ଭିକାରିମୁକ୍ତ କଟକ ସହର ସ୍ବପ୍ନ ସଫଳ ହେବ! ୩ ଶହଙ୍କ ଭିକାରିଙ୍କ ଥଇଥାନ ପାଇଁ ନିର୍ମାଣ ହେବ ୩ଟି କେନ୍ଦ୍ର

କଟକ: କଟକ ହେବ ଭିକାରିମୁକ୍ତ ସହର। ରେଳଷ୍ଟେସନ, ବସଷ୍ଟାଣ୍ଡରୁ ଆରମ୍ଭ କରି ବିଭିନ୍ନ ମନ୍ଦିର ଓ ଟ୍ରାଫିକ ଅଞ୍ଚଳରେ ଆଉ ଭକାରିଙ୍କୁ ଭିକ୍ଷା ବୃତ୍ତିି କରୁଥିବାର ଦେଖିବାକୁ ମିଳିବ ନାହିଁ। ସହରର ୩ଶହ ଭିକାରିଙ୍କୁ ଥଇଥାନ କରିବା ପାଇଁ ମହାନଗର ନିଗମ ପକ୍ଷରୁ ନିର୍ମାଣ ହେବ ଆଶ୍ରୟସ୍ଥଳ। ପ୍ରଥମ ପର୍ଯ୍ୟାୟରେ ୩ଟି କେନ୍ଦ୍ରରେ ୩ ଶହ ଭିକାରିଙ୍କୁ ରଖାଯିବ। ସହରର ଭିକାରିଙ୍କୁ ଥଇଥାନ କରିବା ପାଇଁ ସିଏମ୍‌ସି ପକ୍ଷରୁ ରାଜ୍ୟ ସରକାରଙ୍କୁ ଚିଠି କରାଯାଇ ଥିଲା। ଏହାକୁ ନେଇ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ସହରରେ ୩ଟି କେନ୍ଦ୍ର କରିବାକୁ କୁହାଯାଇଛି। ଆସନ୍ତା ଦିନରେ ଏହାକୁ କାର୍ଯ୍ୟକ୍ଷମ କରାଯିବ ବୋଲି ନିଗମ ପକ୍ଷରୁ କୁହାଯାଇଛି। ମହାନଗର ନିଗମ ଅଞ୍ଚଳରେ ଭିକ୍ଷା ବୃତ୍ତି କରୁଥିବା ଭିକାରିଙ୍କ ପାଇଁ ୩ଟି ଆଶ୍ରୟ କେନ୍ଦ୍ର ନିର୍ମାଣ ହେବ। ଭିକ୍ଷା ବୃତ୍ତିରେ ନିୟୋଜିତ ଥିବା ମହିଳା, ଦିବ୍ୟାଙ୍ଗ ଓ ବୟସ୍କଙ୍କ ପାଇଁ ପୃଥକ ଭାବେ ୩ଟି କେନ୍ଦ୍ର କରାଯିବ। ଏଥିରେ ସହରର ବିଭିନ୍ନ ସ୍ଥାନରେ ଭିକ୍ଷା ବୃତ୍ତି କରୁଥିବା ୩ଶହ ଭିକାରି ଥଇଥାନ ହେବେ। ଏନେଇ ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ବିଭାଗ ପକ୍ଷରୁ ଗତ ୬ ତାରିଖରେ ଚିଠି ନମ୍ବର ୧୬୫ରେ କୁହାଯାଇଛି। ସେମାନଙ୍କ ରହିବା, ଖାଇବା ଓ କେନ୍ଦ୍ରର ପରିଚାଳନା ପାଇଁ ପ୍ରତିମାସ ଜଣକ ପିଛା ୩ ହଜାର ୪୦୩ଟଙ୍କା ସରକାରଙ୍କ ପକ୍ଷରୁ ପ୍ରଦାନ କରାଯିବ।

ପ୍ରଥମ ପ୍ରର୍ଯ୍ୟାୟରେ ୩ଟି କେନ୍ଦ୍ର କରାଯାଇ ସେମାନଙ୍କୁ ରଖାଯିବ। ଭିକାରିଙ୍କ ପାଇଁ କେନ୍ଦ୍ର ନିର୍ମାଣ ଠାରୁ ଆରମ୍ଭ କରି ଯୋଜନାର ସଫଳ ରୂପାୟନ ପାଇଁ ଏଜେନ୍ସି ବାଛିବା ସହ ସବୁ କାମ ଟେଣ୍ଡର ମାଧ୍ୟମରେ କରିବାକୁ ବିଭାଗ ସିଏମ୍‌ସିକୁ କହିଛି। ସହରରେ ୨୦୧୮ରେ କରାଯାଇଥିବା ଏକ ସର୍ଭେରେ ୬ଶହରୁ ଅଧିକ ଭିକାରି ଥିବାର ସୂଚନା ଥିଲା। ମାତ୍ର କରୋନା ପରେ ଏହି ସଂଖ୍ୟା ବୃଦ୍ଧି ପାଇଥିବାର ଆଶଙ୍କା କରାଯାଉଛି। ତେବେ ଏହା ପୂର୍ବରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଶାର ବିଭିନ୍ନ ସହରାଞ୍ଚଳରେ ବିକ୍ଷାବୃତ୍ତି କରୁଥିବା ଭିକାରିଙ୍କ ପାଇଁ ୨୦୧୮ରେ ଆରମ୍ଭ ହୋଇଥିଲା ‘ସହାୟ’ ଯୋଜନା। ପ୍ରଥମେ ଭୁବନେଶ୍ବରରେ ଓ ପରେ କଟକରେ ଏହାକୁ ଆରମ୍ଭ କରାଯିବାକୁ କୁହାଯାଇଥିଲା। ମାତ୍ର ଏହା ଉପରେ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆଗଲା ନାହିଁ କି ଏ ଦିଗରେ ପ୍ରଶାସନ ତଫରୁ ଉଦ୍ୟମ ହେଲା ନାହିଁ। ଫଳରେ ‘ସହାୟ’ ଯୋଜନା ଶୀତଳ ଭଣ୍ଡାରକୁ ଚାଲିଗଲା। ଏବେ ପୁଣି ସହରର ଭିକାରିଙ୍କ ପାଇଁ ଆଶ୍ରୟସ୍ଥଳ ନିର୍ମାଣ ପାଇଁ ସରକାରଙ୍କ ପକ୍ଷରୁ ସିଏମ୍‌ସିକୁ କୁହାଯାଇଛି। ସହରର ୩ଶହ ଭିକାରିଙ୍କ ପାଇଁ ୩ଟି ଆଶ୍ରୟକେନ୍ଦ୍ର କରିବାକୁ ସରକାରଙ୍କ ପକ୍ଷରୁ କୁହାଯାଇଛି। ଏହା ଉପରେ ଖୁବଶୀଘ୍ର କାମ ଆରମ୍ଭ କରାଯିବ ବୋଲି ସିଏମ୍‌ସି ବସ୍ତି ଉନ୍ନୟନ ଅଧିକାରୀ ତଥା ଡେପୁଟି କମିସନର ଶ୍ବେତାପଦ୍ମା ଡି. ଶତପଥୀ କହିଛନ୍ତି।

ସମ୍ବନ୍ଧିତ ଖବର