କଟକ ମହାନଗରରୁ ଆଜି ପୁଣି ୩ କରୋନା ପଜିଟିଭ୍ ଚିହ୍ନଟ, ୪ଟି ହସ୍ପିଟାଲକୁ ନ ଯିବାକୁ ପରାମର୍ଶ

କଟକ: କଟକ ମହାନଗରରୁ ଆଜି ପୁଣି ୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏନେଇ କଟକ ମହାନଗର ନିଗମ(ସିଏମସି) ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି। ୩ କରୋନା ପଜିଟିଭ୍ ଚିହ୍ନଟଙ୍କ ମଧ୍ୟରୁ ଜଣେ ପେଡ୍‌ କ୍ବାରାଣ୍ଟିନ୍‌ରେ ଥିବା ବେଳେ ଜଣେ ଘରୋଇ ସଙ୍ଗରୋଧରେ ଥିଲେ। ଅନ୍ୟ ଜଣେ ସ୍ଥାନୀୟ ସଂକ୍ରମିତ ବୋଲି ସୂଚନା ଦିଆଯାଇଛି।

ଏମାନଙ୍କ ଭିତରୁ ମାଣିକଘୋଷ ବଜାରର ଜଣେ ୫୯ ବର୍ଷିୟ ବ୍ୟକ୍ତି ପଜିଟିଭ ଚିହ୍ନଟ ହୋଇଥିବା ଜଣାଯାଇଛି। ଘରୋଇ ସଙ୍ଗରୋଧରେ ଥିଲେ। ପଶ୍ଚିମବଙ୍ଗ ଫେରନ୍ତା ୬୨ ବର୍ଷିୟ ଜଣେ ବୃଦ୍ଧ ପେଡ୍‌ କ୍ବାରାଣ୍ଟିନରେ ଥିବା ବେଳେ ପଜିଟିଭ ଚିହ୍ନଟ ହୋଇଛନ୍ତି। କଟକର ଏକ ଘରୋଇ ନର୍ସିଂହୋମର ଜଣେ ୫୮ ବର୍ଷିୟ କର୍ମଚାରୀ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେ ଜଣେ ସ୍ଥାନୀୟ ସଂକ୍ରମିତ ବୋଲି ଜଣାଯାଇଛି।
କଟକ ମହାନଗର ନିଗମ ଅଞ୍ଚଳରେ ଏଯାବତ୍ ମୋଟ୍ ୧୯୩ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୨ ଜଣ ସୁସ୍ଥ ହୋଇ ସାରି ଘରକୁ ଫେରିଲେଣି। ୧୬୯ଜଣ ସକ୍ରିୟ ସଂକ୍ରମିତ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ କରୋନାରେ ୨ ଜଣଙ୍କ ମୃତ୍ୟୁ ହୋଇଛି।
ଅପରପକ୍ଷରେ କଟକର ଏସସିବି, ସିଟି ହସ୍ପିଟାଲ୍, ଶିଶୁଭବନ ଓ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲକୁ ଅତି ଜରୁରୀ ନଥିଲେ ନ ଯିବାକୁ ପରାମର୍ଶ ଦେଇଛନ୍ତି ଜିଲ୍ଲାପାଳ । ସଟଡାଉନ ସମୟ ସୀମା ମଧ୍ୟରେ ସଂକ୍ରମଣ ଚେନ ଭାଙ୍ଗିବାକୁ ବୋଲି ଜିଲ୍ଲାପାଳ କହିଛନ୍ତି ।

କୋଭିଡ କଟକଣା ଭିତରେ କଟକରେ ସଟଡାଉନ୍ ଜାରି ରହିଛି । ବିଭିନ୍ନ ଛକ ସ୍ଥାନ ଗୁଡିକରେ ପୁଲିସ କଡ଼ା ପାଟ୍ରୋଲିଂ କରୁଛି । ୮ ତାରିଖ ଯାଏଁ ସଟଡାଉନ ଘୋଷଣା କରାଯାଇଛି ।

ମହାନଗର ନିଗମରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟ ବଢ଼ି ଚାଲିଥିବାବେଳେ ହଟ୍‌ସ୍ପଟ୍‌ ଜିଲ୍ଲା ଓ ବ୍ଲକ୍‌ରୁ ସିଏମସି ଅଞ୍ଚଳକୁ ଆସୁଥିବା ଲୋକଙ୍କୁ କ୍ବାରାଣ୍ଟିନ୍‌ରେ ରହିବା ବାଧ୍ୟତାମୂଳକ କରାଯାଇଛି। ମହାନଗର ନିଗମ ଅଞ୍ଚଳକୁ ବିଭିନ୍ନ କାମରେ ଗଞ୍ଜାମ, ଖୋର୍ଦ୍ଧା, ଯାଜପୁର, ଗଜପତି, ବାଲେଶ୍ବର ଜିଲ୍ଲା ସହିତ କଟକ ଜିଲ୍ଲାର ମାହାଙ୍ଗା, ନରସିଂହପୁର, ନିଶ୍ଚିନ୍ତକୋଇଲି, ବଡ଼ମ୍ବା ଓ ତିଗିରିଆ ବ୍ଲକ୍‌ ପରି ହଟ୍‌ସ୍ପଟ୍‌ ଅଞ୍ଚଳରୁ ଆସୁଥିବା ଲୋକଙ୍କୁ ୧୪ ଦିନ ପାଇଁ କ୍ବାରାଣ୍ଟିନ୍‌ରେ ରହିବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର