ଏସ୍‌ଏଚ୍‌ଜିଙ୍କ ହାତରେ ୱାର୍ଡ ସଫେଇ ଦାୟିତ୍ବ; ବଦଳୁଛି ସିଏମ୍‌ସିର ୩ଟି ୱାର୍ଡ ଚିତ୍ର

କଟକ: ଚମକୁଛି ମହାନଗର ନିଗମର ତିନିଟି ୱାର୍ଡ୍‌। ପୂର୍ବରୁ ୱାର୍ଡ୍‌ଗୁଡକରେ ଦୀର୍ଘଦିନ ଧରି ଗଦା ହୋଇ ରହୁଥିବା ଅଳିଆ ଆଉ ଦେଖିବାକୁ ମିଳୁ ନାହିଁ। ୱାର୍ଡର ମୁଖ୍ୟରାସ୍ତାରୁ ଆରମ୍ଭ କରି ଗଳିକନ୍ଦି ସବୁଠି ସ୍ବଚ୍ଛତାର ଚିତ୍ର ଦେଖିବାକୁ ମିଳୁଛି। ସିଏମସି ପକ୍ଷରୁ ଏବେ ୧୮, ୨୭ ଓ ୨୮ ନମ୍ବର ୱାର୍ଡର ସଫେଇ କାମ ସ୍ବୟଂ ସହାୟକ ଗୋଷ୍ଠୀ(ଏସ୍‌ଏଚ୍‌ଜି)ଙ୍କ ଦ୍ବାରା କରାଯାଉଥିବାବେଳେ ସେଠାରେ ପରିମଳ ଚିତ୍ରରେ ଏପରି ପରିବର୍ତ୍ତନ ଆସିଛି। ଆଗକୁ ନିଗମର ଅନ୍ୟ ୱାର୍ଡ୍‌ଗୁଡିକରେ ଏସ୍‌ଏଚ୍‌ଜିଙ୍କ ଦ୍ବାରା ସଫେଇ କାମ କରିବାକୁ ଯୋଜନା ରଖିଛି ମହାନଗର ନିଗମ। ଅନ୍ୟପଟେ ଏହି ଯୋଜନ‌ାରେ ନିଗମର ଖର୍ଚ୍ଚ ମଧ୍ୟ ୩୦ରୁ ୪୦ ପ୍ରତିଶତ କିମିଥିବା ସିଏମସି ପକ୍ଷରୁ ସୂଚନା ଦିଆଯାଇଛି।
ସହରର ବସ୍ତିବାସିନ୍ଦାଙ୍କ ରୋଜଗାର ଯୋଗାଇବାକୁ ସରକାରଙ୍କ ପକ୍ଷରୁ ଅନେକ ଯୋଜନା କରାଯାଇଛି। ମହାନଗର ନିଗମ ତରଫରୁ ମଧ୍ୟ ସେମାନଙ୍କ ଆର୍ଥକ ସ୍ଥିତିରେ ସ୍ବଚ୍ଛଳତା ଆଣିବାକୁ ପାଇଁ ମଧ୍ୟ ଉଦ୍ୟମ ଆରମ୍ଭ ‌ହୋଇଛି। ଗତ ଡିସେମ୍ବର ମାସରୁ ନିଗମର ୩ଟି ୱାର୍ଡ ଯଥା ୧୮, ୨୭ ଓ ୨୮ର ସଫେଇ କାମ ଏସ୍‌ଏଚ୍‌ଜିଙ୍କ ଦ୍ବାରା କରାଯାଉଛି।

ଗ୍ରୁପଙ୍କ ଦ୍ବାରା ୱାର୍ଡରେ କରାଯାଉଥିବା ସଫେଇ କାମକୁ ଏବେ ସବୁସ୍ତରରେ ପ୍ରଶଂସା କରାଯାଉଛି। ପୂର୍ବରୁ ଯେଉଁଠାରେ ମାସ ମାସ ଧରି ଅଳିଆ ୱାର୍ଡରେ ପଡି ରହୁଥିଲା, ତାହା ଏବେ ଅଳ୍ପ କିଛି ଘଣ୍ଟା ମଧ୍ୟରେ ଉଠିଯାଉଛି। ତିନିଟି ୱାର୍ଡରେ କାମ କରୁଥିବା ଏସ୍‌ଏଚ୍‌ଜିଙ୍କୁ ଶ୍ରମ ବିଭାଗ ନିୟମାନୁସାରେ ଗ୍ରୁପର ବ୍ୟାଙ୍କ ଆକାଉଣ୍ଟଙ୍କୁ ସିଧା ଟଙ୍କା ପଠାଯାଉଛି। ଆସନ୍ତା ମାର୍ଚ୍ଚରେ ସ୍ବଚ୍ଛତା ସର୍ବେକ୍ଷଣ ହେବାକୁ ଥିବାବେଳେ ନିଗମ ପକ୍ଷରୁ ଅଧିକ ୱାର୍ଡରେ ଏହି ଯୋଜନାକୁ କାର୍ଯ୍ୟକ୍ଷମ କରିବାକୁ ଉଦ୍ୟମ ଚାଲିଛି।
ଉଲ୍ଲେଖ୍ୟ, ସିଏମସିରେ ଗତ କିଛିବର୍ଷରେ ସଫେଇ କର୍ମଚାରୀ ଅବସର ନେବା ପରେ ସରକାରଙ୍କ ପକ୍ଷରୁ ନୂଆ କର୍ମଚାରୀ ନିୟୋଜିତ ହୋଇ ନାହାନ୍ତି। ଫଳରେ ଏବେ ନିଗମରେ ୩ଶହରୁ ଅଧିକ ସଫେଇ କର୍ମଚାରୀଙ୍କ ପଦବି ଖାଲି ରହିଛି। ଗ୍ରୁପଙ୍କ ଦ୍ବାରା ସଫେଇ କାମ କରାଯିବା ପରେ କର୍ମଚାରୀଙ୍କ ଅଭାବ ଆଉ ସମସ୍ୟା ହୋଇ ରହି ନାହିଁ। ସିଏମସିର ଏହି ଉଦ୍ୟମ ବେଶ ଫଳପ୍ରଦ ହୋଇଥିବା ତିନିଟି ୱାର୍ଡର ପୂର୍ବତନ କର୍ପୋରେଟର ଅରୁଣ କୁମାର ସେଠୀ, ଇତିଶ୍ରୀ ଦାସ ଓ ବୈଶାଳୀ ବେହେରା କହିଛନ୍ତି। ଆସନ୍ତା ଦିନରେ ଅନ୍ୟ ୱାର୍ଡଗୁଡ଼ିକରେ ଏହା କରାଯିବ ବୋଲି ସିଏମସି ସାନିଟେସନ୍‌ ଅଧିକାରୀ ତଥା ଡେପୁଟି କମିସନର ସଞ୍ଜୀବିତା ରାୟ କହିଛନ୍ତି। ଏହି ଯୋଜନାରେ ପୂର୍ବ ଅପେକ୍ଷା ନିଗମର ୩୦ରୁ ୪୦ ପ୍ରତିଶ୍ରତ କମ ଅର୍ଥ ଖର୍ଚ୍ଚ ହେଉଥିବା ସେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର