ସିଏମ୍‌ସି ପାର୍କିଂରେ ଖୋଲିଛି ଦୋକାନ, ଅଭିଯୋଗ କଲେ ଗାଡ଼ିଚାଳକଙ୍କୁ ନାଲିଆଖି

କଟକ: ନିର୍ଦ୍ଦିଷ୍ଟ ଭାବେ ଗା‌ଡ଼ି ରଖିବା ପାଇଁ ତିଆରି ହୋଇଛି ପାର୍କିଂ। କିନ୍ତୁ ଗାଡ଼ି କ’ଣ ରହିବ, ଏହା ଭିତରେ ଦୋକାନ ଖୋଲି ବ୍ୟବସାୟ ଆରମ୍ଭ ହେଲାଣି। ଧୀରେ ଧୀରେ ଦୋକାନ ସଂଖ୍ୟା ବଢ଼ୁଛି ମଧ୍ୟ। ଏଭଳି ଭାବେ ସହରର ସିଏମ୍‌ସି ପାର୍କିଂ ଏବେ ଭେଣ୍ଡିଂ ଜୋନ୍‌ରେ ପରିଣତ ହେବାକୁ ଯାଉଛି। ବହୁ ପାର୍କିଂର ଯିବା ଆସିବା ବାଟରେ କ୍ୟାବିନ୍ ପଡ଼ିଥିବାରୁ ଗାଡ଼ି ‌ନବାଆଣିବାରେ ମଧ୍ୟ ସମସ୍ୟା ହେଉଥିବା ଅଭି‌ଯୋଗ ହେଉଛି। ଏପରିକି କୌଣସି ଦୋକାନ ସମ୍ମୁଖରେ ଗାଡ଼ି ପାର୍କିଂ କଲେ, ଓଲଟା ଦୋକାନ ଖୋଲିଥିବା ବ୍ୟକ୍ତି ଗାଡ଼ିବାଲାଙ୍କୁ ନାଲିଆଖି ଦେଖାଉଛନ୍ତି। ସହରର ଅନେକ ସିଏମ୍‌ସି ପାର୍କିଂରେ ଖୋଲାଖୋଲି ଭାବେ ଦୋକାନ ପଡ଼ିଥିବା ବେଳେ ସିଏମସି କର୍ତ୍ତୃପକ୍ଷ ଏ ଦିଗରେ କିଛି କାର୍ଯ୍ୟାନୁଷ୍ଠାନ ନେଉ ନଥିବା ଅଭିଯୋଗ ହେଉଛି। ସମସ୍ୟା ଭିତରେ ବାଧ୍ୟ ହୋଇ ଗାଡ଼ି ରଖୁଥିବା ବ୍ୟକ୍ତିଙ୍କ ଠାରୁ କିନ୍ତୁ ଦେୟ ବାବଦରେ ଟଙ୍କା ଆଦାୟ କରାଯାଉଛି। ଅଭିଯୋଗ କଲେ ଗାଡ଼ି ଚାଳକଙ୍କୁ ନାଲିଆଖିକଟକ ସହର ମଧ୍ୟରେ ଗାଡ଼ି ପାର୍କିଂ ପାଇଁ ସିଏମ୍‌ସି ପକ୍ଷରୁ କଲେଜଛକ, ବମ୍ବେ ହୋଟେଲ ସମ୍ମୁଖ, ମଙ୍ଗଳାବାଗ ଭେଯନାରି ଅଫିସ୍ ପାଖ, ମେଡିକାଲ ପରିସର, ଏଲ୍ଆଇସି ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖ, ଗୌରୀଶଙ୍କର ପାର୍କ, ପୁରୁଣା ଜେଲ୍‌ ପାଖ, ନୟାସଡକ, ମାତାମଠ ଭଳି ୩୫ଟି ଭିନ୍ନ ଭିନ୍ନ ସ୍ଥାନରେ ତିଆରି ହୋଇଛି ପାର୍କିଂ ସ୍ଥଳ। ଏସବୁ ପାର୍କିଂରେ ଚାରିଚକିଆ ଗାଡ଼ି ପାଇଁ ୨୦ଟଙ୍କା, ତିନି ଚକିଆ ପାଇଁ ୧୦ଟଙ୍କା, ଦୁଇ ଚକିଆ ପାଇଁ ୫ଟଙ୍କା ଦେୟ ଧାର୍ଯ୍ୟ କରାଯାଇଛି। କିନ୍ତୁ ଗାଡ଼ି ରଖିବା ପାଇଁ ଉଦ୍ଦିଷ୍ଟ ସ୍ଥାନରେ ଏବେ କ୍ୟାବିନ୍ ପକାଇ ଓ ଅସ୍ଥାୟୀ ଘର କରି ଦୋକାନ ଖୋଲା ଯାଉଛି। ଅଧିକାଂଶ ପାର୍କିଂରେ ଏହି ଭଳି ଦୋକାନ ଖୋଲିଛି।

ଜଣକୁ ଦେଖି ଅନ୍ୟ ଜଣେ କ୍ୟାବିନ୍ ପକାଉଛନ୍ତି। ଧୀରେ ଧୀରେ ଦୋକାନ ସଂଖ୍ୟା ବଢ଼ିବାରେ ଲାଗିଲାଣି। ଅନେକ ସମୟରେ ପାର୍କିଂ ଭର୍ତ୍ତି ହୋଇଥିଲେ, ଯଦି କୌଣସି ଗାଡ଼ି ଦୋକାନ ସମ୍ମୁଖରେ ପାର୍କିଂ କରେ, ତେବେ ଦୋକାନ ମାଲିକ ସଂପୃକ୍ତ ଚାଳକଙ୍କୁ ନାଲିଆଖି ଦେଖାଉଛନ୍ତି। ଏପରିକି ଅନେକ ପାର୍କିଂରେ ଯିବାଆସିବା ବାଟରେ ହିଁ କ୍ୟାବିନ୍ ପକାଯାଇଥିବା ଦେଖିବାକୁ ମିଳୁଛି। ଏ ବିଷୟରେ ସିଏମ୍‌ସି କର୍ତ୍ତୃପକ୍ଷଙ୍କୁ କିଛି ଅଛପା ନାହିଁ। କିନ୍ତୁ ସେମାନେ ଜାଣି ନ ଜାଣିଲା ଭଳି ରହୁଥିବା ଅଭିଯୋଗ ହୋଇଛି। ସହର ମଧ୍ୟରେ ଗାଡ଼ି ଚଳାଉଥିବା ତଥା ପାର୍କିଂ ବ୍ୟବହାର କରୁଥିବା ଜଣେ ଚାଳକଙ୍କ କହିବା ଅନୁସାରେ, ସିଏମ୍‌ସି ପକ୍ଷରୁ ଚାରିଚକିଆ ଯାନ ପାଇଁ ୨୦ ଟଙ୍କା, ଅଟୋ ପାଇଁ ୧୦ଟଙ୍କା, ବାଇକ୍ ପାଇଁ ୫ଟଙ୍କା ଧାର୍ଯ୍ୟ କରାଯାଇଥିଲେ ମଧ୍ୟ ବହୁ ପାର୍କିଂରେ ଧାର୍ଯ୍ୟ ଠାରୁ ଅଧିକ ଦେୟ ଆଦାୟ କରାଯାଉଛି। ଏହା ସହିତ ଅନେକ ପାର୍କିଂ ସ୍ଥଳରେ କ୍ୟାବିନ୍ ପକାଯାଇଛି। ପାର୍କିଂ ଫୁଲ୍ ବେଳେ ଗାଡି ରଖିବା ବା ବାହାର କରିବା ପାଇଁ ସମସ୍ୟା ହେଉଛି। ଯଦି କେଉଁ ଦୋକାନ ସମ୍ମୁଖରେ ଗାଡ଼ି ରହିଲା, ତେବେ ସଂପୃକ୍ତ ମାଲିକ ଗାଡ଼ିବାଲାକୁ ଗାଡ଼ି କାଢିବାକୁ ଧମକ ଦେଉଛନ୍ତି ବୋଲି ସଂପୃକ୍ତ ଚାଳକ କହିଛନ୍ତି।

ସମ୍ବନ୍ଧିତ ଖବର