କଟକ: କଟକ ସହରର ବିସିନାବର ମୌଜାର ପ୍ରାୟ ୬୦୬ ଡିସିମିଲ ଜମି କଟକ ମହାନଗର ନିଗମ(ସିଏମସି) ନିକଟକୁ ଫେରିବା ପଥ ପରିଷ୍କାର ହୋଇଛି। ଏ ନେଇ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ୧୯୭୮, ଜାନୁଆରି ୭ରେ ନବ କୁମାର ଆଚାର୍ଯ୍ୟ ନାମକ ବ୍ୟକ୍ତିଙ୍କ ନାଁରେ ଏହି ଜମି କରିବା ପାଇଁ କଟକ ଓଇଏ କଲେକ୍ଟର ତଥା ଅତିରିକ୍ତ ତହସିଲଦାର ନିର୍ଦ୍ଦେଶ ଦେଇଥିଲେ। ଏହି ଜମି କିଛି ବ୍ୟକ୍ତି ବିକ୍ରି କବଲା ମାଧ୍ୟମରେ କିଣିଥିଲେ। ଏହି ପ୍ରସଂଗରେ ସିଏମସି ବିଭିନ୍ନ ରାଜସ୍ବ ଅଦାଲତରେ ନିରାଶ ହେବା ପରେ ହାଇକୋର୍ଟରେ ମାମଲା ଦାୟର କରିଥିଲା। ହାଇକୋର୍ଟର ଜଣିକିଆ ବିଚାରପତି ସିଏମସିର ଆବେଦନକୁ ୨୦୧୦, ଜୁନ ୨୮ରେ ଖାରଜ କରିଥିଲେ। ଜଣିକିଆ ବିଚାରପତିଙ୍କ ରାୟ ବିରୋଧରେ ସିଏମସି ଦୁଇ ଜଣିଆ ଖଣ୍ଡପୀଠରେ ରିଟ୍ ଅପିଲ ଦାୟର କରିଥିଲା। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଗୌରୀଶଙ୍କର ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ ସିଏମସିର ରିଟ୍ ଅପିଲକୁ ଗ୍ରହଣ କରି ଜଣିକିଆ ବିଚାରପତିଙ୍କ ରାୟକୁ ରଦ୍ଦ କରିଛନ୍ତି। ଏଥି ସହିତ ଏହି ଜମି ପ୍ରସଂଗରେ ସେଟେଲମେଣ୍ଟ ଆଣ୍ଡ କନସୋଲିଡେସନ୍ ଯୁଗ୍ମ କମିସନରଙ୍କ ୨୦୦୪, ଫେବ୍ରୁଆରି ୨୪ର ନିର୍ଦ୍ଦେଶକୁ ହାଇକୋର୍ଟ ଖାରଜ କରିଛନ୍ତି। ୧୯୭୮, ଜାନୁଆରି ୭ରେ ନବ କୁମାର ଆଚାର୍ଯ୍ୟଙ୍କ ନାଁରେ ଏହି ଜମି କରିବା ପାଇଁ କଟକ ଓଇଏ କଲେକ୍ଟର ତଥା ଅତିରିକ୍ତ ତହସିଲଦାର ୧୯୭୬ର ଓଇଏ ମାମଲାରେ ଦେଇଥିବା ନିର୍ଦ୍ଦେଶକୁ ମଧ୍ୟ ହାଇକୋର୍ଟ ରଦ୍ଦ କରିଛନ୍ତି। ଏହି ପ୍ଲଟ ଗୁଡିକ ଦଖଲରେ ଥିବା ବ୍ୟକ୍ତିବିଶେଷ ଯଦି ୨୦୨୩, ଜୁଲାଇ ୧ ସୁଦ୍ଧା ଖାଲି ଜମିର ଶାନ୍ତିପୂର୍ଣ୍ଣ ଦଖଲ ହସ୍ତାନ୍ତର ନ କରନ୍ତି ତେବେ ସିଏମସି ଏହାକୁ ଦଖଲକୁ ନେବା ପାଇଁ ଆଇନ ଅନୁସାରେ ପଦକ୍ଷେପ ଗ୍ରହଣ କରିବ ବୋଲି ହାଇକୋର୍ଟ କହିଛନ୍ତି। ଖାନନଗର ଠାରେ ନିର୍ମାଣାଧୀନ ବସ୍ ଟର୍ମିନାଲ ପାଖରେ ଏହି ମୂଲ୍ୟବାନ ଜମି ରହିଛି। ଦୀର୍ଘ ବର୍ଷ ହେବ ସିଏମସି ଏହି ଜମିର ଦଖଲରେ ନାହିଁ। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଏହି ଜମି ସିଏମସି ଦଖଲକୁ ଫେରିବ। କଟକ ପୌର ନିଗମ ତରଫରୁ ମାମଲା ପରିଚାଳନା ଦାୟିତ୍ବରେ ଥିବା ଅଧିକାରୀଙ୍କ ଉପଯୁକ୍ତ ଆଇନଗତ ପଦକ୍ଷେପ ପରେ ଚାରି ଦଶନ୍ଧି ଧରି ଏହି ଜମିକୁ ନେଇ ଚାଲିଥିବା ଆଇନଗତ ଲଢେଇର ଫଳ ସିଏମସିକୁ ମିଳିଛି। ମାମଲାର ବିବରଣୀରୁ ପ୍ରକାଶ ଯେ ୧୯୭୬ର ଓଇଏ ମାମଲାରେ ଶ୍ରୀ ଆଚାର୍ଯ୍ୟଙ୍କ ସପକ୍ଷରେ ଓଇଏ କଲେକ୍ଟର ତଥା ଅତିରିକ୍ତ ତହସିଲଦାର ନିର୍ଦ୍ଦେଶ ଦେବାର ପରବର୍ତ୍ତୀ ସମୟରେ ଆସିଷ୍ଟାଣ୍ଟ ସେଟେଲମେଣ୍ଟ ଅଫିସର(ଏଏସଓ)ଙ୍କ ୧୯୮୩, ଜୁନ ୨୮ର ନିର୍ଦ୍ଦେଶ ଅନୁସାରେ ଏହି ଜମି ତାଙ୍କ ନାଁରେ ରେକର୍ଡ ହୋଇଥିଲା। ଏହା ବିରୋଧରେ ସିଏମସି ଅତିରିକ୍ତ ସେଟେଲମେଣ୍ଟ ଅଫିସରଙ୍କ ନିକଟରେ ଆବେଦନ କରିଥିଲା। ୧୯୮୫, ଅକ୍ଟୋବର ୧୪ରେ ଅତିରିକ୍ତ ସେଟେଲମେଣ୍ଟ ଅଫିସର ଏଏସଓଙ୍କ ନିର୍ଦ୍ଦେଶକୁ ରଦ୍ଦ କରିଥିଲେ।
ସିଏମସି ଜମିକୁ ଶ୍ରୀ ଆଚାର୍ଯ୍ୟଙ୍କ ନାଁରେ ରେକର୍ଡ କରିବା ପାଇଁ ତହସିଲଦାରଙ୍କ କ୍ଷମତା ନାହିଁ ବୋଲି ଏହି ନିର୍ଦ୍ଦେଶରେ ଉଲ୍ଲେଖ କରାଯାଇଥିଲା। ପରବର୍ତ୍ତୀ ସମୟରେ ଏହି ଜମିରୁ କିଛି ଅଂଶ ପ୍ରସଂଗରେ ଦୁଇ ଜଣ ବ୍ୟକ୍ତିଙ୍କ ସପକ୍ଷରେ ଶ୍ରୀ ଆଚାର୍ଯ୍ୟ ବିକ୍ରି କବଲା କରିଥିଲେ। କିନ୍ତୁ ୧୯୮୭ରେ ସିଏମସି ନାଁରେ ହାଲ ରେକର୍ଡ ଅଫ୍ ରାଇଟ୍ସ(ଆରଓଆର) ପ୍ରକାଶ ପାଇଥିଲା। ଏହାର ୮ ବର୍ଷ ପରେ ଜମି କିଣିଥିବା ଦୁଇ ବ୍ୟକ୍ତି ସଦର ତହସିଲଦାରଙ୍କ ନିକଟରେ ଏହି ଜମି ସେମାନଙ୍କ ନାଁରେ ରେକର୍ଡଭୁକ୍ତ କରିବା ପାଇଁ ମ୍ୟୁଟେସନ୍ କେସ୍ କରିଥିଲେ। ତହସିଲଦାର ଜମି କିଣିଥିବା ଦୁଇ ବ୍ୟକ୍ତିଙ୍କ ସପକ୍ଷରେ ୧୯୯୬ରେ ପଟ୍ଟା ମଞ୍ଜୁର କରିଥିଲେ। ତହସିଲଦାରଙ୍କ ନିର୍ଦ୍ଦେଶ ବିରୋଧରେ ଉପଜିଲ୍ଲାପାଳଙ୍କ ନିକଟରେ ସିଏମସି ଦାଖଲ କରିଥିବା ଆବେଦନ ଖାରଜ ହୋଇଥିଲା। ୨୦୦୯ରେ ରାଜସ୍ବ ପର୍ଷଦ ସଭ୍ୟ ମାମଲାର ଶୁଣାଣି କରି ଉଭୟ ତହସିଲଦାର ଓ ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ରଦ୍ଦ କରିଥିଲେ। ୧୯୭୬ର ଓଇଏ ମାମଲା ପ୍ରସଂଗରେ ତଦନ୍ତ ପାଇଁ କଟକ ଜିଲ୍ଲାପାଳଙ୍କ ନିକଟରେ ସିଏମସି ଏକ ଆବେଦନ ଦାଖଲ କରିଥିଲା। ଏହି ଓଇଏ ମାମଲା ରେକର୍ଡରେ ଜାଲିଆତି କରାଯାଇଥିବା ଓ ରେକର୍ଡ ମିଳୁ ନଥିବା ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଉଲ୍ଲେଖ କରାଯାଇଥିଲା।
ଅନ୍ୟପକ୍ଷରେ ସେଟେଲମେଣ୍ଟ ଆଣ୍ଡ କନସୋଲିଡେସନ୍ ଯୁଗ୍ମ କମିସନରଙ୍କ ୨୦୦୪, ଫେବ୍ରୁଆରି ୨୪ରେ ଜମି କିଣିଥିବା ବ୍ୟକ୍ତିଙ୍କ ସପକ୍ଷରେ ରାୟ ଦେଇଥିଲେ। ଏହି ରାୟ ବିରୋଧରେ ସିଏମସି ୨୦୦୬ରେ ହାଇକୋର୍ଟରେ ଆବେଦନ କରିଥିଲା। ଜଣିକିଆ ବିଚାରପତି ସିଏମସି ଆବେଦନକୁ ୨୦୧୦, ଜୁନ୍ ୨୮ରେ ଖାରଜ କରିଥିଲେ। ଜଣିକିଆ ବିଚାରପତିଙ୍କ ରାୟକୁ ସିଏମସି ୨୦୧୦ରେ ଦୁଇ ଜଣିଆ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଚାଲେଞ୍ଜ କରିଥିଲା। ଶ୍ରୀ ଆଚାର୍ଯ୍ୟଙ୍କ ସହିତ ତାଙ୍କ ନିକଟରୁ ଜମି କିଣିଥିବା ବ୍ୟକ୍ତିଙ୍କୁ ମାମଲାରେ ପକ୍ଷଭୁକ୍ତ କରାଯାଇଥିଲା। ସିଏମସି ଦର୍ଶାଇଥିଲା ଯେ ୧୯୩୧ରେ ଏହି ଜମିର େରକର୍ଡ ସିଏମସି ନାଁରେ ଥିଲା। ରେକର୍ଡରେ ଚଞ୍ଚକତା କରାଯାଇଥିଲା ବୋଲି ସିଏମସି ଅଭିଯୋଗ କରିଥିଲା। ୨୦୨୨, ସେପ୍ଟେମ୍ବର ୧୯ରେ ହାଇକୋର୍ଟ ମାମଲାର ଶୁଣାଣି କରି ୧୯୭୬ର ସଂପୃକ୍ତ ଓଇଏ ମାମଲାର ରେକର୍ଡ ଦାଖଲ ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସଦର ତହସିଲରେ ଏ ସଂପର୍କିତ ରେକର୍ଡ ମିଳୁ ନାହିଁ ବୋଲି ପରବର୍ତ୍ତୀ ସମୟରେ ସରକାର ହାଇକୋର୍ଟଙ୍କୁ ଅବଗତ କରିଥିଲେ। ୧୯୭୮, ଜାନୁଆରି ୭ର ନିର୍ଦ୍ଦେଶ ଜାଲିଆତି କରି ହାସଲ କରାଯାଇଥିଲା ବୋଲି ହାଇକୋର୍ଟଙ୍କ ଚୂଡାନ୍ତ ରାୟରେ ଉଲ୍ଲେଖ କରାଯାଇଛି। ଏହି ନିର୍ଦ୍ଦେଶର ପରବର୍ତ୍ତୀ ସମୟରେ ଜମିକୁ ନେଇ ଜାରି କରାଯାଇଥିବା ଅନ୍ୟ ଆଦେଶ ଗୁଡିକ ଆଇନ ଅନୁଯାୟୀ ଗ୍ରହଣୀୟ ନୁହେଁ ବୋଲି ହାଇକୋର୍ଟ କହିଛନ୍ତି। ସିଏମସି ତରଫରୁ ବରିଷ୍ଠ ଆଇନଜୀବୀ ସୂର୍ଯ୍ୟ ପ୍ରସାଦ ମିଶ୍ର ମାମଲା ପରିଚାଳନା କରୁଥିଲେ।