ଚୂଡ଼ାନ୍ତ ହେଲା ସିଏମ୍‌ସି ପରିମଳ ଟେଣ୍ଡର୍‌, ଜାଗୃତି, ମଂଜୁଶ୍ରୀ, ପ୍ରତ୍ୟୁଷ ହାତରେ କଟକ ପରିମଳ ଦାୟିତ୍ବ

କଟକ: ଦୀର୍ଘ ୬ ବର୍ଷ ପରେ କଟକ ମହାନଗର ପରିମଳ ପରିଚାଳନା ବ୍ୟବସ୍ଥା ଟେଣ୍ଡର ଜରିଆରେ ଫଇସଲା ହୋଇଛି। ଟେଣ୍ଡର ଅଟକି ରହିବା ସଂକ୍ରାନ୍ତରେ ‘ସମ୍ବାଦ’ରେ ଖବର ପ୍ରକାଶନ ଏବଂ ମେୟର ସୁବାସ ସିଂହଙ୍କ ତୁରନ୍ତ ହସ୍ତକ୍ଷେପ ପରେ ଆଜି ସିଏମସି ପରିମଳ ଟେଣ୍ଡରର ଫାଇନାନ୍‌ସିଆଲ୍ ବିଡ୍ ଖୋଲିଛି। ଜାଗୃତି, ମଂଜୁଶ୍ରୀ ଓ ପ୍ରତ୍ୟୁଷ ନାମକ ୩ଟି ସଂସ୍ଥାକୁ କଟକ ମହାନଗର ଅଞ୍ଚଳର ପରିମଳ ପରିଚାଳନା ଦାୟିତ୍ବ ମିଳିଛି। କଟକ ମହାନଗର ନିଗମ ଅନ୍ତର୍ଗତ ୫୯ଟି ୱାର୍ଡକୁ ୬ଟି ଜୋନ୍‌ରେ ବିଭକ୍ତ କରାଯାଇଥିବା ‌ବ‌େଳେ ପ୍ରତି ସଂସ୍ଥା ହାତରେ ୨ଟି ଲେଖାଏ ଜୋନ୍ ରହିଛି। ତେବେ ୨୫୦ କୋଟିର ଏହି ଟେଣ୍ଡର ଆଜି ୧୯୨ କୋଟି ଟଙ୍କାରେ ଚୂଡାନ୍ତ ହୋଇଛି। ଅର୍ଥାତ ଟେଣ୍ଡର ପାଇଁ ପ୍ରତିଯୋଗିତା ଫଳରେ କଟକ ମହାନଗର ନିଗମ ୫୮ କୋଟି ଟଙ୍କାର ଲାଭ ପାଇଛି। ୩ଟି ସଂସ୍ଥା ହାରାହାରି ଭାବେ ୯.୯ କମ୍‌ କରି ଟେଣ୍ଡର ଦାଖଲ କରିଥିବାରୁ ୨୫୦ କୋଟିର ଏହି କାମ ୧୯୨ କୋଟିରେ ଚୂଡାନ୍ତ ହୋଇଛି। ଏହି ଟେଣ୍ଡରରେ ଭାଗ ନେଇଥିବା ଗ୍ଲୋବାଲ ଓ ଆୱାର ଲ୍ୟାଣ୍ଡ୍ ନାମକ ଆଉ ଦୁଇଟି ସଂସ୍ଥା‌ ଫାଇନାନସିଆଲ୍ ବିଡ୍‌ରେ କଟି ଯାଇଛନ୍ତି।
ଜାଗୃତିକୁ ଜୋନ୍ ନଂ ୧ ଓ ୬ ମିଳିଥିବା ବେଳେ ମଂଜୁଶ୍ରୀକୁ ୩ ଓ ୪ ନଂ ଜୋନ୍ ଓ ପ୍ରତ୍ୟୁଷକୁ ୨ ଓ ୫ନଂ ଜୋନ୍‌ର ପରିମଳ କାମ ମଳିଛି। ଜାଗୃତିକୁ ଜୋନ ନଂ ୧ ଅଧୀନରେ ୱାର୍ଡ ନଂ ୧ ରୁ ୯ ଓ ୧୬ ନମ୍ବର ୱାର୍ଡ ମିଳିଥିବା ବେଳେ ଜୋନ୍ ନଂ ୬ ଅଧୀନରେ ଜାଗୃତିକୁ ୪୪, ୪୫, ୫୦, ୫୧, ୫୨, ୫୩, ୫୬, ୫୭, ୫୮ ଓ ୫୯ ନମ୍ବର ୱାର୍ଡର ପରିମଳ କାମ ମିଳିଛି।

ସେହିଭଳି ମଂଜୁଶ୍ରୀକୁ ଜୋନ୍ ନଂ ୩ର ୨୧, ୨୨, ୨୩, ୨୪, ୨୫, ୨୬, ୨୭, ୨୮, ୨୯ ଓ ୩୦ନଂ ୱାର୍ଡ ମିଳିଥିବା ବେଳେ ଜୋନ୍ ନଂ ୪ର ୩୨, ୩୩, ୩୪, ୩୫, ୩୮,୩୯, ୪୦, ୪୧, ୪୮ ଓ ୪୯ ନଂ ୱାର୍ଡର କାମ ମିଳିଛି। ସେହିଭଳି ପ୍ରତ୍ୟୁଷକୁ ଜୋନ୍ ନମ୍ବର ୨ ଅଧୀନରେ ଥିବା ୱାର୍ଡ ନଂ ୧୦, ୧୧, ୧୨, ୧୩, ୧୪, ୧୫, ୧୭,୧୮, ୧୯, ୨୦ ନଂ ୱାର୍ଡର ପରିମଳ କାମ ମିଳିଥିବା ବେଳେ ଜୋନ୍ ନଂ ୫ ଅଧୀନରେ ଥିବା ୩୧, ୩୬, ୩୭, ୪୨, ୪୩, ୪୬, ୪୭, ୫୪ ଓ ୫୫ ନଂ ୱାର୍ଡର ପରିମଳ କାମ ପ୍ରତ୍ୟୁଷକୁ ମିଳିଛି। ଟେଣ୍ଡର ପାଇଥିବା ଏହି ତିନୋଟି ସଂସ୍ଥା ସିଏମସିର ୫୯ଟି ୱାର୍ଡର ରାସ୍ତା ସଫେଇ, ବୁସ୍ କଟିଂ ଓ ସାହି, ବସ୍ତି ଡ୍ରେନ୍ ସଫା କରିବେ। ଏଥିପାଇଁ ଗତ ଜାନୁଆରି ମାସରେ ଟେଣ୍ଡର ଆହ୍ବାନ କରାଯାଇଥିଲା। ଏହି ଟେଣ୍ଡରର ଟେକ୍ନିକାଲ୍ ବିଡ୍ ମାର୍ଚ୍ଚ ୨୨ରେ ଖୋଲିଥିଲା। ଫାଇନାନ୍‌ସିଆଲ ବିଡ୍ ଖୋଲିନଥିଲା। ଟେଣ୍ଡର ପ୍ରକାଶନର ୬ମାସ ପ‌ରେ ଆଜି ଫାଇନାନସିଆଲ ବିଡ୍‌ ଖୋଲାଯାଇଥିଲା।

ସମ୍ବନ୍ଧିତ ଖବର