ପ୍ରକାଶ ପାଇଲା ସିଏମ୍‌ସିର ଚୂଡ଼ାନ୍ତ ଭୋଟର୍‌ ତାଲିକା, ୫୯ଟି ୱାର୍ଡରେ ୪ ଲକ୍ଷ ୫୦ ହଜାର ୭୫୯ ଭୋଟର

୨୫ ନମ୍ବର ୱାର୍ଡରେ ସର୍ବାଧିକ, ୨୪ରେ ସର୍ବନିମ୍ନ ଭୋଟର

କଟକ: କଟକ ମହାନଗର ନିଗମର ଚୂଡ଼ାନ୍ତ ଭୋଟର ତାଲିକା ଆଜି ପ୍ରକାଶ ପାଇଛି। ସିଏମ୍‌ସି ୫୯ଟି ୱାର୍ଡର ଭୋଟର ତାଲିକାରେ ମୋଟ ୪ ଲକ୍ଷ ୫୦ ହଜାର ୭୫୯ ଜଣ ଭୋଟରଙ୍କ ନାମ ରହିଛି। ସେମାନଙ୍କ ମଧ୍ୟରେ ୨ଲକ୍ଷ ୩୧ ହଜାର ୩୦ ଜଣ ପୁରୁଷ ଭୋଟର, ୨ଲକ୍ଷ ୧୯ ହଜାର ୫୯୮ ଜଣ ମହିଳା ଥିବା ବେଳେ ୧୩୧ଜଣ ତୃତୀୟ ଲିଙ୍ଗ ଭୋଟର ଅଛନ୍ତି। ୨୦୧୩ ବର୍ଷରେ ସିଏମ୍‌ସି‌ରେ ଭୋଟରଙ୍କ ସଂଖ୍ୟା ୩ ଲକ୍ଷ ୯୪ ହଜାର ୮୧୪ ଥିଲା। ସହରରେ ୨୦୧୩ରୁ ୨୦୨୨ ମଧ୍ୟରେ ତଥା ଗତ ୯ବର୍ଷରେ ୫୫ ହଜାର ୯୪୫ ଜଣ ଭୋଟର ବଢ଼ିଛନ୍ତି। ଉକ୍ତ ‌େଭାଟରଙ୍କୁ ୱାର୍ଡ ଅନୁସାରେ ୪୫୨ଟି ବୁଥ୍‌ରେ ବଣ୍ଟାଯିବାର କାମ ମହାନଗର ନିଗମ ପକ୍ଷରୁ କରାଯାଉଛି। ଆସନ୍ତା ୨୮ ତାରିଖ ମଧ୍ୟରେ ବୁଥ୍‌ ୱାରି ଭୋଟରଙ୍କ ସଂଖ୍ୟା ସରକାରଙ୍କୁ ପଠାଯିବ ବୋଲି ନିଗମ ପକ୍ଷରୁ କୁହାଯାଇଛି।
ସିଏମ୍‌ସିର ୫୯ଟି ୱାର୍ଡରୁ ୨୫ ନମ୍ବର ୱାର୍ଡରେ ସର୍ବାଧିକ ୧୦ହଜାର ୧୦୬ଜଣ ଭୋଟର ଥିବା ବେଳେ ୱାର୍ଡ ନମ୍ବର ୨୪ରେ ସର୍ବନିମ୍ନ ୪ ହଜାର ୫୦୫ ଜଣ ଭୋଟର ଅଛନ୍ତି। ନିଗମର ତିନିଟି ୱାର୍ଡ ଯଥା ୱାର୍ଡ ନମ୍ବର ୨୫, ୧୫ ଓ ୫୧ରେ ଭୋଟରଙ୍କ ସଂଖ୍ୟା ୧୦ ହଜାର ଉପରେ ରହିଛି। ୱାର୍ଡ ନମ୍ବର ୫୧ରେ ସର୍ବାଧିକ ୫ ହଜାର ୧୮୬ ଜଣ ପୁରୁଷ ଭୋଟର ଥିବା ବେଳେ ୱାର୍ଡ ନମ୍ବର ୧୯ରେ ସର୍ବାଧିକ ୪ହଜାର ୯୨୬ ଜଣ ମହିଳା ଭୋଟର ଅଛନ୍ତି।

ସେହିପରି ୱାର୍ଡ ନମ୍ବର ୩୮ରେ ସର୍ବାଧିକ ୭୬ଜଣ ତୃତୀୟ ଲିଙ୍ଗ ଭୋଟର ଅଛନ୍ତି। ଚଳିତ ମାସ ୧୦ ତାରିଖରେ ସିଏମ୍‌ସର ଚିଠା ଭୋଟର ତାଲିକା ପ୍ରକାଶ ପାଇଥିଲା। ୧୧ରୁ ୧୬ ତାରିଖ ମଧ୍ୟରେ ଏଥିରେ ଥିବା ଭୁଲକୁ ସଂଶୋଧନ କରିବା ପାଇଁ ସାଧାରଣ ଲୋକଙ୍କୁ ସମୟ ଦିଆଯାଇଥିବା ବେଳେ ଭୁଲ ସଂଶୋଧନ ପାଇଁ ୮୯ଟି ପିଟିସନ୍‌ ପଡ଼ିଥିଲା। ସିଏମ୍‌ସିର ଭୋଟର ଚିଠା ତାଲିକରେ ଭୋଟରଙ୍କ ସଂଖ୍ୟା ୪ଲକ୍ଷ ୪୫ ହଜାର ୭୧୭ଥିଲା। ୮୯ଟି ଅଭିଯୋଗ ପରେ ଭୋଟର ତାଲିକା ସଂଶୋଧନ କରାଯାଇ ୫ ହଜାର ୪୨ଜଣଙ୍କ ନାମ ଚୂଡ଼ାନ୍ତ ତାଲିକାରେ ମିଶାଯାଇଛି। ବିଧାନସଭା ଭୋଟର ତାଲିକାରେ ନାମ ଥିବ ବ୍ୟକ୍ତିଙ୍କ ନାମ ଯଦି ସିଏମ୍‌ସି ତାଲିକାରେ ନଥାଏ କିମ୍ବା ଗୋଟିଏ ୱାର୍ଡର ଭୋଟରଙ୍କ ନାମ ଅନ୍ୟ ୱାର୍ଡରେ ଥିଲେ ତାହାକୁ ନେଇ ଅପିଲ୍‌ କରିବାକୁ କୁହାଯାଇଥିଲା। ସିଏମ୍‌ସିର ଚୂଡ଼ାନ୍ତ ଭୋଟର ତାଲିକା ଆଜି ପ୍ରକାଶ ପାଇଥିବା ବେଳେ ଆସନ୍ତା ୨୬ ତାରିଖରେ ବୁଥ୍‌ ୱାରି ଭୋଟର ତାଲିକା ପ୍ରକାଶ କରାଯାଇ ୨୮ ତାରିଖରେ ସରକାରଙ୍କୁ ଏହି ତାଲିକା ପଠାଯିବ ବୋଲି ସିଏମ୍‌ସିର ନିର୍ବାଚନ ଅଧିକାରୀ ତଥା ଡେପୁଟି କମିସନର ଅମୀୟ କୁମାର ପଣ୍ଡା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର