ସିଏମ୍‌ସିର ବାତ୍ୟା ମୁକାବିଲା ପ୍ରସ୍ତୁତି; ୨୬ଟି କେନ୍ଦ୍ରରେ ୧୫ ହଜାର ଲୋକଙ୍କ ପାଇଁ ବ୍ୟବସ୍ଥା

କଟକ: ମହାନଗର ନିଗମ ପକ୍ଷରୁ ବାତ୍ୟା ‘ୟାସ୍‌’ ମୁକାବିଲା ପାଇଁ ସହରର ଖାଲୁଆ ଅଞ୍ଚଳର ଲୋକଙ୍କୁ ୨୬ଟି ଆଶ୍ରୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି। ସେହିପରି ସହରର ମଧ୍ୟରୁ ପାଣି ନିଷ୍କାସନ ପାଇଁ ସିଏମ୍‌ସିର ବିଭିନ୍ନ ଖାଲୁଆା ଅଞ୍ଚଳରେ ୧୧୫ଟି ପମ୍ପ୍‌ସେଟ୍‌ ବସାଯାଇଛି। ଜାଇକା ପକ୍ଷରୁ ପାଣି ନିଷ୍କାସନ ମୁଖ୍ୟ ଗେଟ୍‌ରେ ୬ଟି ୮ଶହ ଏଚ୍‌ପିର ପମ୍ପ ବସାଯାଇଛି। ବାତ୍ୟା ଯୋଗୁଁ ଆସନ୍ତାକାଲି ସକାଳୁ ସହରରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଥିପାଇଁ ସହରର ବିଭିନ୍ନ ତଳିଆ ଅଞ୍ଚଳର ଲୋକଙ୍କୁ ଆଶ୍ରୟ କେନ୍ଦ୍ର ଗୁଡିକୁ ସ୍ଥାନାନ୍ତର କରାଯାଇଛି। ସଂଧ୍ୟା ୭ଟା ସୁଦ୍ଧା ନିଗମ ପକ୍ଷରୁ ୬,୩୬୧ ଜଣ ସ୍ଥାନାନ୍ତର କରାଯାଇଥିବା ବେଳେ ମୋଟ ୧୪,୮୩୯ ଜଣଙ୍କୁ ସ୍ଥାନାନ୍ତର କରିବାର ଯୋଜନା ରଖାଯାଇଛି। ଲୋକଙ୍କୁ ସେମାନଙ୍କ ଘରୁ କେନ୍ଦ୍ରକୁ ଆଣିବା ପାଇଁ ନିଗମ ପକ୍ଷରୁ ଗାଡ଼ିର ବ୍ୟବସ୍ଥା କରାଯାଇଛି। କେନ୍ଦ୍ରଗୁଡିକରେ ଲୋକଙ୍କୁ ଆଜି ରାତିରୁ ରନ୍ଧା ଖାଦ୍ୟ ଦିଆଯିବାର ବ୍ୟବସ୍ଥା ହୋଇଛି। ଏଥିପାଇଁ ୫ଟି ଏସ୍‌ଏଚ୍‌ଜିଙ୍କୁ ରୋଷେଇ ଦାୟିତ୍ବ ଓ ୨ଟି ଏସ୍‌ଏଚ୍‌ଜିଙ୍କୁ ବାଣ୍ଟିବା ଦାୟିତ୍ବ ଦିଆଯାଇଛି। କେନ୍ଦ୍ରରେ ରହୁଥିବା ଲୋକଙ୍କୁ ଶୁଖିଲା ଖାଦ୍ୟ ପ୍ୟାକେଟ୍‌ ଦିଆଯିବାର ବ୍ୟବସ୍ଥା ହୋଇଛି। ଲୋକଙ୍କ ସ୍ଥାନାନ୍ତରଣ ପ୍ରକ୍ରିୟାକୁ ପରଚାଳନା ପାଇଁ ନିଗମ ପକ୍ଷରୁ ୪ଟି ଟିମ୍‌ ଗଠନ କରାଯାଇଛି। ‌ଡେପୁଟି କମିସନର ଅବିନାଶ ରାଉତ ଓ ସିଡିଏ ଏନ୍‌ଫୋର୍ସମେଣ୍ଟ ଅଧିକାରୀ ପରେଶ ନାୟକଙ୍କୁ ୨ଟି ଲେଖାଏ ବିଭାଗର ଦାୟିତ୍ବ ଦିଆଯାଇଛି।

ସହର ମଧ୍ୟରୁ ବର୍ଷାଜଳ ନିଷ୍କାସନ ପାଇଁ ନିଗମ ପକ୍ଷରୁ ୧୧୫ଟି ପାଣି ପମ୍ପକୁ ବିଭିନ୍ନ ସ୍ଥାନରେ ବସାଯାଇଛି। ଜାଇକାର ୬ଟି ୮ଶହ ଏଚ୍‌ପି ପମ୍ପକୁ ବିଦ୍ୟାଧରପୁର, ଗୁଳୁଗୁଳି, ମତ୍ତଗଜପୁର, ଖାନନଗର ଆଦି ପମ୍ପିଂ ଷ୍ଟେସନ୍‌ରେ ବସାଯିବା ସହିତ ୧୨ରୁ ଅଧିକ ୨୫୦ ସିସିର ମଟର ପମ୍ପ୍‌କୁ ସହରର ପ୍ରମୁଖ ସ୍ଥାନରେ ବସାଯାଇଛି। ନିଗମ ପକ୍ଷରୁ ସବୁ ପମ୍ପ ହାଉସ୍‌‌ରେ ପାଣି ନିଷ୍କାସନ ପାଇଁ ଯେପରି କୌଣସି ଅସୁବିଧା ନହୁଏ ଏଥିପାଇଁ କର୍ମଚାରୀଙ୍କୁ ସତର୍କ ରହିବାକୁ କୁହାଯାଇଛି। ଏମ୍‌ଏସ୍‌ଡବ୍ଲୁ ଡ୍ରେନ୍‌ରେ ପାଣି ନିଷ୍କାନରେ ଯେପରି କୌଣସି ସମସ୍ୟା ନହୁଏ ସେଥିପାଇଁ ସମସ୍ତ ପାଣି ନିୟନ୍ତ୍ରଣ ଗେଟ୍‌କୁ ଉଠାଇ ଦିଆଯାଇଛି। ଜାଇକା ପକ୍ଷରୁ ବିଭିନ୍ନ ପମ୍ପିଂ ଷ୍ଟେସନ୍‌ରେ  ୮ଶହ ଏଚ୍‌ପିର ମଟର ବସାଯାଇଛି। ‌ଆଜି ସଂଧ୍ୟା ସୁଦ୍ଧା ୬ହଜାର ୩ଶହ ୬୧ଜଣଙ୍କୁ ୨୬ଟି କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି। ସିଏମସି ପକ୍ଷରୁ ୧୪,୮୩୯ ଜଣଙ୍କୁ ସ୍ଥାନାନ୍ତର କରିବାର ଯୋଜନା ଥିବାର ଡେପୁଟି କମିସନର ଅବିନାଶ ରାଉତ କହିଛନ୍ତି।

ସମ୍ବନ୍ଧିତ ଖବର