓ ନିଗମ କଣ୍ଟ୍ରୋଲ୍‌ରୁମ୍‌ ଫୋନ୍ ନମ୍ବର ଲୋକଙ୍କ ଭରସା ପାଲଟିଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମହାନଗର ନିଗମ ପକ୍ଷରୁ ଗତ ୨୦୨୦ ମାର୍ଚ୍ଚ ୨୦ରୁ ସିଏମ୍‌ସିର ଅଭିଯୋଗ ପ୍ରକୋଷ୍ଠକୁ ବନ୍ଦ ରଖାଯାଇଛି। ମହାମରୀ ସ୍ଥିତିରେ ସୁଧାର ଆସିବା ପରେ ଗତ ବର୍ଷ ଅଗଷ୍ଟରୁ ସିଏମ୍‌ସି ପକ୍ଷରୁ ଲଗାଯାଇଥିବା ବିଭିନ୍ନ କଟକଣାକୁ ଧୀରେ ଧୀରେ ଉଠାଇ ଦିଆଯାଇଛି। ଏବେ ସହରର ସବୁକିଛି ପୂର୍ବପରି ଚାଲିଥିବା ବେଳେ ନିଗମର ଅଭିଯୋଗ ପ୍ରକୋଷ୍ଠକୁ ଆଜି ସୁଦ୍ଧା ଖୋଲାଗଲା ନାହିଁ। ସାଧାରଣ ଲୋକଟିଏ ସିଏମ୍‌ସିରେ ଅଭିଯୋଗ କରିବାକୁ ଉପଯୁକ୍ତ ମାଧ୍ୟମ ପାଇ ପାରୁନାହିଁ। କରୋନା ପାଇଁ ଅଭିଯୋଗ କରିବାକୁ ସିଏମ୍‌ସିର କଣ୍ଟ୍ରୋଲ ରୁମ ଫୋନ ନମ୍ବର କିମ୍ବା ଟୁଇଟର୍‌ ଆକାଉଣ୍ଟକୁ ବ୍ୟବହାର କରିବାକୁ କୁହାଯାଇଥିଲା।

ହେଲେ ସହରର ମାତ୍ର ୫ ପ୍ରତିଶତ ଲୋକଙ୍କ ଟୁଇଟର୍‌ ଆକାଉଣ୍ଟ ଥିବା ବେଳେ ୭ ପ୍ରତିଶତ ଲୋକଙ୍କ ନିକଟରେ କଣ୍ଟ୍ରୋଲ ରୁମ୍‌ ନମ୍ବର ରହିଛି। ସାଧାରଣ ଲୋ‌କଟିଏ ତାର ଅଭିଯୋଗକୁ ଏହି ଦୁଇଟି ମାଧ୍ୟମରେ କରିବା ପାଇଁ ନାନା ସମସ୍ୟାର ସମ୍ମୁଖୀନ ହେଉଛି। କରୋନା ପୂର୍ବରୁ ସିଏମ୍‌ସିରେ ପ୍ରତି ସୋମବାର ସକାଳ ୧୧ଟାରୁ ଅପରାହ୍ନ ୨ଟା ମଧ୍ୟରେ ଅଭିଯୋଗ ପ୍ରକୋଷ୍ଠ ଖୋଲା ଯାଉଥିଲା। ଏଥିରେ ପ୍ରତି ସପ୍ତାହରେ ୪୦ରୁ ଅଧିକ ଅଭିଯୋଗ ଆସୁଥିଲା। ମାତ୍ର ଏବେ ଫୋନ ମାଧ୍ୟମରେ ଦିନକୁ ୨ କିମ୍ବା ୩ଟି ଅଭିଯୋଗ ଆସୁଥିବା ବେଳେ ଟୁଇଟର୍‌ ଆକାଉଣ୍ଟରେ ମାସକୁ ଅତିବେଶିରେ ୬ରୁ ୮ଟି ଅଭିଯୋଗ ଆସୁଛି। ଅନ୍ୟପଟେ ଅନ୍‌ଲାଇନ୍‌ରେ କେବଳ ଡ୍ରେନ୍‌ ‌ସଫେଇ ଓ ଲାଇଟ୍‌କୁ ନେଇ ଅଭିଯୋଗ ଆସୁଥିବା ବେଳେ ଅନ୍ୟ ସମସ୍ୟାଗୁଡିକ ସିଏମ୍‌ସି ନିକଟରେ ପହଞ୍ଚି ପାରୁନାହିଁ। ମହାନଗର ନିଗମର ଅଭିଯୋଗ ପ୍ରକୋଷ୍ଠକୁ ପୂର୍ବପରି ଖୋଲିବାକୁ ସାଧାରଣରେ ଦାବି ହୋଇଛି। ସିଏମ୍‌ସିର ଅଭିଯୋଗ ପ୍ରକୋଷ୍ଠକୁ ଖୁବ ଶୀଘ୍ର ସାଧାରଣ ଲୋକଙ୍କ ପାଇଁ ଖୋଲଯିବ। ଏନେଇ ନିଗମର ଅଧିକାରୀଙ୍କ ସହିତ ଆଲୋଚନା କରି ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ମେୟର ସୁବାସ ସିଂହ କହିଛନ୍ତି।

ସମ୍ବନ୍ଧିତ ଖବର