କାଗଜକଲମରେ ସିଏମ୍‌ସି ପଲିଥିନ୍‌ ବ୍ୟାନ୍‌ ନିୟମ, ୧୯ ଦିନରେ ମାତ୍ର ଥରେ ଚଢ଼ଉ, ହଜାରେ ଟଙ୍କା ଜରିମାନା

କଟକ: ପୌର ନିଗମରେ ଚଳିତମାସରୁ ସିଙ୍ଗିଲ୍‌ ୟୁଜ୍‌ ପଲିଥିନ୍‌ ଓ ପ୍ଲାଷ୍ଟିକ୍‌ ବ୍ୟବହାରକୁ ବ୍ୟାନ୍‌ କରାଯାଇଛି। ଯେଉଁ ଦୋକାନରୁ ପଲିଥିନ୍‌ ଜବତ ହେବ ତାଙ୍କଠାରୁ ୨ରୁ ୨୦ ହଜାର ଟଙ୍କାର ଜରିମାନା ଆଦୟ କରାଯିବ ବୋଲି ନିଗମ ପକ୍ଷରୁ କୁହାଯାଇଛି। ଏପରିକି ଜୁଲାଇ ୧ ତାରିଖରେ ନିଗମ ପକ୍ଷରୁ ସହରରେ ଚଢ଼ଉ କରି ୫୦ କେଜି ପଲିଥିନ୍‌ ଜବତ କରାଯିବ‌ା ସହ ୧ ହଜାର ଟଙ୍କା ଜରିମାନା ଆଦାୟ ହୋଇଥିଲା। ବାସ୍‌, ତା’ପରେ ପଲିଥିନ୍‌ ବ୍ୟାନ୍‌ ନିୟମକୁ ସମସ୍ତେ ଭୁଲିଗଲେ। ଫଳରେ ଏବେ ସହରର ଗଳିକନ୍ଦିର ଦୋକାନରୁ ଆରମ୍ଭ କରି ବଡ଼ ଦୋକାନରେ ମିଳୁଛି ଯାହାକୁ ଯେତେ ପଲିଥିନ୍‌। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଜୁଲାଇ ୧ରୁ କଟକ ସହରକୁ ପଲିଥିନ୍‌ ମୁକ୍ତ କରିବା ପାଇଁ ପୌର ନିଗମ ପକ୍ଷରୁ ବିଶେଷ ପଦକ୍ଷେପ ନିଆଗଲା। ଏନେଇ ସହରର ଦୋକାନୀ ଓ ଗ୍ରାହକଙ୍କୁ ସଚେତନ କରାଇବା ପାଇଁ ବିଭିନ୍ନ ଛକବଜାର‌ରେ ଡାକବାଜି ଯନ୍ତ୍ର ମାଧ୍ୟମରେ ପ୍ରଚାର କରାଗଲା। କାଗଜ ଠୁଙ୍ଗା କିମ୍ବା କପଡ଼ା ବ୍ୟାଗ୍‌ରେ ଜିନିଷ ଦେବାକୁ ଦୋକାନୀଙ୍କୁ କୁହାଯିବା ସହ ବଜାର ଆସିବା ସମୟରେ ଘରୁ ସାଙ୍ଗରେ ବ୍ୟାଗ୍‌ ନେଇ ଆସିବାକୁ ସହରବାସୀଙ୍କୁ ନିବେଦନ କରାଗଲା।

ଏପରିକି ‌ଜୁଲାଇ ୧ ତାରିଖରେ ଚୌଧୁରୀବଜାର ଅଞ୍ଚଳରେ ନିଗମ ପକ୍ଷରୁ ପଲିଥିନ୍‌ ଚଢ଼ଉ କରାଗଲା। ୭ଟି ଦୋକାନରୁ ଚଢ଼ଉ କରାଯାଇ ୫୦ କେଜି ପଲିଥିନ୍‌ ଜବତ କରାଯିବା ସହ ୧ ହଜାର ଟଙ୍କା ଫାଇନ୍‌ ଆଦାୟ କରାଯାଇଥିଲା। ମାତ୍ର ଏହା ମଧ୍ୟରେ ୧୯ ଦିନ ବିତିଯାଇଥିଲେ ବି ନିଗମ ତରଫରୁ ସହରରେ ପଲିଥିନ୍‌ ଚଢ଼ଉ ବନ୍ଦ ରଖାଯାଇଛି। ଏହାର ପରିମାଣ ସ୍ବରୂପ ସହରର ସବୁ ଦୋକାନରେ ପଲିଥିନ୍‌ ମିଳୁଛି। ସହରର ଛକବଜାରରେ ଥିବା ଦୋକାନରୁ ପଲିଥିନ୍‌ ଚଢଉ କରାଯାଉଛି। ହେଲେ ପଲିଥିନ୍‌ ଗୋଦାମ ଓ ପଲିଥିନ୍‌ ପ୍ରସ୍ତୁତକାରୀ କମ୍ପାନି ଉପରେ ଚଢ଼ଉ କରିବାକୁ ନିଗମ କର୍ତ୍ତୃପକ୍ଷ ଭୁଲି ଯାଉଛନ୍ତି। ଗୋଦାମ‌ ଓ କମ୍ପାନିରେ ପଲିଥିନ୍‌ ମହଜୁଦ୍‌ ଥିବାରୁ ଏହା ସାଧାରଣ ଦୋକାନୀଙ୍କ ନିକଟରେ ସହଜରେ ପହଞ୍ଚିବା ସହ ଲୋକଙ୍କ ହାତକୁ ଯାଉଛି। ପୌର ନିଗମ ପକ୍ଷରୁ ମାଲଗୋଦାମ ଅଞ୍ଚଳରେ ପଲିଥିନ୍‌ ଚଢଉ କରାଯାଇଛି। ମାତ୍ର ସହର ବାହାରେ ପଲିଥିନ୍‌ ଲୁଚାଛପାରେ ବିଭିନ୍ନ ସ୍ଥା‌ନରେ ଗଚ୍ଛିତ କରି ରଖାଯାଉଛି। ପଲିଥିନ୍‌ ଗୋଦାମ ବିଷୟରେ ସହରବାସୀ ସୂଚନା ଦେଲେ ନିଗମ ପକ୍ଷରୁ ଚଢ଼ଉ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡେପୁଟି କମିସନର୍‌ (ଏନ୍‌ଫୋର୍ସମେଣ୍ଟ) ଅଜୟ କୁମାର ମହାନ୍ତି କହିଛନ୍ତି।

ସମ୍ବନ୍ଧିତ ଖବର