ଅଫିସ ସମୟରେ ସିଏମ୍‌ସି କର୍ମଚାରୀ ଚୌକିରେ ଶୋଇବା ଭିଡିଓ ଭାଇରାଲ୍‌

କଟକ: ସିଏମ୍‌ସି ବିଜୁ ଭବନ କାର୍ଯ୍ୟାଳୟରେ ଅଫିସ୍‌ ସମୟରେ କର୍ମଚାରୀ ‌ଚୌକିରେ ନିଘୋଡ଼ ନିଦରେ ଶୋଇବାର ଦୃଶ୍ୟ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ବିଜୁ ଭବନର ଏକ ମହଲାରେ ଥିବା ସର୍ଭେ ବିଭାଗର କର୍ମଚାରୀ ସୁରେନ୍ଦ୍ର ନାୟକ ଦିନ ୧୧ଟାରେ ତାଙ୍କ ଚୌକିରେ ଶୋଇଥିବାର ଦେଖିବାକୁ ମିଳିଛି। ଏହାକୁ କେହି ଜଣେ ଭିଡିଓ କରି ସୋସିଆଲ୍‌ ମିଡିଆରେ ଛାଡ଼ିଥିଲା। ୪୫ ସେକେଣ୍ଡର ଏହି ଭିଡିଓରେ ଶ୍ରୀ ନାୟକ ଚୌକିରେ ନିଘୋଡ଼ ନିଦରେ ଶୋଇଥିବା ବେଳେ ଅନ୍ୟ କିଛି କର୍ମଚରୀ ତାଙ୍କ ସ୍ଥାନରେ କାମ କରୁଥିବାର ଦେଖିବାକୁ ମିଳିଛି।

ଉକ୍ତ ଭିଡିଓକୁ ଅନେକ ଲୋକ ସୋସିଆଲ୍‌ ମିଡିଆରେ ସେୟାର କରିବା ସହିତ ନାନା ଟିପଣୀ ଦେଉଥିବାର ଦେଖିବାକୁ ମଳିଛି। ଏହା ପୂର୍ବରୁ ଗତ ସେପ୍ଟେମ୍ବର ୨ ତାରିଖରେ ବୁଲା ପଶୁ ଧରା ବିଭାଗର କନିଷ୍ଠ ସହାୟକ ଅଫିସ୍‌ ସମୟରେ ତଳିଆ କର୍ମଚାରୀଙ୍କ ଠାରୁ ଘଷାମୋଡ଼ା ଖାଇ କାର୍ଯ୍ୟାଳୟ ଟେବୁଲ ଉପରେ ଶୋଇବା ଭିଡିଓ ଭାଇରାଲ ହୋଇଥିଲା। ସିଏମ୍‌ସି କର୍ମଚାରୀ ଅଫିସ୍‌ ସମୟରେ କାର୍ଯ୍ୟାଳୟର ଚୌକି ଓ ଟେବୁଲ ଉପରେ ଶୋଇବା ଘଟଣାକୁ କର୍ତ୍ତୃପକ୍ଷ ହାଲକା ଭାବରେ ନେଉଥିବା ବେଳେ ଏହା ନିଗମର ଛବିକୁ ଖରାପ କରୁଥିବା ସାଧାରଣରେ ଅଭିଯୋଗ ହେଉଛି।

ସମ୍ବନ୍ଧିତ ଖବର