କାହାପାଇଁ ସିଏମ୍‌ସିର ଭେଣ୍ଡିଂ ଜୋନ୍‌? ବର୍ଷକ ଭିତରେ ଗୋଟିଏ ବି ଖୋଲି ପାରିଲା ନାହିଁ

୮ଶହ ବ୍ୟବସାୟୀଙ୍କ ମଧ୍ୟରୁ ୨ ଶହଙ୍କ ପାଇଁ ଯୋଜନା

କଟକ: ସହରର ବିଭିନ୍ନ ରାସ୍ତା ପାର୍ଶ୍ବରେ ବ୍ୟବସାୟ କରୁଥିବା କ୍ଷୁଦ୍ର ବ୍ୟବସାୟୀଙ୍କୁ ଥଇଥାନ କରିବା ପାଇଁ ମହାନଗର ନିଗମ ପକ୍ଷରୁ ଭେଣ୍ଡିଂ ‌େଜାନ୍‌ର ଯୋଜନା କରାଯାଇଛି। ପ୍ରତିଦିନ କେଉଁଠି ନା କେଉଁଠି ସହରର ରାସ୍ତା ସଂପ୍ରସାରଣ ହେଉ କିମ୍ବା ଅନ୍ୟ କିଛି ଉନ୍ନତି ମୂଳକ କାମ ପାଇଁ ‌କ୍ଷୁଦ୍ର ବ୍ୟବସାୟୀଙ୍କୁ ଉଚ୍ଛେଦ କରାଯାଉଛି। ମାତ୍ର ଯେଉଁ ସଂଖ୍ୟାରେ ଦୋକାନୀଙ୍କୁ ଉଚ୍ଛେଦ କରାଯାଉଛି ସେହି ଅନୁପାତରେ ଭେଣ୍ଡିଂ ଜୋନ୍‌ର ବ୍ୟବସ୍ଥା କରାଯାଉ ନଥିବା ବେଳେ ଯାହ ବି କରାଯାଉଛି ତାହାକୁ ବ୍ୟବସାୟୀଙ୍କୁ ଦେବାରେ ବିଳମ୍ବ ହେଉଥିବାର ଅଭିଯୋଗ ହୋଇଛି।
ସିଏମସି ଅଞ୍ଚଳରେ ଭେଣ୍ଡିଂ ଜୋନ୍‌ ନିର୍ମାଣ କରି ସହର ମଧ୍ୟରୁ ଉଚ୍ଛେଦ ହେଉଥିବା ଉଠା ଦୋକାନୀଙ୍କୁ ଥଇଥାନ କରିବାକୁ ଗତବର୍ଷ ନି‌ଷ୍ପତ୍ତି ହୋଇଥିଲା। ଗତ ଏକ ବର୍ଷ ମଧ୍ୟରେ ସହରର ବିଭିନ୍ନ ସ୍ଥାନରୁ ୮ଶହରୁ ଅଧିକ କ୍ଷୁଦ୍ର ବ୍ୟବସାୟୀଙ୍କୁ ଉଚ୍ଛେଦ କରାଯାଇଛି। ‌ମାାତ୍ର ସେମାନଙ୍କୁ ଥଇଥାନ କରିବା ପାଇଁ ସିଏମସି ପକ୍ଷରୁ ସେପରି ଉଦ୍ୟମ କରାଯାଉ ନାହିଁ। ଯେଉଁ ଅନୁସାରେ ‌ରାସ୍ତା ପାର୍ଶ୍ବର କ୍ଷୁଦ୍ର ବ୍ୟବସାୟୀଙ୍କୁ ଉଠାଯାଉଛି ସେହି ପରିମାଣରେ ନିଗମ ପକ୍ଷରୁ ଭେଣ୍ଡିଂ ଜୋନ୍‌ ନିର୍ମାଣ କରାଯାଉ ନ ଥିବା ଅଭିଯୋଗ ହୋଇଛି।

ଗତବର୍ଷ ଜାନୁଆରି ମାସରେ ସହରର ବିଭିନ୍ନ ସ୍ଥାନରେ ୮ଟି ଭେଣ୍ଡିଂ ଜୋନ କରିବାକୁ ସିଏମସି ପକ୍ଷରୁ ସ୍ଥିର ହୋଇଥିଲା। ହେଲେ ବର୍ଷକ ମଧ୍ୟରେ ଗୋଟିଏ ବି କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ଖୋଲାଯାଇ ପାରିଲା ନାହିଁ। ୮ଟି ଭେଣ୍ଡିଂ ଜୋନ ମଧ୍ୟରେ ସିଡିଏ ସେକ୍ଟର-୬, ପେଟାନାଳ, ବିଡ଼ାନାସୀ ବନ୍ଧ ଛକ, ହରିଣ ପାର୍କ, କଲେଜ ଛକ, ଓଏମ୍‌ପି ଛକ, ଖାନନଗର ହନୁମାନ ମନ୍ଦିର ଓ ଜଗତପୁର ରହିଛି। ଖାନନଗର ହନୁମାନ ମନ୍ଦିର ନିକଟରେ ୬୪, ହରିଣ ପାର୍କରେ ୩୨, ସିଡିଏ ସେକ୍ଟର-୬ରେ ୧୬ ଓ ବିଡ଼ାନାସୀ ବନ୍ଧ ଛକରେ ୮ ଓ କଲେଜଛକରେ ୨୬ଟି ଦୋକାନ ଘର ନିର୍ମାଣ ହୋଇଛି। ସେପଟେ ପେଟାନାଳଠାରେ ଭେଣ୍ଡିଂ ଜୋନ୍‌ର ନିର୍ମାଣ କାମ ଚାଲିଥିବା ବେଳେ ଜଗତପୁର (ନିମପୁର) ଓ ଓଏମ୍‌ପି ଭେଣ୍ଡିଂ ଜୋନ୍‌ର କାମ ଟେଣ୍ଡର ପ୍ରକ୍ରିୟା ଭିତରେ ରହିଛି। ଅନେକ ଜୋନ୍‌ର ନିର୍ମାଣ କାମ ୨ରୁ ୪ ମାସ ପୂର୍ବରୁ ଶେଷ ହୋଇଥିଲେ ବି ସେଗୁଡିକୁ ଆଜି ପର୍ଯ୍ୟନ୍ତ କ୍ଷୁଦ୍ର ବ୍ୟବସାୟୀଙ୍କୁ ଦେବାରେ ବିଫଳ ହୋଇଛିି ସିଏମସି।

ସହର ମଧ୍ୟରେ ୮ଶହରୁ ଅଧିକ କ୍ଷୁଦ୍ର ବ୍ୟବସାୟୀଙ୍କୁ ଉଚ୍ଛେଦ କରାଯାଇ ଥିବା ବେଳେ ଏବେ ୮ଟି ଜୋନ୍‌ରେ ମାତ୍ର ଦୁଇ ଶହଙ୍କ ପାଇଁ ବ୍ୟବସ୍ଥା ହୋଇଛି। ତେବେ ବଳକା ବ୍ୟବସାୟୀଙ୍କ ପାଇଁ ନିଗମ ପକ୍ଷରୁ କୌଣସି ଯୋଜନା କରାଯାଇ ନଥିବାରୁ ଏହାକୁ ନେଇ ଅନେକ କ୍ଷୁଦ୍ର ବ୍ୟବସାୟୀ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଯେଉଁ ସଂଖ୍ୟାରେ ‌ବ୍ୟବସାୟୀଙ୍କୁ ଉଚ୍ଛେଦ କରାଯାଉଛି ସେହି ସଂଖ୍ୟାରେ ଭେଣ୍ଡିଂ ଜୋନ୍‌ ନିର୍ମାଣ ହେଉନାହିଁ। ମହାନଗର ନିଗମ ଏବେ ଅଧିକ ସଂଖ୍ୟାରେ ଜୋନ୍‌ ନିର୍ମାଣ କରି ବ୍ୟବସାୟୀଙ୍କୁ ଥଇଥାନ କରିବାକୁ କ୍ଷୁଦ୍ର ବ୍ୟବସାୟୀ ମହାସଂଘର ସଭାପତି ପ୍ରକାଶ ଦାସ କହିଛନ୍ତି। ସିଏମସି ପକ୍ଷରୁ ୫ଟି ଭେଣ୍ଡିଂ ଜୋନ୍‌ର କାମ ଶେଷ ହୋଇଥିଲେ ବି ଆଜି ପର୍ଯ୍ୟନ୍ତ ସେଗୁଡିକୁ କାହାରିକୁ ଦିଆଗଲା ନାହିଁ ବୋଲି କଲେଜଛକ ପୂଜା କମିଟିର ଉପସଭାପତି ଦିଲ୍ଲୀପ ସାହୁ କହନ୍ତି।

ସମ୍ବନ୍ଧିତ ଖବର