ସିଏମ୍‌ସି ମହାଦୁର୍ନୀତି ୩; ୫୨ଟି ଯାତ୍ରୀ ଆଶ୍ରୟସ୍ଥଳ ବିଜ୍ଞାପନ ଟେଣ୍ଡର‌୍‌ରେ ଅନିୟମିତତା

; ବିଳମ୍ବ ପାଇଁ ସିଏମ୍‌ସି କ୍ଷତି ସହିଲା ୫ଲକ୍ଷ; ବିଜ୍ଞାପନ ଏଜେନ୍ସି ଉପରେ କୋଟିଏ ଟଙ୍କା ବାକି

କଟକ: କଟକ ମହାନଗର ନିଗମର ଦୁର୍ନୀତି ଯେତେ‌ ଖୋଳିଲେ ସେତେ ବାହାରୁଛି। ବଡ଼ ହେଉ କି ଛୋଟ ସବୁ କ୍ଷେତ୍ରରେ ଅର୍ଥ କାରବାରରେ ହୋଇଛି ଅନିୟମିତତା। କିଛି ଅଧିକାରୀ ଓ କର୍ମଚାରୀଙ୍କ ଭୁଲ ପାଇଁ ସିଏମ୍‌ସି କିଭଳି ରାଜସ୍ବ ହରାଉଛି ସେ ନେଇ ଅଡିଟର ତାଙ୍କ ରିପୋର୍ଟରେ ସ୍ପଷ୍ଟ କରିଛନ୍ତି। କ୍ଷତି ହୋଇଥିବା ଅର୍ଥକୁ ସଂପୂର୍ଣ୍ଣ ଅଧିକାରୀଙ୍କଠାରୁ ଆଦାୟ କରିବା ସହିତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି। ମାତ୍ର କର୍ତୃପକ୍ଷ ଏହାକୁ କାନରେ ପୂରାଇ ନାହାନ୍ତି। ଟେଣ୍ଡର ପ୍ରକ୍ରିୟାରେ ହୋଇଥିବା ଅନିୟମିତତା ସଂପର୍କରେ ଖୋଳତାଡ଼ କରିବା ବଦଳରେ ଏହାକୁ ଗ୍ରହଣ କରିନେଇଛନ୍ତି। ଅନ୍ୟପକ୍ଷରେ ବିଭିନ୍ନ ଘରୋଇ ସଂସ୍ଥା ଓ କଂପାନିଠାରୁ ଟଙ୍କା ନେଇ ସାରି କିଛି ବିଜ୍ଞାପନ ଏଜେନ୍ସି ସିଏମ୍‌ସିକୁ ଟଙ୍କା ଦେଉ ନାହାନ୍ତି। ୨୦୧୯ ମ‌ାର୍ଚ୍ଚ ୩୧ ତ‌ାରିଖ ସୁଦ୍ଧା ସହରର ୪୯ଟି ବିଜ୍ଞାପନ ଏଜେନ୍ସି ଉପରେ ୧ କୋଟି ଟଙ୍କା ବାକି ପକାଇ ରଖାଯାଇଥିବାରୁ ଅଡିଟ୍‌ ଏ ନେଇ ଆପତ୍ତି ଉଠାଇଛନ୍ତି।

ପ୍ରକାଶ ଯେ, କଟକ ମହାନଗର ନିଗମ(ସିଏମସି)ର ରାଜସ୍ବ ବୃଦ୍ଧି ପାଇଁ ଏକ ଅଭିନବ ପରିକଳ୍ପନା କରାଯାଇଥିଲା। ଗତ ୨୦୧୫ରେ ସିଏମସି ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ଥିବା ୫୨ଟି ବସ ଷ୍ଟପରେ ବିଜ୍ଞାପନ ଲଗାଇବାକୁ ‌ଅନୁମତି ମିଳିଥିଲା। ବିଓଟି ମୋଡରେ ବସଷ୍ଟପରେ ବିଜ୍ଞାପନ ଲଗାଇବାକୁ କୁହାଯାଇଥିଲା। ଏ ନେଇ ଏକ ନିର୍ଦ୍ଦିଷ୍ଟ ବିଜ୍ଞାପନ ଏଜେନ୍ସିକୁ ଦାୟିତ୍ବ ମଧ୍ୟ ଦିଆଯାଇଥିଲା। ତେବେ ଏହି ୫୨ଟି ଯାତ୍ରୀ ବିଶ୍ରାମସ୍ଥଳର ଟେଣ୍ଡର ପ୍ରକ୍ରିୟାରେ ଘୋର ଅନିୟମିତତା ହୋଇଥିଲା। ଜାଣିଶୁଣି ଏହାର ଅହେତୁକ ବିଳମ୍ବ କରାଯାଇଥିଲା। ମାତ୍ର ୪ ମାସରେ ସରିବାକୁ ଥିବା‌ ଟେଣ୍ଡର ପ୍ରକ୍ରିୟା ସରିବାକୁ ୨ ବର୍ଷ ଲାଗିଥିଲା। ଫଳରେ ସିଏମ୍‌ସି ଏ ବାବଦରେ ୫ଲକ୍ଷ ଟଙ୍କା ହରାଇଥିବା ଅଡିଟରେ ଦର୍ଶାଯାଇଛି। ଟେଣ୍ଡର ପ୍ରକ୍ରିୟାର ନିୟମ କାନୁନ ଉଲଂଘନ କରାଯାଇଥିଲା। ବିଳମ୍ବ ଯୋଗୁଁ ସିଏମ୍‌ସି ୪ ଲକ୍ଷ ୯୩ ହଜାର ୮୮୭ ଟଙ୍କା ହରାଇଥିବା ଅଡିଟର୍‌ ଦର୍ଶାଇଛନ୍ତି। ଅଡିଟର୍‌ ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି କି, ୨୦୧୫ରେ ଟେଣ୍ଡର ଆରମ୍ଭ ହୋଇ ୨୦୧୭ ମାର୍ଚ୍ଚରେ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଥିଲା। ଅର୍ଥାତ ଏହି ଟେଣ୍ଡର ପ୍ରକ୍ରିୟା ସରିବାକୁ ୨ ବର୍ଷ ଲାଗିଥିଲା।

ଫଳରେ ସିଏମ୍‌ସିର ରାଜସ୍ବ ବୃଦ୍ଧି ଯୋଜନା ବିଫଳ ହୋଇଥିଲା। ବିନା କାରଣରେ ଏହି ବିଳମ୍ବକୁ ସିଏମସି କର୍ତୃପକ୍ଷ ଗ୍ରହଣ ମଧ୍ୟ କରି ନେଇଥିଲେ। ଏ ନେଇ କାଉନସିଲ ବୈଠକରେ ମଧ୍ୟ ଆଲୋଚନା ‌ହୋଇ ନଥିଲା। ଚୁକ୍ତି ମୁତାବକ ସିଏମ୍‌ସି ଏ ବାବଦରେ ୧୪ଲକ୍ଷ ୮୦ ହଜାର ୧୬୦ ଟଙ୍କା ଆଦାୟ କରିବାର ଥିଲା। ମାତ୍ର ଟେଣ୍ଡରରେ ଅନିୟମିତତା ‌ଯୋଗୁଁ ୯ଲକ୍ଷ ୮୬ହଜାର ୭୭୩ ଟଙ୍କା ଆଦାୟ ‌ହୋଇଥିଲା। ସେହିଭଳି ସହରରେ ହୋର୍ଡିଂ ଲଗାଇଥିବା ୪୯ଟି ବିଜ୍ଞାପନ ଏଜେନ୍ସି ଉପରେ ୮୨ଲକ୍ଷ ୨୫ ହଜାର ୨୦୩ ଟଙ୍କା ବାକି ପଡିଥିବା ଓ ଆଦାୟରେ ବିଳମ୍ବ ନେଇ ଆପତ୍ତି ଉଠାଇଛନ୍ତି। ୪୯ଟି ଏଜେନ୍ସି ସହରରେ ୧୩୦୩ଟି ହୋର୍ଡିଂ ଲଗାଇଛନ୍ତି। ଏ ବାବଦରେ ସିଏମ୍‌ସି ମୋଟ ୨ କୋଟି ୮ଲକ୍ଷ ୨୫ ହଜାର ୨୫୭ ଟଙ୍କା ବଦଳରେ ୧ କୋଟି ୨୬ଲକ୍ଷ ୦୪ ଟଙ୍କା ଆଦାୟ ହୋଇଛି। ସେହିଭଳି ଲାଇସେନସ୍‌ ବାବଦରେ ୨୪ଲକ୍ଷ ୫୦ ହଜାର ଟଙ୍କା ବିଭିନ୍ନ ବିଜ୍ଞାପନ ଏଜେନ୍ସି ଉପରେ ବାକି ଗଡୁଛି। ବର୍ଷ ବର୍ଷ ଧରି ଏ ଟଙ୍କା ଗଡୁଥିଲେ ବି ଆଦାୟ କରାଯାଉ ନାହିଁ।

ସମ୍ବନ୍ଧିତ ଖବର