ସହରର ୬ଟି ପରିମଳ ଜୋନ୍‌କୁ ସରକାରୀ ମଞ୍ଜୁରୀ, ଜାଗୃତି, ମଂଜୁଶ୍ରୀ ଓ ପ୍ରତ୍ୟୁଷକୁ ମିଳିଲା ୨ଟି ଲେଖାଏ ଜୋନ୍‌

ଏକ ମାସ ମଧ୍ୟରେ ଜୋନ୍‌ୱାରି ପରିମଳ କାମ ଆରମ୍ଭ

କଟକ: ପୌର ନିଗମର ପରିମଳ ଟେଣ୍ଡର୍‌କୁ ନେଇ ୭ବର୍ଷ ଧରି ଲାଗିରହିଥିବା ଅନିଶ୍ଚିତତାରେ ଆଜି ପୂର୍ଣ୍ଣଛେଦ ପଡିଛି। ନିଗମର ୫୯ଟି ୱାର୍ଡକୁ ୬ଟି ଜୋନ୍‌ରେ ବିଭକ୍ତ କରି ୬ଟି ଟେଣ୍ଡର୍‌ ଡକାଯାଇଥିବା ବେଳେ ଆଜି ସମସ୍ତ ଟେଣ୍ଡର୍‌କୁ ସରକାରଙ୍କ ପକ୍ଷରୁ ମଞ୍ଜରୀ ପ୍ରଦାନ କରାଯାଇଛି। ସରକାରଙ୍କ ଅନୁମତି ପରେ ଏବେ ଜାଗୃତି, ମଂଜୁଶ୍ରୀ ଓ ପ୍ରତ୍ୟୁଷ ଠିକା ସଂସ୍ଥାଙ୍କ ଉପରେ ସହରର ପରିମଳ ଦ୍ବାୟିତ୍ବ ଆସିଛି। ଆସନ୍ତା ଏକମାସ ମଧ୍ୟରେ ୬ଟି ଜୋନ୍‌ରେ ସଫେଇ କାମ ଆରମ୍ଭ ହେବ ବୋଲି ନିଗମ ପକ୍ଷରୁ କୁହାଯାଇଛି। ପୌର ନିଗମରେ ୨୦୧୫, ମେ’ରେ ରାମ୍‌କୀ ସହିତ ନିଗମର ଚୁକ୍ତିନାମା ଶେଷ ହେବା ପରେ ପରିମଳ ଟେଣ୍ଡର୍‌କୁ ନେଇ ଦୀର୍ଘ ୭ବର୍ଷ ଧରି ଅଚଳାବସ୍ଥା ଲାଗି ରହିଥିଲା। ସହରର ପରିମଳ ବ୍ୟବସ୍ଥାର ସୁପରିଚାଳନା ପାଇଁ ବାରମ୍ବାର ଟେଣ୍ଡର୍‌ ପେପ୍‌ର ପ୍ରସ୍ତୁତ ହୋଇ ଅନୁମୋଦନ ପାଇଁ ଏହାକୁ ରାଜ୍ୟ ସରକାରଙ୍କୁ ପଠାଯାଇଥିଲା। ମାତ୍ର ବିଭିନ୍ନ ତ୍ରୁଟି ଥିବାର ଦର୍ଶାଇ ଏହା ବାତିଲ ହୋଇଯାଉଥିଲା। ଦୀର୍ଘ ୭ବର୍ଷ ଧରି ଟେଣ୍ଡର୍‌ ପ୍ରକ୍ରିୟାରେ ନାନା ସମସ୍ୟାକୁ ନେଇ ଏହା ଝୁଲି ରହିଥିଲା। ବାରମ୍ବାର ଟେଣ୍ଡର୍‌ର ପେପ୍‌ର ବାତିଲ ହେବାରୁ ରାଜ୍ୟ ସରକାରଙ୍କ ତରଫରୁ ପୌର ନିଗମ ହାତରୁ ଟେଣ୍ଡର୍‌ ପ୍ରସ୍ତୁତ କରିବା କ୍ଷମତା କାଢ଼ି ନିଆଗଲା।

ସେପଟେ ସରକାରଙ୍କ ପକ୍ଷରୁ ଗତ ଫେବୁଆରିରେ ବିଭିନ୍ନ ବିଭାଗର ଅଧିକାରୀଙ୍କୁ ନେଇ ଏକ ଟେକ୍ନିକାଲ୍‌ ଟିମ୍‌ ଗଠନ କରାଯାଇ ଟେଣ୍ଡର ପେପ୍‌ର ପ୍ରସ୍ତୁତ କରାଗଲା। ଏଥିରେ ନିଗମର ୫୯ଟି ୱାର୍ଡକୁ ୬ଟି ଜୋନ୍‌ରେ ବାଣ୍ଟିବା ସହିତ ପ୍ରତି ଜୋନ୍‌ରେ ୯ରୁ ୧୦ଟି ୱାର୍ଡକୁ ରଖାଗଲା। ନିଗମର ୬ଟି ଜୋନ୍‌ ପାଇଁ ପୃଥକ ଭାବେ ୬ଟି ଟେଣ୍ଡର୍‌ ଗତ ଏପ୍ରିଲ୍‌ରେ ଡକାଗଲା। ଗୋଟିଏ ଠିକା ସଂସ୍ଥା ୬ଟି ଜୋନ୍‌ ପାଇଁ ଟେଣ୍ଡର ପକାଇ ପାରିବ। ମାତ୍ର ଗୋଟିଏ ସଂସ୍ଥାକୁ ସର୍ବାଧିକ ୨ଟି ଜୋନ୍‌ର ଟେଣ୍ଡର୍‌ ମିଳିବ। ଅର୍ଥାତ୍ ଗୋଟିଏ ଠିକା ସଂସ୍ଥା ସର୍ବାଧିକ ଦୁଇଟି ଜୋନ୍‌ରେ ତାର ଠିକା କର୍ମଚାରୀଙ୍କୁ ନିୟୋଜିତ କରାଇ କାମ କରିପାରିବ ବୋଲି ଟେଣ୍ଡରରେ କୁହାଗଲା। ନିଗମ ପକ୍ଷରୁ ଟେକ୍ନିକାଲ୍‌ ଓ ଫାଇନାନ୍ସସିଆଲ୍‌ ବିଡ୍‌ ଖୋଲିବା ପରେ ଟେଣ୍ଡର୍‌ ପ୍ରକ୍ରିୟାରେ ଜାଗୃତି, ମଂଜୁଶ୍ରୀ ଓ ପ୍ରତ୍ୟୁଷ ଠିକା ସଂସ୍ଥାଙ୍କୁ ୨ଟି ଲେଖାଏ ଜୋନ୍‌ ମଳିଲା। ସମସ୍ତ ବିଷୟକୁ କଣ୍ଟାକ୍ଟ କମିଟିକୁ ପଠାଯାଇ ସରକାରଙ୍କଠାରୁ ମଞ୍ଜୁରୀ ପାଇଁ ଅପେକ୍ଷା କରାଯାଇଥିଲା। ଆଜି ସରକାରଙ୍କ ପକ୍ଷରୁ ୬ଟି ଜୋନ୍‌କୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ଜାଗୃତିକୁ ଜୋନ୍‌ ନଂ ୧ ଓ ୬, ମଂଜୁଶ୍ରୀକୁ ଜୋନ୍‌ ନଂ ୩ ଓ ୪, ପ୍ରତ୍ୟୁଷକୁ ଜୋନ୍‌ ନଂ ୨ ଓ ୫ର ପରିମଳ କାମ ମିଳିଛି। ୭ବର୍ଷ ପରେ ପୌର ନିଗମର ୬ଟି ପରିମଳ ଜୋନ୍‌ ଟେଣ୍ଡରକୁ ସରକାରଙ୍କ ପକ୍ଷରୁ ଅନୁମୋଦନ ମିଳିଛି। ଆସନ୍ତା ଏକମାସ ମଧ୍ୟରେ ୬ଟି ଜୋନ୍‌ରେ ସହରର ପରିମଳ କାମ ଆରମ୍ଭ ହେବ ବୋଲି ମେୟର ସୁବାସ ସିଂହ କହିଛନ୍ତି।

ସମ୍ବନ୍ଧିତ ଖବର